ଓଡ଼ିଶା ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

Published By : Prameya-News7 Bureau | June 30, 2022 IST

ଢେଙ୍କାନାଳ ୩୦/୦୬ : ପାରମ୍ପରିକ ସାନ୍ତାଳୀ ଭାଷାକୁ ସ୍ୱୀକୃତି ସହ ୧୩ଦଫା ଦାବିରେ ଢେଙ୍କାନାଳରେ ଆଦିବାସୀ ମେଳି ହୋଇଛି। ଓଡ଼ିଶା ଆଦିବାସୀ ସାନ୍ତାଳୀ ସମ୍ପ୍ରଦାୟ ପକ୍ଷରୁ ଏହି ଦାବିରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ଏହି ଅବସରରେ  ୧୩ ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଆଦିବାସୀ ସାନ୍ତାଳୀମାନେ ଢେଙ୍କାନାଳ ସହରର ସ୍ଥାନୀୟ ହନୁମାନ ବାଟିକାରୁ ପାରମ୍ପରିକ ବେଶ ଭୁଷାରେ ସୁସଜ୍ଜିତ ହୋଇ ଧନୁତୀର ଧରି ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷମାନେ ପାରମ୍ପାରିକ ବାଦ୍ୟ ଓ ଗୀତର ତାଳେ ତାଳେ ନାଚିବା ସହିତ ପୁରୁଷମାନେ ସୁସଜିତ ହୋଇ ଧନୁତୀର ଧରି ଏହି ଶୋଭାଯାତ୍ରାରେ ଆସିଥିଲେ।

ସାନ୍ତାଳୀ ଭାଷାକୁ ସରକାରୀ ମାନ୍ୟତା ପ୍ରଦାନ, ଆଦିବାସୀମାନଙ୍କ ମୌଳିକ ଅଧିକାର, ଶିକ୍ଷାକ୍ଷେତ୍ରରେ ସାନ୍ତାଳୀ ଭାଷାକୁ ପ୍ରାଧାନ୍ୟ ଦେବା ସହିତ କେଜି ରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ସାନ୍ତାଳୀ ପାଠ୍ୟକ୍ରମ, ସମସ୍ତ ଆଶ୍ରମ ସ୍କୁଲଗୁଡିକରେ ସପ୍ତାହକୁ ଗୋଟିଏ ଦିନ ସାନ୍ତାଳୀ ପାଠ ପଢ଼ାଯାଉ, ସାନ୍ତାଳୀ ବସ୍ତିମାନଙ୍କର ମୁଖିଆମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରାଯାଉ ଇତ୍ୟାଦି ଦାବି କରାଯାଇଛି। ଏହାର ଲିଖିତ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଲ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦାବି ପୁରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ଚେତାବନୀ ଆଦିବାସୀ ମେଳିରେ ଭାଗ ନେଇଥିହା ସାନ୍ତାଳ ସମ୍ପ୍ରଦାୟର ଲୋକମାନେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.