ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି, ସ୍ୱର୍ଗଦ୍ୱାର ସମୁଦ୍ର କୂଳେ ୫ ମଦ ଦୋକାନ ଖୋଲିବାକୁ ଦେଲା ଲାଇସେନ୍ସ, ଗାନ୍ଧିଘାଟରେ ଜନ ସତ୍ୟାଗ୍ରହ…

Published By : Prameya-News7 Bureau | August 05, 2021 IST

ପୁରୀ ୦୫/୦୮: ବିଦ୍ୟାଳୟ ନିକଟରେ ମଦ ଦୋକାନ ଖୋଲାଯିବା ଖବର ଶୁଣିଥିବେ ଏବଂ ନିଜ ଆଖିରେ ମଧ୍ୟ ଦେଖିଥିବେ। ତେବେ ଏହି ମଦ ଦୋକାନକୁ ନେଇ ପୁରୀ ଜିଲ୍ଲା ପ୍ରଶାସନର ଦୋମୁହାଁ ନୀତି ଦେଖିବାକୁ ମିଳିଛି। ପବିତ୍ର ସ୍ୱର୍ଗଦ୍ୱାର ଶ୍ମଶାନ ଚାରିପାଖ ଓ ପୂଣ୍ୟତୋୟା ମହୋଦଧି ସଂଲଗ୍ନ ବେଳାଭୂମି ରାସ୍ତାର ପାଶ୍ୱର୍ରେ ମଦ ଦୋକାନ ଖୋଲିବାକୁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ। ବହୁ ସମାଲୋଚନା ପରେ ପୁରୀ ବେଳାଭୂମିରେ ମଦ କୁଡିଆ ଯୋଜନା ପ୍ରତ୍ୟାହାର କରାଯାଇଥିବା ଘୋଷଣା କରିଥିଲେ ଜିଲ୍ଲା ପ୍ରଶାସନ। ହେଲେ ଏବେ ଲଟେରୀ ମାଧ୍ୟମରେ ବିଶ୍ୱବିଖ୍ୟାତ ଧର୍ମସ୍ଥଳ ସ୍ୱର୍ଗଦ୍ୱାରରେ ୫ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦେଇଛି । ଏହାକୁ ତୀବ୍ର ବିରୋଧ କରି ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି । ପୁରୀ ପୂଜ୍ୟପୂଜା ସଂସଦ ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏଭଳି ଦୋମୁହାଁ ନୀତିକୁ ବିରୋଧ କରି ଗାନ୍ଧୀ ଘାଟଠାରେ ଜନସତ୍ୟାଗ୍ରହ କରାଯାଇଛି । ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ସଂସଦର ବହୁ ସଦସ୍ୟ ବସି ସରକାର ଓ ଜିଲ୍ଲା ପ୍ରଶାସନର ପଦକ୍ଷେପକୁ ସମାଲୋଚନା କରିଥିଲେ ।

ଏନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ଅନୁଷ୍ଠାନ ପକ୍ଷରୁ ଦିଆଯାଇଛି । ଅଭିଯୋଗ ହୋଇଛି ଯେ, ସ୍ୱର୍ଗଦ୍ୱାର ମଦୋଦଧିର ପବିତ୍ରତା ରକ୍ଷା ନିମନ୍ତେ ଆଳତି କରାଯାଉଥିବା ବେଳେ ସରକାର ସ୍ୱର୍ଗଦ୍ୱାର ଉନ୍ନତିକରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି । ହେଲେ ପ୍ରଶାସନ କୋଟି କୋଟି ହିନ୍ଦୁ ସନାତନ ଧର୍ମୀଙ୍କ ଏହି ଆସ୍ଥାସ୍ଥଳ ତଥା ଐତିହ୍ୟ, ଆଧ୍ୟାତ୍ମିକ ପରିବେଶକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରଯତ୍ନ ନ କରି ୫ ମଦ ଦୋକାନ ଖୋଲିବାକୁ ଲାଇସେନ୍ସ ଦେଇଛନ୍ତି । ଫଳରେ ଏହା ସ୍ୱର୍ଗଦ୍ୱାର, ଏହା ନିକଟ ମହୋଦଧି ଓ ବେଳାଭୂମିର ପବିତ୍ରତା ନଷ୍ଟ କରିବାର କାରଣ ହୋଇଛି । ରାଜସ୍ୱ ଆଦାୟ ନିମନ୍ତେ ଧାର୍ମିକ ସ୍ଥଳ ଚାରିପାଖରେ ମଦ, ମାଂସର ଦୋକାନ ଖୋଲାଯାଇଛି । ‘ପବିତ୍ର ପୁରୀ, ଗର୍ବ ଆମରି’ ନାରା ଦେଉଥିବା ପ୍ରଶାସନ ତୁରନ୍ତ ନିଜର ଭୁଲ ନିଷ୍ପତ୍ତିକୁ ତୁରନ୍ତ ପ୍ରତ୍ୟାହାର ଓ ମଦ ଦୋକାନଗୁଡ଼ିକୁ ବନ୍ଦ କରିବାକୁ ସଂସଦ ଦାବି କରିଛି ।

ସଂସଦର ସଭାପତି କୃଷ୍ଣ ଜଗଦେବଙ୍କ ନେତୃତ୍ୱରେ ସତ୍ୟାଗ୍ରହରେ ବିଧାୟକ ଜୟନ୍ତ ଷଡଙ୍ଗୀ, କାମାକ୍ଷା ପ୍ରଧାନ, ପ୍ରଭଞ୍ଜନ ମହାପାତ୍ର, ବିଶ୍ୱଜିତ୍‌ ବଡ଼ଜେନା, ଆଦିକନ୍ଦ ଶ୍ରୀଚନ୍ଦନ, ଭାସ୍କର ମିଶ୍ର, ହରିହର ମହାପାତ୍ର, ଲକ୍ଷ୍ମୀଧର ଜଗଦ୍ଦେବ ପ୍ରମୁଖ ସାମିଲ ହୋଇଥିଲେ । ସମସ୍ତେ ଗାନ୍ଧୀଘାଟରୁ ସତ୍ୟାଗ୍ରହ ଶୋଭାଯାତ୍ରରେ ବାହାରି ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ । ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ନିଷ୍ପତ୍ତି ପ୍ରତ୍ୟାହାର ନିମନ୍ତେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ଜଗଦ୍ଦେବ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.