ନବରଙ୍ଗପୁର୨/୧୨: ଅଲଗା ଜାତିର ଝିଅକୁ ପ୍ରେମ କରି ବିବାହ କରିବା ପଡିଲା ମହଙ୍ଗା। ଦୁହେଁ ଦୁହିଁଙ୍କୁ ଭଲପାଇ ବାହା ହୋଇଥିଲେ। ସମାଜ ସଂସାର ବସିବା ପୂର୍ବରୁ ଦୁହିଁଙ୍କୁ ଅଲଗା କରିଦେଲା ନିଷ୍ଠୁର ସମାଜ। ପୁଣି ୫୦ ହଜାର ଟଙ୍କା ଜରିମାନା ଦେବାକୁ ବି କହିଲେ। ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ଅନର୍ଗତ କାଡେଙ୍ଗା ଗ୍ରାମର ଲୁକୁ କଲାରଙ୍କ ପୁଅ ପ୍ରତାପ କଲାର, ସେହି ଗାଁ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ।
wp:html /wp:htmlପାଖାପାଖି ୬ ବର୍ଷ ଭଲ ପାଇବା ପରେ ପ୍ରତାପ ଜନୈକ ଯୁବତୀଙ୍କୁ ଧରି କୁଆଡ଼େ ଚାଲି ଯାଇଥିଲେ। ୬ ବର୍ଷର ପ୍ରେମକୁ ବିବାହ ବନ୍ଧନରେ ବାନ୍ଧିବାକୁ ଦୁହେଁ ନିଷ୍ପତ୍ତି ନେଇଥିଲେ। ଚଳିତ ବର୍ଷ ଜୁନ ୨୭ ତାରିଖ ଦିନ ଛତିଶଗଡ଼ ରାଜ୍ୟର କୋଣ୍ଡାଗାଁରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ପରବର୍ତ୍ତୀ ସମୟରେ ସେହି ଗାଁର ଏକ ଶିବ ମନ୍ଦିରରେ ହିନ୍ଦୁ ରୀତି-ନୀତି ଅନୁସାରେ ମଧ୍ୟ ଦୁହିଁଙ୍କ ବାହାଘର ସମ୍ପନ୍ନ ହୋଇଥିଲା। ଜୁଲାଇ ୪ ତାରିଖ ଦିନ ଯେତେବେଳେ ସେମାନେ ଗାଁରେ ପହଞ୍ଚିଲେ ପ୍ରତାପଙ୍କ ଘର ଲୋକ ଦୁହିଁଙ୍କ ବିବାହକୁ ସ୍ୱୀକାର କରିଥିଲେ। ଯୁବତୀଙ୍କ ପରିବାର ଲୋକେ ମଧ୍ୟ ଏହି ବାହାଘରକୁ ସ୍ବୀକାର କରିନଥିଲେ। ସ୍ବାମୀ-ସ୍ତ୍ରୀଙ୍କୁ ଧରି ଗାଁ ଲୋକେ ନିିସ୍ତୁକ ମାଡ ମାରିଥିଲେ। ଏପରି କି ଯୁବତୀଙ୍କୁ ତାଙ୍କ ଘର ଲୋକ ନେଇଯାଇଥିଲେ। ଏ ନେଇ ପ୍ରତାପ ରାଇଘର ଥାନାରେ ଅଭିଯୋଗ କରିଥିଲେ। ପୋଲିସ୍ ବୁଝାସୁଝା କରି ଯୁବତୀଙ୍କୁ ପ୍ରତାପଙ୍କ ପାଖରେ ଛାଡି ଯାଇଥିଲେ।
ରାଇଘର ବ୍ଲକ ହାଟଭରଣ୍ଡି ଗାଁରେ ଗଣ୍ଡ ସମାଜ ପକ୍ଷରୁ କଙ୍ଗାରୁ କୋର୍ଟ ଅନୁଷ୍ଠିତ ହୋଇଥିଲା ଓ ଏହି କଙ୍ଗାରୁ କୋର୍ଟରେ ଉପସ୍ଥିତ ରହିବା ପାଇଁ ପ୍ରତାପର ପରିବାରକୁ ନୋଟିସ ମଧ୍ୟ କରାଯାଇଥିଲା। ପ୍ରତାପ ଓ ତା ପରିବାର କଙ୍ଗାରୁ କୋର୍ଟରେ ଉପସ୍ଥିତ ରହିଥିଲେ। ସେଠାରେ ଗଣ୍ଡ ସମାଜର ନିଷ୍ପତ୍ତି ପ୍ରକାରେ ପ୍ରତାପ ଠାରୁ ତାଙ୍କ ସ୍ତ୍ରୀଙ୍କୁ ଆଉଥରେ ଅଲଗା କରି ଦିଆଗଲା। ଏଥିସହ ଗଣ୍ଡ ସମାଜର ଝିଅକୁ ନେଇଥିବାରୁ ୨୫ ହଜାର ଟଙ୍କା ଓ ଥାନାରେ କେଶ କରିଥିବାରୁ ୨୫ ହଜାର ଟଙ୍କା, ଏହିଭଳି ମୋଟ୍ ୫୦ ହଜାର ଟଙ୍କା ଜରିମାନା ତୁରନ୍ତ ଦେବା ପାଇଁ ପ୍ରତାପକୁ କହିଥିଲା । ଏହି ଜରିମାନା ଦେବାରେ ଯଦି ପ୍ରତାପ ଖିଲାଫ କରେ ତାହେଲେ ପ୍ରତାପଙ୍କ ପରିବାରକୁ ଜୀବନରେ ମାରି ଦିଆଯିବ ଏବଂ ଘର ଦ୍ୱାର ସବୁ ନିଆଁ ଲଗାଇ ପୋଡି ପାଉଁଶ କରି ଦିଆଯିବ ବୋଲି ଗଣ୍ଡ ସମାଜର ବଡ଼ ପଣ୍ଡାମାନେ ପ୍ରତାପଙ୍କ ପରିବାରକୁ ଧମକ ଦେଇଥିଲେ।
ଏଥିରେ ଭୟଭୀତ ହୋଇ ପ୍ରତାପଙ୍କ ପରିବାର ଲୋକ ବର୍ଷ ତମାମ ସଞ୍ଚୟ କରିଥିବା ୩୨ ହଜାର ଟଙ୍କା ଗଣ୍ଡ ସମାଜକୁ ଦେଇ ଅବଶିଷ୍ଟ ୧୮ ହଜାର ଟଙ୍କା ପଇଠ ପାଇଁ ସମୟ ମାଗିଥିଲେ। ୨୦୨୧ ମସିହା ଏପ୍ରିଲ ମାସ ମଧ୍ୟରେ ଅବଶିଷ୍ଟ ଟଙ୍କା ଦେବାପାଇଁ ଗଣ୍ଡ ସମାଜ ପ୍ରତାପଙ୍କୁ ସମୟ ଦେଇଥିଲା। ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ଗଣ୍ଡ ସମାଜକୁ ଦେବାକୁ ଥିବା ୧୮ ହଜାର ଟଙ୍କା ଜରିମାନା ରାଶି ଯୋଗାଡ଼ କରିବା ପାଇଁ ପଡୋଶୀ ରାଜ୍ୟ ଛତିଶଗଡ଼କୁ ଯାଇ କୁଲି, ମଜୁରୀ କରୁଛି ପ୍ରତାପ। ସମାଜ, ସ୍ୱାମୀ ଠାରୁ ସ୍ତ୍ରୀକୁ ବି ଛଡାଇ ନେଲା ଏବଂ ଜରିମାନା ବି ଆଦାୟ କଲା। ଏବେ ପ୍ରତାପ ମାନସିକ ଚିନ୍ତାଗ୍ରସ୍ତ ଅବସ୍ଥାରେ ରହିଛି।
ପ୍ରତାପ ଓ ତାଙ୍କ ଗରୀବ ପରିବାର ଅବଶିଷ୍ଟ ଜରିମାନା ରାଶି କେମିତି ସୁଝିବେ ଏନେଇ ପରିବାର ଲୋକଙ୍କ ରାତିର ନିଦ ହଜି ଯାଇଛି। ଦୀର୍ଘ ୩ ରୁ ୪ ମାସ ହେବ ସ୍ତ୍ରୀ ସହ ଦେଖା ହେବାତ ଦୂରର କଥା କଥା ପଦେ ବି ହୋଇ ପାରୁନାହାନ୍ତି ପ୍ରତାପ। ଏବେ ମୋ ସ୍ତ୍ରୀକୁ ଫେରାଇ ଦିଅ ବୋଲି ସରକାରୀଙ୍କ ନିକଟରେ ଦାବି କରିଛନ୍ତି ପ୍ରତାପ। ଏ ସମ୍ପର୍କରେ ଉମରକୋଟ ଏସଡିପିଓଙ୍କୁ ପଚାରା ଯାଇଥିଲା। ସେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।