ନୂଆଦିଲ୍ଲୀ: ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଆଗାମୀ ଘରୋଇ ସିଜିନ ପାଇଁ ପଶ୍ଚିମବଙ୍ଗର ୫୦ ସମ୍ଭାବିତ ଖେଳାଳିଙ୍କ ତାଲିକାରେ ସାମିଲ କରାଯାଇଛି। ଅଗଷ୍ଟ ୨୮ରୁ ଆରମ୍ଭ ହେଉଥିବା ଦୁଲୀପ ଟ୍ରଫିର ପୂର୍ବ ଜୋନ ପକ୍ଷରୁ ଶାମି ଖେଳି ପାରନ୍ତି। ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବା ପାଇଁ ମହମ୍ମଦ ଶାମିଙ୍କ ପାଇଁ ଦ୍ଵାର ଖୋଲି ଯାଇଛି। ଆଣ୍ଠୁ ସର୍ଜରୀରୁ ସୁସ୍ଥ ହେବା ପରେ ଲମ୍ବା ଅନ୍ତରାଳ ପରେ ଶାମି ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିଥିଲେ। ସେ ଭାରତ ପାଇଁ ଶେଷ ଥର ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ଖେଳିଥିଲେ।
ଚାମ୍ପିଅନ୍ସ ଟ୍ରଫିରେ ଭାରତ ଫାଇନାଲ୍ରେ ନ୍ୟୁଜିଲାଣ୍ଡକୁ ହରାଇ ଚାମ୍ପିଅନ ହୋଇଥିଲା। ଶାମି ୫ଟି ମ୍ୟାଚ୍ରୁ ୯ ଓ୍ଵିକେଟ୍ ନେଇ ବରୁଣ ଚକ୍ରବର୍ତ୍ତୀଙ୍କ ସହ ଯୁଗ୍ମ ଭାବେ ଭାରତ ପାଇଁ ସର୍ବାଧିକ ଓ୍ଵିକେଟ୍ ଅକ୍ତିକାର କରିଥିଲେ। ହେଲେ ଟୁର୍ଣ୍ଣାମେଣ୍ଟରେ ସେ ସବୁଠୁ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଥିଲେ। ତାଙ୍କର ଇକୋନୋମି ଥିଲା ୫.୬୮ ପ୍ରତିଶତ।
ଏହା ପରେ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ଶାମି ନୂଆ ଦଳ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଥିଲେ। ତାଙ୍କ ପ୍ରଦର୍ଶନ ସେତେ ଉତ୍ସାହଜନକ ନ ଥିଲା। ସେ ୯ଟି ମ୍ୟାଚ୍ରେ କେବଳ ୬ ଓ୍ଵିକେଟ୍ ନେଇଥିଲେ। ବୋଲିଂ ଇକୋନୋମି ୧୧.୨୩ ରହିଥିଲା। ତେବେ ଆଇପିଏଲ୍ ମଧ୍ୟ ଭାଗରେ ପୁଣି ଥରେ ତାଙ୍କର ଆହତ ସମସ୍ୟା ଦେଖା ଦେଇଥିଲା। ଫଳରେ ଶାମି ଭାରତୀୟ ଦଳରୁ ବାଦ୍ ପଡ଼ିଥିଲେ।