ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ନୀଳଗିରି ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୁର୍ଣ୍ଣିମା ଅନୁଷ୍ଠିତ; ଗଜାନନ ବେଶରେ ଦର୍ଶନ ଦେଲେ ତିନି ଠାକୁର

14/06/2022 at 9:47 PM

ନୀଳଗିରି ୧୪/: ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତି ବିଜେ ସ୍ନାନ କରିଛନ୍ତି।ଗତକାଲି ଜଗନ୍ନାଥ ମନ୍ଦିରରେ ତିନିଠାକୁର ପାରମ୍ପରିକ ରୀତିନୀତିରେ ସିଂହାସନରୁ ଆସିବା ପରେ ୧୦୮ କଳସ ଅଧିବାସ ଓ ଚତୁର୍ଥୀ ହୋମ ପୂଜା ହୋଇଥିଲା। ଆଜି ସ୍ନାନପୁର୍ଣିମା ଅବସରରେ ସକାଳ ୫ ଟାରେ ସେନାପତାଲାଗି ନୀତି ପରେ ମଙ୍ଗଳାର୍ପଣ, ରାଜନୀତି ବନ୍ଦାପନା ନୀତି ହୋଇଥିଲା।

ନୀଳଗିରି ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ରାଜବାଟିରୁ ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରିବା ପରେ ଆଳତି କରିଥିଲେ।ଏହାପରେ  ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା କରି ସ୍ନାନ ମଣ୍ଡପକୁ ପାଛୋଟି ନେଇଥିଲେ। ପ୍ରଥମେ ସୁଦର୍ଶନ,ତାପରେ ବଳଭଦ୍ର ପରେ ଭଉଣୀ ସୁଭଦ୍ରା ସ୍ନାନ ମଣ୍ଡପକୁ ଯିବାପରେ ମହାପ୍ରଭୁ ଜଗନ୍ନାଥ ସାନମଣ୍ଡପକୁ ବିଜେ କରିଥିଲେ।ମଙ୍ଗଳ ଆଳତୀ, ଅବକାଶ, ସୂର୍ଯ୍ୟପୂଜା, ରୋଷହୋମ ପରେ ୧୦୮ ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମହାସ୍ନାନ କରାଯାଇଛି।

ଏହି ସୁବାସିତ ଜଳରେ ଶ୍ରୀପର୍ଣ୍ଣି ନାଗପର୍ଣ୍ଣି, ସଂଶ୍ଳିଷ୍ଟା, ପୁସିର, ମୁଥା, ଦେବଦାରୁ, କୃଷ୍ଣ ଅଗରୁ, ଗରଚନା, ହରିତାଳ, ବାହାଡ଼ା, ହରିଡା, ଅଁଳା, ବେଣା, ଜଟା ଆଦି ଚେରମୂଳ ମିଶାଯିବା ପରେ ଶ୍ରୀକର୍ପୁର, ଜାଇଫଳ, ଅଗରୁ, ଚୁଆ, ଚନ୍ଦନ ମଧ୍ୟ ସ୍ନାନ ପାଣିରେ ମିଶାଇ ସୁଗନ୍ଧିତ କରା ଯାଇଥିଲା।ସ୍ନାନ ପୂର୍ବରୁ ଅବକାଶ ନୀତି ପରେ ରୁପା ଓ ସୁନା ଜିଭ ଛେଲା ତିନିଠାକୁର ବ୍ୟବହାର କରିଥିଲେ।ବଳଦେବ ଜୀଉଙ୍କ ପାଇଁ ୩୫ କଳସ , ମହାପ୍ରଭୁ ଜଗନ୍ନାଥ ଙ୍କୁ ୩୩ କଳସ,ଭଉଣୀ ସୁଭଦ୍ରା ୨୨ କଳସ, ସୁଦର୍ଶନ ଙ୍କୁ ୧୮ କଳସ ସୁବାସିତ ପାଣିରେ ପୂଜକ ମାନେ ମନ୍ତ୍ର ଅରାଧନାରେ ସ୍ନାନ କରାଇଥିଲେ।

ସ୍ନାନ ପାଣି ନେବାକୁ ଭକ୍ତଙ୍କ ଗହଳି ଜମିଥିଲା। ଏହି ସ୍ନାନପାଣି ପାଇଲେ ରୋଗବ୍ୟାଧି ହୁଏନି ବୋଲି ବିଶ୍ୱାସ ରହିଛି। ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶ ମଇଲମ, ସକାଳ ଧୂପ ବେଶ ନୀତି ପରେ ଦିନ ୧ ଟା ସମୟରେ ଦୁଇ ଭାଇ ଗଜାନନ ବେଶ, ଭଉଣୀ ସୁଭଦ୍ରା କୁମାରୀ ବେଶରେ ଦର୍ଶକଙ୍କୁ ଦର୍ଶନ ଦେଇଥିଲେ। ସନ୍ଧ୍ୟା ଆଳତୀ ପରେ ରାତିରେ ଗୋଟି ପହଣ୍ଡି ହୋଇ ଚତୁର୍ଦ୍ଧାମୂର୍ତ୍ତି ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି। ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ରହିବେ। ଆସନ୍ତା କାଲିଠୁ ୫ ଦିନ ପର୍ଯ୍ୟନ୍ତ ଉପଚାର ନୀତି ହେବ।

ଗତ ୨ ବର୍ଷ ହେଲା କରୋନା କଟକଣା ପାଇଁ ହଜାର ହଜାର ଭକ୍ତ ଏହି  ଗଜାନନ ବେଶ ଦର୍ଶନରୁ ବଞ୍ଚିତ ଥିବା ବେଳେ ରଥଯାତ୍ରା ମଧ୍ୟ ହୋଇନଥିଲା।ତେବେ ଚଳିତବର୍ଷ କୋଭିଡ କଟକଣା କୋହଳ ହୋଇ ଥିବାରୁ ଆଜି ଭକ୍ତମାନେ ସ୍ନାନ ମଣ୍ଡପକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଥିଲେ।ଆଜିର ଏହି ଦୁର୍ଲଭ କାର୍ଯ୍ୟକ୍ରମକୁ ଠାକୁରମାହାଲ ର ନିର୍ବାହୀ ଅଧିକାରୀ ବିଷ୍ଣୁମୋହନ ଆଚାର୍ଯ୍ୟ ସୁଚାରୁରୂପେ ତୁଲାଇଥିବା ବେଳେ ମନ୍ଦିରର ସମସ୍ତ ପୂଜକ, ସେବକମାନେ ସହଯୋଗ କରିଥିଲେ।

   Related Posts