୧୦ ବର୍ଷ ହେବ ହନିମୁନ୍‌ ଟ୍ରିପ୍‌ରେ ଅଛନ୍ତି ଦମ୍ପତି, ବୁଲି ସାରିଲେଣି ୬୪ ଦେଶ

Published By : Prameya-News7 Bureau | August 08, 2022 IST

ନୂଆଦିଲ୍ଲୀ ୦୮।୦୮: ସାଧାରଣତଃ ଲୋକମାନେ ବିବାହ ପରେ ହନିମୁନ୍ ଟ୍ରିପ୍ରେ ଯାଆନ୍ତି। ଯାହା କିଛି ଦିନ, କିଛି ସପ୍ତାହ କିମ୍ବା ଅତି ବେଶୀରେ ମାସଟିଏ ଧରି ଚାଲିଥାଏ । କିନ୍ତୁ ଆମେରିକା ନ୍ୟୁୟର୍କର ଏକ ଦମ୍ପତି ଆନ୍ନି ଓ ମାଇକ୍‌ଙ୍କ ହନିମୁନ୍ ଟ୍ରିପ୍ ଦୀର୍ଘ ସାଢ଼େ ଦଶ ବର୍ଷ ହେଲା ଚାଲିଛି । ସେମାନେ ବର୍ତ୍ତମାନ ୬୪ଟି ଦେଶ ବୁଲି ସାରିଲେଣି। ଉଭୟ ମିଶି ଦୁଇଟି ପୁସ୍ତକ ‘ଅଲଟିମେଟ୍ ଜର୍ଣ୍ଣିସ୍ ଫର ଟୁ’ ଏବଂ ‘କମ୍ଫୋର୍ଟେବଲି ୱାଇଲ୍ଡ: ଦ ବେଷ୍ଟ ଗ୍ଲାମ୍ପିଂ ଡେଷ୍ଟିନେସନ୍ସ ଇନ୍ ନର୍ଥ ଆମେରିକା’ ରଚନା କରିଛନ୍ତି । ଏବେ ସେମାନେ ଭାରତର କେରଳରେ ଅଛନ୍ତି । କେରଳରେ ଅଢ଼େଇ ସପ୍ତାହ ରହିବା ପରେ ଗୋଆ, ବମ୍ବେ ଦେଇ କ୍ରୋଏସିଆ ଯିବେ ।

୪୫ ବର୍ଷୀୟ ମାଇକ୍ ନ୍ୟୁଜର୍ସିର ହୋବୋକେନ୍‌ରେ ଭଲିବଲ୍ ଖେଳୁଥିବା ସମୟରେ ତାଙ୍କର ଭାବି ପତ୍ନୀ ଆନ୍ନିଙ୍କ ସହିତ ସଂପର୍କ ହୋଇଥିଲା । ୨୦୧୨ରେ ସେମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏହାପରେ ନିଜର ହନିମୁନ୍ ଟ୍ରିପ୍‌କୁ ସାଧ୍ୟମତେ ବିସ୍ତାର କରିବାକୁ ଟାର୍ଗେଟ୍ ନେଇଥିଲେ । ବିଭିନ୍ନ ୟୁରୋପୀୟ ଦେଶ, ଉତ୍ତର ଓ ଦକ୍ଷିଣ ଆମେରିକୀୟ ଦେଶ ବୁଲିସାରି ଭୁଟାନ୍ ରାସ୍ତା ଦେଇ ସେମାନେ ଭାରତ ଆସିଛନ୍ତି । ଏ ସଂପର୍କରେ ଆନ୍ନି କହିଛନ୍ତି, ଭ୍ରମଣ ସମୟରେ ଆମେ କୌଣସି ଯୋଜନା କରିନଥାଉ । ନିଜକୁ ସବୁପ୍ରକାର ଅପ୍ରୀତିକର ପରିସ୍ଥିତି ଲାଗି ପ୍ରସ୍ତୁତ ରଖୁ । ଏହି ମନ୍ତ୍ର ଆମକୁ ଖୁବ୍ ସହାୟକ ହୋଇଛି । ଆମେ ଗସ୍ତ ସମୟରେ ସ୍ଥାନୀୟ ବସ୍‌ରେ ଯାତ୍ରା କରିବା, ସ୍ଥାନୀୟ ଢାବାରେ ଖାଦ୍ୟ ଖାଇବା ଓ ଲୋକଙ୍କ ସହ ମିଳାମିଶା କରିବାକୁ ପସନ୍ଦ କରୁ । ଏହାଦ୍ୱାରା କେବଳ ଯେ ଖର୍ଚ୍ଚ କମେ ତା’ ନୁହେଁ, ଆମେ ଏକ ନୂଆ ସଂସ୍କୃତି ସହିତ ପରିଚିତ ହୋଇପାରୁ ।

ସେହିପରି ଭାରତ ଗସ୍ତ ସଂପର୍କରେ ମାଇକ୍ କହିଛନ୍ତି, ଭାରତକୁ ଆସିବାକୁ ଯୋଜନା କରୁଥିବା ଯେକେହି ବ୍ୟକ୍ତି କେରଳରୁ ତାଙ୍କର ଅଭିଯାନ ଆରମ୍ଭ କରିବା ଉଚିତ୍ । ଏହା ଅନ୍ୟ ସ୍ଥାନ ଅପେକ୍ଷା ଅଧିକ ସୁନ୍ଦର । ଆମେମାନେ ନିରାମିଶାଷୀ ହୋଇଥିବାରୁ କେରଳର ବିଭିନ୍ନ ନିରାମିଷ ଆଇଟମ୍ ଆମକୁ ଖୁବ୍ ଭଲ ଲାଗିଛି । ଏହା ଏକ ଦମ୍ପତି ଭାବେ ଆମର ପ୍ରଥମ ଭାରତ ଗସ୍ତ । ପୂର୍ବରୁ ଆମେ କଲେଜରେ ପଢ଼ୁଥିବାବେଳେ ୧୫ ବର୍ଷ ତଳେ ଅଲଗା ଅଲଗା ଭାବେ ଭାରତ ଆସିଥିଲୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.