ପୂରଣ ହେଲାନି ଦାବି, ମୁମ୍ବାଇ ଅଭିମୁଖେ ୫ ହଜାର ଚାଷୀଙ୍କ ବିଶାଳ ପଦଯାତ୍ରା
15/03/2023 at 8:34 PM

ମୁମ୍ବାଇ: ଜଙ୍ଗଲ ଜମି ଅଧିକାର ଏବଂ କୃଷକ ସଂପର୍କିତ ପ୍ରସଙ୍ଗକୁ ନେଇ ମୁମ୍ବାଇ ଅଭିମୁଖେ ବିଶାଳ ପଦଯାତ୍ରାରେ ବାହାରିଛନ୍ତି ୫୦୦୦ କୃଷକ। ସୋମବାର ଦିନ ଆରମ୍ଭ ହୋଇଥିବା ଏହି ଯାତ୍ରା ଶୁକ୍ରବାର ରାତିରେ ମୁମ୍ଵାଇରେ ସରିବ ବୋଲି ଆଶା କରାଯାଉଛି। ଏହି ପଦ ଯାତ୍ରା ପାଖାପାଖି ୨୦୬ କିମି ହେବ।
ଏହା ପ୍ରଥମ ଘଟଣା ନୁହେଁ, ଯେଉଁଠି କୃଷକ ସଂଗଠନ ଦେଶର ଆର୍ଥିକ ରାଜଧାନୀ ଅଭିମୁଖେ ବିଶାଳ ପଦଯାତ୍ରା ବାହାର କରିଛନ୍ତି। ପାଞ୍ଚ ବର୍ଷ ପୂର୍ବେ ଠିକ୍ ସମାନ ଧରଣର ଶୋଭାଯାତ୍ରା କୃଷକ ସଂଗଠନ ବାହାର କରିଥିଲେ। ଆଉ ଚାଷୀଙ୍କ ଦାବି ପୂରଣ ହୋଇଥିବା କହିଥିଲେ ରାଜ୍ୟ ସରକାର। ହେଲେ କିଛି ଦାବି ପୂରଣ ହୋଇଥିବା ବେଳେ ଅନେକ ପୂରଣ ହୋଇନଥିଲା।
ବର୍ତ୍ତମାନ ଜାରି ରହିଥିବା ଶୋଭାଯାତ୍ରା ନାସିକରୁ ଆରମ୍ଭ ହୋଇଥିବା ବେଳେ ସମସ୍ତ ଚାଷୀ ଅହମ୍ମଦନଗର, ଧୁଲେ ଏବଂ ପାଲଘରରୁ ସର୍ବଭାରତୀୟ କିଷାନ ସଭାର ବ୍ୟାନରରେ ରାଲିରେ ସାମିଲ୍ ହୋଇଛନ୍ତି। ଏହି ଶୋଭାଯାତ୍ରାର ନେତୃତ୍ଵ ନେଇଛନ୍ତି ସଭାର ସାଧାରଣ ସଂପାଦକ ଅଜିତ୍ ନାଭଲେ। ସେ କହିଛନ୍ତି ୨୦୧୮ରେ ଆମର କିଛି ଦାବି ପୂରଣ ହୋଇଥିବା ବେଳେ ଆହୁରି ଅନେକ ଦାବି ଉପରେ ଆମକୁ ଉପେକ୍ଷା କରାଯାଇଛି।
ପାଞ୍ଚ ବର୍ଷ ତଳେ ହୋଇଥିବା ବିଶାଳ ଶୋଭାଯାତ୍ରା ପରେ ସରକାରଙ୍କୁ ଋଣ ଛାଡ ନୀତି ଆଣିବାକୁ ପଡିଥିଲା। ତଥାପି ଚାଷୀଙ୍କ ଅନେକ ସମସ୍ୟା ଏବଂ ପ୍ରସଙ୍ଗ ଉପରେ ଏବେ ମଧ୍ୟ ସମାଧାନ ହୋଇପାରି ନାହିଁ। ପିଆଜ ଚାଷୀଙ୍କ ପାଇଁ କ୍ଵିଣ୍ଟାଲ ପିଛା ୩୦୦ ଟଙ୍କାର ରିଲିଫ ସବସିଡି ଦିଆଯିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ଆମର ଦାବି ରିଲିଫ ସବସିଡି ୬୦୦ ଟଙ୍କା କରାଯାଉ। ହେଲେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇ ଏ ପର୍ଯ୍ୟନ୍ତ ତାହା ପୂରଣ କରି ନାହାନ୍ତି। ଏବେ ନିଜର ହକ୍ ଏବଂ ନ୍ୟାୟ ପାଇଁ କୃଷକ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ନାଭଲେ କହିଛନ୍ତି।
