ମହଙ୍ଗା ପଡ଼ିଲା ସ୍ତ୍ରୀକୁ ହତ୍ୟା; ଆଜୀବନ କାରାଦଣ୍ଡ ରାୟ ଦେଲେ କୋର୍ଟ

Published By : Prameya-News7 Bureau | November 22, 2022 IST

ଭଦ୍ରକ ୨୨/୧୧: ଏକ ହତ୍ୟା ମାମଲାରେ ଭଦ୍ରକ ଜିଲ୍ଲା ଦୌରା ଜଜ୍‌ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି। ଅଭିଯୁକ୍ତଙ୍କ ପରିଚୟ  ମଧୂସୁଦନ ବେହେରା (୪୫)। ସେ ବାସୁଦେବପୁର ଥାନା ଅନ୍ତର୍ଗତ ବିଷ୍ଣୁବିନ୍ଧା ଗାଁର ବାସିନ୍ଦା। ଅଦାଲତ ତାଙ୍କୁ ପିଙ୍ଗଳ କୋଡ୍‌ର ଦଫା ୩୦୨ରେ ଆଜୀବନ କାରାଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ, ୪୯୮(କ)ରେ ୩ ବର୍ଷ କାରାଦଣ୍ଡ ଓ ୩ ହଜାର ଟଙ୍କା ଓ ଅନାଦେୟ ରେ ଅଧିକ ୩ ମାସ କାରଦଣ୍ଡ ଭୋଗିବାକୁ  ପଡ଼ିବ ବୋଲି କୁହାଯାଇଛି। ଆଇନ ଅନୁସାରେ ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇଥିବାରୁ ଅଭିଯୁକ୍ତ ଆଜୀବନ କାରାଦଣ୍ଡ ଭୋଗିବେ।

ଖବର ଅନୁସାରେ, ମଧୂସୁଦନ ସିମୁଳିଆ ଥାନା ଅନ୍ତର୍ଗତ ଘଇଁସିବାଟି ଗାଁର ପଞ୍ଚାନନ ଲେଙ୍କାଙ୍କ କନ୍ୟା ଖୁଲାଣାକୁ ବିବାହ କରିଥିଲେ। ପରେ ତାଙ୍କର ୨ଟି ପିଲା ହୋଇଥିଲେ। ମଧୁସୂଦନ ତାଙ୍କ ସ୍ତ୍ରୀଙ୍କୁ ଅଧିକ ଯୌତୁକ ଦାବି କରିବା ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା। ୨୦୧୬ ଫେବୃଆରି ୧୨ ରାତିରେ ସ୍ତ୍ରୀ ନିଜ ଘରେ ଶୋଇଥିବା ବେଳେ ସ୍ବାମୀ ମଧୂସୁଦନ ଖୁଲଣାଙ୍କୁ ଧାରୁଆ ମାରଣାସ୍ତ୍ରରେ  ଆକ୍ରମଣ କରି ହତ୍ୟା କରିଥିଲେ। ଏନେଇ ଖୁଲଣାଙ୍କ ଭାଇ ମନ୍ମଥ ଫେବୃଆରୀ ୧୩ରେ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସେହି ଅଭିଯୋଗ ଆଧାରରେ ବାସୁଦେବପୁର ଥାନା ପୋଲିସ ଅଭିଯୋଗ ନଂ-୪୨/୧୬ ଦଫା-୪୯୮(କ),୩୦୨,୪୦୬ ମୂଳେ ଏକ ମାମଲା ରୁଜୁ କରିବା ସହ ମଧୂସୂଦନକୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ମଧୂସୂଦନ ବିଚାରାଧୀନ କଏଦି ଭାବେ କାରାଗାରରେ ଥିବା ବେଳେ ୨ ପୁଅ ତାଙ୍କ ବିରୋଧରେ ସାକ୍ଷୀ ଦେଇଥିଲେ। ଏହି ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶି ସାକ୍ଷୀନ ଥିଲେ ମଧ୍ୟ ପାରିପାର୍ଶ୍ୱିକ ସାକ୍ଷିମାନଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ମଧୂସୁଦନକୁ  ଏପରି ଦଣ୍ଡ ବିଧାନ କରାଯାଇଛି। ଏହି  ମାମଲାକୁ ଅଭିଯୋଗକାରୀଙ୍କ ତରଫରୁ ସରକାରି ଓକିଲ ପ୍ରଦୀପ ସାମଲ, ଅରୁଣ କୁମାର ମିଶ୍ର, ସୂର୍ଯ୍ୟକାନ୍ତ କୁଅଁର ପରିଚାଳନା କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.