ଏଲନ୍‌ ଇଫେକ୍ଟ: ଆଜିଠାରୁ ଟ୍ୱିଟରରୁ ଛଟେଇ, କର୍ମଚାରୀଙ୍କ ମଧ୍ୟରେ ଭାଳେଣୀ

Published By : Prameya-News7 Bureau | November 04, 2022 IST

ନୂଆଦିଲ୍ଲୀ, ୦୪/୧୧: ଟେସ୍‌ଲାର ସିଇଓ ଏଲନ୍‌ ମସ୍କ ଟ୍ୱିଟର୍‌ ଅଧିଗ୍ରହଣ କରିବା ପରେ ଟ୍ୱିଟରକୁ ନେଇ କିଛି ନା କିଛି ଚର୍ଚ୍ଚା ଲାଗି ରହିଛି । ଶୁକ୍ରବାର ଅର୍ଥାତ୍‌ ଆଜି ଠାରୁ କମ୍ପାନୀରୁ ଛଟେଇ ଆରମ୍ଭ ହେବ । ଏହାକୁ ନେଇ କର୍ମଚାରୀ ମଧ୍ୟରେ ଭାଳେଣୀ । ଟ୍ୱିଟର୍‌ରେ ସୋମାନଙ୍କ ଚାକିରୀ ଅଛି ନା ସେମାନଙ୍କୁ ସୋମବାର ଠାରୁ ନୂଆ ଚାକିରୀ ଖୋଜିବାକୁ ପଡ଼ିବ ସେ ନେଇ କର୍ମଚାରୀ ସନ୍ଦେହରେ ।

ଏହି ସୋସିଆଲ ମିଡିଆ କମ୍ପାନୀ କର୍ମଚାରୀମାନଙ୍କୁ ଏକ ଇମେଲ ଜରିଆରେ ସୂଚନା ଦେଇଛି ଯେ ଭାରତୀୟ ସମୟ ଅନୁସାରେ ଶୁକ୍ରବାର ରାତି ୯.୩୦ରେ ସେମାନଙ୍କ ଚାକିରୀ ଅଛି ନା ସେମନଙ୍କୁ ବିଦା କରାଯାଇଛି ସେ ନେଇ ସୂଚନା ଦେବ । ରିୟଟର୍ସର ଏକ ରିପୋର୍ଟ ଅନୁସାରେ ମେଲ୍‌ରେ ଲେଖାଯାଇଛି ଯେ ଟ୍ୱିଟରକୁ ସୁଧାରିବା ପାଇଁ ଶୁକ୍ରବାର କାର୍ଯ୍ୟବଳକୁ କମ୍‌ କରିବାର କଠିନ ପ୍ରକ୍ରିୟା ଆରମ୍ଭ ହେବ । ଯେଉଁ ମାନଙ୍କୁ ବାଦ୍‌ ଦିଆଯିବ ସେମାନଙ୍କ କାର୍ଯ୍ୟକାଳ ଅସ୍ଥାୟୀ ରୂପେ ବନ୍ଦ ରହିବ । ପ୍ରତ୍ୟକ କର୍ମଚାରୀଙ୍କ ସୁରକ୍ଷା ସହିତ ଟ୍ୱିଟର୍‌ ସିଷ୍ଟମ ଏବଂ ଗ୍ରାହକଙ୍କ ତଥ୍ୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ବ୍ୟାଜ୍‌ ଆକ୍ସେସ୍‌କୁ ବନ୍ଦ କରିଦିଆଯିବ । ଏଥିସହିତ ମେଲ୍‌ରେ କୁହାଯାଇଛି ଯେ, ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯିବ ସେମାନଙ୍କୁ ସେମାନଙ୍କର ବ୍ୟକ୍ତିଗତ ଇମେଲ୍‌ରେ ଆଗାମୀ ପ୍ରକ୍ରିୟା ସମ୍ୱନ୍ଧରେ ସୂଚିତ କରାଯିବ ।

ଅନ୍ୟପଟେ ଆଜି କିଛି ଟ୍ୱିଟର ବ୍ୟବହାରକାରୀ ସେମାନଙ୍କ ଆକାଉଣ୍ଟ ଖୋଲୁନଥିବା ଅଭିଯୋଗ କରିଥିବା ଜଣାପଡ଼ିଛି । ସକାଳୁ ସକାଳୁ ସେମାନେ ଟ୍ୱିଟର ବ୍ୟବହାର କରିପାରୁନାହାନ୍ତି । ଏହାର ସ୍କ୍ରିନ୍‌ସଟ୍‌ ମଧ୍ୟ କିଛି ବ୍ୟବହାରକାରୀ ସେୟାର କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.