ନୂଆଦିଲ୍ଲୀ: ଟି-୨୦ କ୍ରିକେଟକୁ ସର୍ବଦା ବ୍ୟାଟରଙ୍କ ଖେଳ ବୋଲି କୁହାଯାଏ। ବ୍ୟାଟର ବିସ୍ଫୋରକ ବ୍ୟାଟିଂ କରି ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିଥାନ୍ତି। ମାତ୍ର ଟି-୨୦ ବିଶ୍ଵକପ୍ ୨୦୨୪ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଆଇପିଏଲ୍ରେ ହାଇ ସ୍କୋରିଂ ମୁକାବିଲା ଦେଖିବାକୁ ମିଳୁଥିବା ବେଳେ ଚଳିତ ଟି-୨୦ ବିଶ୍ଵକପ୍ରେ ରନ ହିଁ ସୁଖି ଯାଇଛି। ପରିଣାମସ୍ଵରୂପ ଅନ୍ୟ ବିଶ୍ଵ କପ୍ ତୁଳନାରେ ଏଥର ବିଶ୍ଵକପ୍ରେ ସବୁଠୁ ଅଧିକ ଥର ଦଳଗୁଡ଼ିକ ୧୦୦ରୁ କମ ରନ ଭିତରେ ଅଲଆଉଟ୍ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ରେ ନଅ ଥର ଏମିତି ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଏଥର ଟି-୨୦ ବିଶ୍ଵକପ୍ରେ ସର୍ବନିମ୍ନ ସ୍କୋର ରେକର୍ଡ ମଧ୍ୟ ହୋଇଛି।
Also read: USA vs IRE ମ୍ୟାଚ୍ ବର୍ଷାରେ ଧୋଇଗଲେ ବିଶ୍ଵକପ୍ରୁ ବାଦ୍ ପଡ଼ିବ ପାକିସ୍ତାନ !
ଚଳିତ ବିଶ୍ଵକପ୍ରେ ୟୁଗାଣ୍ଡା ଦଳ ନାମରେ ସର୍ବନିମ୍ନ ସ୍କୋର କରିବାର ଅଲୋଡ଼ା ରେକର୍ଡ ରହିଛି। ଦଳ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ୩୯ ରନରେ ଅଲଆଉଟ୍ ହୋଇଛି। ଏହିପରି ୟୁଗାଣ୍ଡା ନେଦରଲାଣ୍ଡର ସର୍ବନିମ୍ନ ସ୍କୋର ରେକର୍ଡ ସହ ସମକକ୍ଷ ହୋଇଛି। ଚଳିତ ବିଶ୍ଵକପ୍ରେ ସବୁ ଦଳର ସର୍ବନିମ୍ନ ସ୍କୋର ଉପରେ ନଜର ପକାଇଲେ ପପୁଆ ନ୍ୟୁଗିନି ୯୫, ଓମାନ, ୪୭, ନାମିବ୍ୟା ୭୨, ୟୁଗାଣ୍ଡା ୩୯, ନ୍ୟୁଜିଲାଣ୍ଡ ୭୫, ଆୟରଲାଣ୍ଡ ୯୬, ସ୍କଟଲ୍ୟାଣ୍ଡ ୯୦ ରନ, ଶ୍ରୀଲଙ୍କା ୭୭ ରନରେ ଅଲଆଉଟ୍ ହୋଇଛି।
ଚଳିତ ବିଶ୍ଵକପ୍ରେ ଅଦ୍ୟାବଧି ୨୯ଟି ମ୍ୟାଚ୍ ଖେଳା ଯାଇଛି। ଏଥିରୁ ନଅ ଥର ୧୦୦ରୁ କମ ସ୍କୋର ଦେଖିବାକୁ ମିଳିଛି। ଏହା ପଛର କାରଣ ପିଚ୍। ନିମ୍ନମାନର ପିଚ୍ କାରଣରୁ ବ୍ୟାଟରଙ୍କୁ ପ୍ରତିଟି ରନ ପାଇଁ ମୁସ୍କିଲ ହେଉଥିଲା। ଏପରିକି ଆଉଟ୍ ଫିଲ୍ଡ ମଧ୍ୟ ବହୁତ ମନ୍ଥର ଥିଲା। ତେଣୁ ଦ୍ରୁତ ସଟ୍ ବି ଚୌକାରେ ପରିଣତ ହେଉ ନ ଥିଲା। ବଲର ଏମିତି ପିଚ୍ ଏବଂ ଫିଲ୍ଡର ବହୁତ ଫାଇଦା ଉଠାଇ ବ୍ୟାଟରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ।