ଦୁଇ ହଜାର ଟଙ୍କିଆ ନୋଟ୍ ଫେରସ୍ତ କରିବାକୁ ଆଉ ମାତ୍ର ୪ ଦିନ ବାକି,ଏବେ ବି ଫେରିନି ୨୪ ହଜାର କୋଟି
26/09/2023 at 10:23 PM

ନୂଆଦିଲ୍ଲୀ: ଯଦି ଆପଣଙ୍କ ପାଖରେ ୨ ହଜାର ଟଙ୍କିଆ ନୋଟ୍ ରହିଯାଇଛି ତେବେ ତୁରନ୍ତ ଯାଇ ବ୍ୟାଙ୍କରେ ଡିପୋଜିଟ୍ କରନ୍ତୁ । କାରଣ ଆଉ ମାତ୍ର ୪ ଦିନ ପରେ ନୋଟ୍ ଫେରାଇବାର ଧାର୍ଯ୍ୟ ସମୟ ସରିଯିବ। ନୋଟ୍ ଫେରାଇ ନ ପାରିଲେ ଶେଷରେ ଆପଣଙ୍କୁ ପସ୍ତେଇବାକୁ ପଡ଼ିବ। ରିପୋର୍ଟ ଅନୁସାରେ, ଏପର୍ଯ୍ୟନ୍ତ ୨୪,୦୦୦ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ଫେରିପାରି ନାହିଁ। ଏହିସବୁ ଟଙ୍କା ସାଧାରଣ ଲୋକଙ୍କ ପାଖରେ ପଡ଼ି ରହିଛି।
ମେ ୧୯ ତାରିଖ ୨୦୨୩ରେ ଭାରତୀୟ ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା। ଆରବିଆଇର ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ, ୩.୬୨ ଲକ୍ଷ କୋଟି ଟଙ୍କାର ୨୦୦୦ ନୋଟ୍ ପ୍ରଚଳନରେ ରହିଥିଲା, ଯାହା ୧୯ ମେ ୨୦୨୩ ବେଳକୁ ୩.୫୬ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଥିଲା।
୧ ସେପ୍ଟେମ୍ବର, ତାରିଖରେ ୨ ହଜାର ଟଙ୍କିଆ ନୋଟ୍ର ଫେରସ୍ତ ନେଇ ସୂଚନା ଦେଇଥିଲା ଆର୍ବିଆଇ। ସେତେବେଳେ ୩.୩୨ ଲକ୍ଷ କୋଟି ଟଙ୍କାର ୨୦୦୦ ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଥିଲା। ଅର୍ଥାତ୍ ପ୍ରଚାରରେ ଥିବା ମୋଟ ନୋଟରୁ ୯୩ ପ୍ରତିଶତ ବ୍ୟାଙ୍କିଙ୍ଗ୍ ସିଷ୍ଟମକୁ ଫେରି ଆସିଛି। ହେଲେ ଏବେ ବି ୭ ପ୍ରତିଶତ ଅର୍ଥାତ୍ ୨୪,୦୦୦ କୋଟି ଟଙ୍କା ଫେରି ପାରି ନାହିଁ।

୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରିବା ସମୟରେ ଆରବିଆଇ କହିଥିଲା ଯେ ୨୦୨୩ ସେପ୍ଟେମ୍ବର ୩୦ ପରେ ମଧ୍ୟ ୨ ହଜାର ଟଙ୍କିଆ ନୋଟ୍ ଲିଗାଲ ଟେଣ୍ଡର ରହିବ। କିନ୍ତୁ ସେପ୍ଟେମ୍ବର ୩୦ ପରେ ବ୍ୟାଙ୍କ ବିନିମୟ ଓ ଜମା ପାଇଁ ୨୦୦୦ ଟଙ୍କା ନୋଟ୍ ଗ୍ରହଣ କରାଯିବ କି ନାହିଁ ତାହା ଆରବିଆଇ ସ୍ପଷ୍ଟ କରି ନାହିଁ।
ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ପାଖରେ ଥିବା ୨୦୦୦ ଟଙ୍କା ନୋଟ୍ ବ୍ୟାଙ୍କରେ ଏକ୍ସଚେଞ୍ଜ କିମ୍ବା ଜମା କରିବାକୁ ଆର୍ବିଆଇ ସାଧାରଣ ଲୋକଙ୍କୁ ବାରମ୍ବାର ନିବେଦନ କରିଛି। ତେଣୁ ଯେଉଁମାନେ ନିର୍ଦ୍ଧାରିତ ସମୟରେ ନୋଟ୍ ନ ଫେରାଇବେ ସେମାନଙ୍କର ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଯଦି ଆପଣଙ୍କ ପାଖରେ ଏହି ନୋଟ୍ ଅଛି ତୁରନ୍ତ ବ୍ୟାଙ୍କ ଯାଇ ଏକ୍ସଚେଞ୍ଜ କିମ୍ବା ଡିପୋଜିଟ୍ କରି ଦିଅନ୍ତୁ।
ପଢ଼ନ୍ତୁ-ବିନା ପ୍ରମାଣପତ୍ରରେ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ୍; SBI ଜାରି କଲା ସର୍କୁଲାର୍