ଜିଲ୍ଲା ଟପ୍ପର ଏବେ ଦିନ ମଜୁରିଆ, ବହି ଖାତା ପାଇଁ ବୋହୁଛନ୍ତି ଇଟା ପଥର
30/05/2023 at 6:08 PM

ମାଲକାନଗିରି ୩୦/୦୫: ଅଭାବ ଅନଟନ ବଦଳାଇଲା ଭାଗ୍ୟ । ମେଧାବୀ ଛାତ୍ରୀ ଏଠି ପାଲଟିଛି ଦିନ ମଜୁରିଆ । ଟାଣ ଖରାରେ ପଥର ବୋଝେଇ ଝୁଡି ବୋହୁଛି ବଣ୍ଡା ଜନଜାତିର ଏହି ଝିଅ କର୍ମା ମୁଦୁଲି । ପଢା ଖର୍ଚ୍ଚ ମେଣ୍ଟାଇବାକୁ ମାଟିରେ ଖଟୁଛି ମାଟିର ଝିଅ । ଗତବର୍ଷ ଯୁକ୍ତ ଦୁଇ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ କରମା । ବଣ୍ଡା ମେଧାବୀ ଛାତ୍ରୀ ଏବେ ଦିନ ମଜୁରିଆ ।

୨୦୨୨ +୨ ବାଣିଜ୍ୟରେ ମାଲକାନଗିରି ଜିଲ୍ଲାର ସର୍ବୋଚ୍ଚ ନମ୍ବର ରଖି ପାସ୍ କରିଥିଲେ ଆଦିମ ଜନଜାତିର ବଣ୍ଡା ଝିଅ କରମା ମୁଦୁଲି । ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସିତ ହୋଇ ରମାଦେବୀ ମହାବିଦ୍ୟାଳୟରେ ଯୁକ୍ତ ୩ ନାମ ଲେଖାଇ ଥିଲେ କରମା । ତେବେ ସେଇ ମେଧାବୀ ଏବେ ନିଜ ଉଚ୍ଚ ଶିକ୍ଷା ଖର୍ଚ୍ଚ ମେଣ୍ଟାଇବା ପାଇଁ ଦିନ ମଜୁରିଆ ପାଲଟିଛନ୍ତି ।
ମୁଣ୍ଡରେ ଇଟା ପଥର ବୋଝେଇ କରି ଟାଣ ଖରାରେ ରଡ ସିମେଣ୍ଟ କାମ କରୁଛନ୍ତି କରମା । ଆଦିମ ଜନଜାତି ବଣ୍ଡାଙ୍କ ବିକାଶ ଲାଗି ସରକାର କେତେ କଅଣ ଯୋଜନା ରହିଛି । ତଥାପି କାହିଁକି ଏହି ମେଧାବୀ ଛାତ୍ରୀ ଏମିତି ଦୁର୍ଦ୍ଦଶା ଭୋଗୁଛନ୍ତି । ଜିଲ୍ଲା ପ୍ରଶାସନ, ଗୋବିନ୍ଦପାଲି କଲେଜ୍, ଖଇରପୁଟ ପ୍ରଶାସନ ଏପରିକି ରାଜ୍ୟପାଳ ମଧ୍ୟ ତାକୁ ସମ୍ମାନିତ କରିଥିଲେ । ଆଶ୍ଵାସନା ବି ମିଳଥିଲା ଉଚ୍ଚ ଶିକ୍ଷାର ସମସ୍ତ ଖର୍ଚ୍ଚ ବହନ ହେବ ।

ହେଲେ ସବୁ କାଗଜ କଲମରେ ରହିଗଲା ସୀମିତ । ୭୬.୨୨% ରଖି +୨ ବାଣିଜ୍ୟ ମହାବିଦ୍ୟାଳୟରୁ ୨୦୨୨ ରେ ପାସ କରି ବର୍ତ୍ତମାନ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ଭୁବନେଶ୍ବରରେ +୩ ବାଣିଜ୍ୟ ଛାତ୍ରୀ ରୂପେ ଅଧ୍ୟୟନ କରୁଛନ୍ତି କରମା । ହେଲେ ସେ ହଷ୍ଟେଲ ଖର୍ଚ୍ଚ ୧୨୦୦୦ ଟଙ୍କା (ପ୍ରତିବର୍ଷ) ମୋଟ ୨୪୦୦୦ ଟଙ୍କା, ବହି ଖାତା ଓ ଅନ୍ୟ ପାଠ୍ୟ ଖର୍ଚ୍ଚ ୫୦୦୦ ଟଙ୍କାର ନିତାନ୍ତ ଆବଶ୍ୟକ ରହିଛି l