ହତ୍ୟା ଅପରାଧିକୁ ଆଜୀବନ କାରାଦଣ୍ଡ ଦେଲେ କୋର୍ଟ
27/12/2022 at 11:05 PM

ବାରିପଦା ୨୭/୧୨: ମୟୂରଭଞ୍ଜ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଦେଇଛନ୍ତି। ଏହାସହିତ ୫ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ଜୋରିମାନା ଅନାଦେୟ ହେଲେ ୬ମାସ କାରାଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କହିଛନ୍ତି। ଅଭିଯୁକ୍ତର ପରିଚୟ ତନ୍ତ ଟୁଡୁ (ନର)। ସେ ଝାରପୋଖରୀଆ ଥାନା ଅନ୍ତର୍ଗତ ଜାରକି ଗାଁର ବାସିନ୍ଦା।
ଅଭିଯୋଗ ଅନୁସାରେ ଜମି ବିବାଦକୁ କେନ୍ଦ୍ର କରି ୨୦୧୯ ଜାନୁଆରୀ ୨୮ରେ ନର ତା ସମ୍ପର୍କୀୟ ଭାଇ ଦୁଲାଲ ସହ ଯୁକ୍ତିତର୍କ କରିଥିଲା। ଯାହାକୁ ନେଇ ନର ଉତ୍ୟକ୍ତ ହୋଇ ଏକ କଟୁରିରେ ଦୁଲାଲକୁ ଆକ୍ରମଣ କରିଥିଲା। ଫଳରେ ଦୁଲାଲର ଘଟଣାସ୍ଥଳରେ ମୃତ୍ୟ ହୋଇଥିଲା। ଏନେଇ ଖବର ପାଇ ଦୁଲାଲଙ୍କ ଝିଅ ନାଗି ମାଝୀ ଝାରପୋଖରୀଆ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୋଗ ନମ୍ବର ୧୦/୨୦୧୯ ମୂଳେ ହତ୍ୟା ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଥିଲେ। ଅଭିଯୁକ୍ତ ତନ୍ତିକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର ବେଳେ ସାକ୍ଷୀଙ୍କ ବୟାନ, ତଦନ୍ତ ଓ ଡାକ୍ତରୀ ରିପୋର୍ଟକୁ ଭିତ୍ତି କରି ବିଚାରପତି ଏହି ରାୟ ଦେଇଛନ୍ତି।ଏହି ମାମଲାକୁ ଜିଲ୍ଲା ଦୌରା ବିଚାରପତି ଅଦାଲତର ସରକାରୀ ଓକିଲ ସସ୍ମିତା ମହାପାତ୍ର ପରିଚାଳନା କରୁଥିଲେ।