ଭୁବନେଶ୍ୱର: ମିସ୍ କଲ୍ ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ, ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହୋଇ ଜେଲ୍ ଗଲେ ପ୍ରେମିକ
6/11/2020 at 1:36 PM

ଭୁବନେଶ୍ୱର୬/୧୧: ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ମହିଳା ଥାନା ପୁଲିସ ପ୍ରତାରକ ପ୍ରେମିକକୁ ଗିରଫ କରିଛି । ତାଙ୍କ ନାମ ରତିରଞ୍ଜନ ସାହୁ(୨୭) । ଘର ବଡ଼ଗଡ଼ ଉପରସାହି ।
ପୁଲିସ ସୂଚନା ଅନୁଯାୟୀ, ବଡ଼ଗଡ଼ ଅଞ୍ଚଳରେ ରହୁଥିବା ପ୍ରିୟଙ୍କା (ଛଦ୍ମନାମ,୩୦) ନାମ୍ନୀ ଜଣେ ଯୁବତୀଙ୍କ ସହ ମୋବାଇଲ ମିସ୍ କଲ୍ରୁ ରତିରଞ୍ଜନ ସଂପର୍କ ଯୋଡ଼ିଥିଲେ । ପରେ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ । ବିବାହର ପ୍ରଲୋଭନ ଦେଖାଇ ପ୍ରିୟଙ୍କାଙ୍କ ସହ ରତିରଞ୍ଜନ ଦୈହିକ ସଂପର୍କ ରଖିଥିଲେ ।
୪ ବର୍ଷର ସଂପର୍କ ମଧ୍ୟରେ ରତିରଞ୍ଜନ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ଯାଇଥିଲେ । ବଡ଼ଗଡ଼ରୁ ଆସି ପ୍ରିୟଙ୍କା ନୂୂଆପଲ୍ଲୀ ଅଞ୍ଚଳରେ ରହୁଥିଲେ । ପ୍ରିୟଙ୍କା ବିବାହ କରିବାକୁ କହିବାରୁ ସେ ଦିନ ଗଡ଼ାଇ ଚାଲିଥିଲେ । ଶେଷରେ ଆଉ ଧରାଛୁଆଁ ଦେଇ ନଥିଲେ। ପ୍ରିୟଙ୍କା ଫୋନ୍ କଲେ ରତିରଞ୍ଜନ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ । ପ୍ରତାରଣାର ଶିକାର ହୋଇଥିବା ଜାଣି ଶେଷରେ ପ୍ରିୟଙ୍କା ବୁଧବାର ମହିଳା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁକରି ଗତକାଲି ରାତିରେ ରତିରଞ୍ଜନଙ୍କୁ ଉଠାଇ ଆଣିଥିଲା ।
ପୁଲିସ ରତିରଞ୍ଜନ ଓ ପ୍ରିୟଙ୍କାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରୀ ମାଇନା କରାଇଥିଲା । ଦୁଷ୍କର୍ମ ମାମଲା ରୁଜୁକରି ପୁଲିସ ରତିରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।