କୃଷକଙ୍କ ଦ୍ଵାରା ଉତଥାପିତ ଆଉ ଏକ ପ୍ରସଙ୍ଗ ହେଉଛି ଜଙ୍ଗଲ ଜମି ଅଧିକାର। କୃଷକ କହିଛନ୍ତି ଯେ, ଜଙ୍ଗଲ ଜମି ପାଇଥିବା କୃଷକମାନଙ୍କୁ ଏ ପର୍ଯ୍ୟନ୍ତ ଜମି ଉପରେ ଅଧିକାର ମିଳିନାହିଁ। ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ କାର୍ଯ୍ୟରେ କିଛି ପରିଣତ ହୋଇ ନାହିଁ। ଫ୍ରା ଆଧାରରେ ଜମିର ରେକର୍ଡ ପ୍ରସ୍ତୁତ ହୋଇଥିଲେ ହେଁ ଏହା ଉପରେ ଅନେକ ବିସଙ୍ଗତି ରହିଛି। ଜଙ୍ଗଲ ଅଧିକାର ଆଇନକୁ ମଞ୍ଜୁରୀ ଦେବାର ୧୮ ବର୍ଷ ବିତିଥିଲେ ସୁଦ୍ଧା ଏ ଯାଏଁ କୃଷକଙ୍କୁ ନିଜର ଅଧିକାର ମିଳି ପାରିନାହିଁ।
କୃଷକମାନେ ମୁମ୍ବାଇ ଅଭିମୁଖେ ସେହି ସମୟରେ ବାହାରିଛନ୍ତି ଯେତେବେଳେ ବିଧାସନଭା ଅଧିବେଶନ ଚାଲିଛି। ସିନ୍ଧେ-ଫଡଣବିସ୍ ସରକାର ଆଲୋଚନା ମାଧ୍ୟମରେ କୃଷକଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ରାଜ୍ୟ ସରକାର ମଙ୍ଗଳବାର ଚାଷୀଙ୍କ ସହ ବୈଠକ ଧାର୍ଯ୍ୟ କରିଥିଲେ। କିନ୍ତୁ କୃଷକ ସଂଗଠନ ଏଥିରେ ଯୋଗ ଦେଇନଥିଲେ। କୃଷକଙ୍କ ଦାବି ସରକାର ଶୋଭାଯାତ୍ରା ସ୍ଥଳକୁ ଆସନ୍ତୁ ଏବଂ ଆମ ସହ ଆଲୋଚନା କରନ୍ତୁ।
ଏହି କ୍ରମରେ ମହାରାଷ୍ଟ୍ର ସରକାରର ଦୁଇ ମନ୍ତ୍ରୀ ଦାଦା ଭୁସେ ଏବଂ ଅତୁଲ୍ ସେଭ ଚାଷୀଙ୍କ ନିକଟକୁ ଯାଇ ସେମାନଙ୍କ ସହ ଆଲୋଚନା କରିବେ। ଅନ୍ୟପକ୍ଷେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୃଷକ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଏହା ଦୁର୍ଭାଗ୍ୟପୂର୍ଣ୍ଣ ଯେ, ଅନ୍ନଦାତା ଏତେ ବାଟ ଚାଲି ଚାଲି ଆସୁଛନ୍ତି। ସରକାର ତୁରନ୍ତ ଯାଇ ସେମାନଙ୍କୁ ସାକ୍ଷାତ କରିବା ଉଚିତ୍। ସେମାନଙ୍କର ସମସ୍ୟା ବୁଝିବା ଉଚିତ୍ ବୋଲି ଠାକରେ କହିଛନ୍ତି।