ମୋହନା: କେତେବେଳେ ଗୋରୁଚାଲାଣ କେତେବେଳେ ଗୋମାଂସ ଚାଲାଣ । ବାରମ୍ବାର ରାଜ୍ୟର ବିଭିନ୍ନ ଭାଗରୁ ଏଭଳି ଘଟଣାର ଚିତ୍ରମାନ ସାମ୍ନାକୁ ଆସିଛି। ତେବେ ଆଜି ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଗୋରୁଚାଲାଣକାରୀ। ଗଜପତିରେ ପତାକା ଉତ୍ତୋଳନ କରି ଫେରୁଥିବା ବେଳେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଦୃଷ୍ଟିକୁ ଆସିଥିଲା ଗୋଚାଲାଣ ।
ରାସ୍ତା କଡ଼ରେ ଶତାଧିକ ଗୋରୁ। ଘେରି ରହିଛନ୍ତି ଲୋକ। ଉପସ୍ଥିତ ଅଛନ୍ତି ଜିଲ୍ଲାପାଳ। ପରିବହନ ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଛନ୍ତି ଗୋଚାଲାଣକାରୀ। ତୁରନ୍ତ ଆକ୍ସନ ମୋଡ଼କୁ ଆସିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏକଦା ଗୋ ସଂପଦ ସୁରକ୍ଷା ପାଇଁ ନିଜେ ଆନ୍ଦୋଳନ କରୁଥିଲେ। ଏବେ ତାଙ୍କ ସାମ୍ନାରେ ଗୋ ଚାଲାଣ ଦେଖି ସହିବେ ବା କେମିତି । ନିଜେ ଅଟକିଥିଲେ ଆଉ ଗୋ ଚାଲାଣକାରୀଙ୍କୁ ଅଟକାଇଥିଲେ। ପଚାରିଥିଲେ ପ୍ରଶ୍ନ- କେଉଁଠୁ ଆଣିଲ, କୁଆଡ଼େ ନେଉଛ। ସଂପୃକ୍ତ ବ୍ୟକ୍ତି କହିଥିଲା ଗାଈ ହାଟରୁ କିଣିଛୁ। ହେଲେ ଷଣ୍ଢ କଣ ହାଟରେ ମିଳୁଛନ୍ତି ବୋଲି ମନ୍ତ୍ରୀ ପ୍ରଶ୍ନ କରିଥିଲେ। ଯାହାର କୌଣସି ଉତ୍ତର ନ ମିଳିବାରୁ ସେହି ଗୋରୁଙ୍କୁ ଅଟକାଇଥିଲେ।
ସ୍ଥାନୀୟ ଲୋକଙ୍କୁ ଗୋରୁଙ୍କ ଥଇଥାନ ଦାୟିତ୍ବ ଦେଇଥିଲେ। ଏବଂ ଜିଲ୍ଲାପାଳଙ୍କୁ ଗୋ ସଂପଦ ସୁରକ୍ଷା ପାଇଁ ବନ୍ଦୋବସ୍ଥ କରିବା ଲାଗି ମଧ୍ୟ କହିଥିଲେ। କଥା ହେଉଛି ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ପତାକା ଉତ୍ତୋଳନ ପାଇଁ ଯାଇଥିଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଫେରିବା ବେଳେ ଆର. ଉଦୟଗିରି ଥାନା ବୁଡ଼ିଶୀଳ ଘାଟିରେ ଶତାଧିକ ଗାଈଗୋରୁଙ୍କୁ ରାସ୍ତାରେ ଚଲାଇ ଚଳାଇ ଗୋରୁ ଚାଲାଣକାରିମାନେ ନେଉଥିବା ଦେଖି ଅଟକିଥିଲେ ମନ୍ତ୍ରୀ। ଜିଲ୍ଲାପାଳ ମଧ୍ୟ ଥିଲେ। ସେଠାରେ ସେ ଗୋଚାଲାଣକାରୀଙ୍କ ଉଦ୍ୟମକୁ ପଣ୍ଡ କରିବା ସହ ଗାଈଗୋରୁଙ୍କ ଥଇଥାନର ବନ୍ଦୋବସ୍ତ କରିଥିଲେ।
ଓଡ଼ିଶାରୁ ଶହ ଶହ ଗୋରୁ ଚାଲାଣ ହେଉଛନ୍ତି। କେତେବେଳେ ଟ୍ରକରେ, କେତେବେଳେ ବସରେ ଆଉ ଅନେକ ସ୍ଥାନରେ ଗାଈଗୋରୁଙ୍କୁ ଚଲେଇ ଚଲେଇ ଚାଲାଣ କରାଯାଉଛି। ଏଭଳି ଗୋଚାଲାଣକାରୀଙ୍କୁ ସ୍ଥାନଲୋକେ ବହୁବାର ଅଟକାଇଛନ୍ତି। କିନ୍ତୁ ଏଥର ସିଧା ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଆଉ ମନ୍ତ୍ରୀ ନେଇଥିଲେ ଆକ୍ସନ। ଯାହାକୁ ସ୍ଥାନୀୟ ଲୋକେ ଖୁବ ପ୍ରଶଂସା କରିଛନ୍ତି।
ରାଜ୍ୟରେ ଗୋ ଚାଲାଣକାରୀଙ୍କ ବିରୋଧରେ ଆକ୍ସନମୋଡ଼ରେ ଅଛନ୍ତି ମୋହନ ସରକାର। ଓଡ଼ିଶାରୁ ହେଉଥିବା ଶହ ଶହ ଗୋରୁ ଚାଲାଣ ରୋକିବା ଉପରେ ଗୁରୁତ୍ବ ଦେଉଛନ୍ତି। ଆଉ ଏ ଦିଗରେ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ପଦକ୍ଷେପ ପୂରା ଗଜପତିରେ ଚର୍ଚ୍ଚାର ବିଷୟ ହୋଇଛି।