କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ, ନିବେଶ ହେବ ୧ ଲକ୍ଷ କୋଟି, ନିଯୁକ୍ତି ପାଇବେ ୧୬ ହଜାର

Published By : Prameya-News7 Bureau | December 17, 2021 IST

ଭୁବନେଶ୍ଵର ୧୭।୧୨: କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ ପ୍ଲାଣ୍ଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଆର୍ସେଲର ମିତ୍ତଲ ନିପନ୍ ଷ୍ଟିଲ୍ ଦ୍ବାରା ସମନ୍ବିତ ଷ୍ଟିଲ ପ୍ଲାଣ୍ଟକୁ ମିଳିଛି ମଞ୍ଜୁରୀ । ୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ନିବେଶରେ ଏହି ପ୍ଲାଣ୍ଟ ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଥିରେ ୧୬ ହଜାରରୁ ଅଧିକ ଲୋକଙ୍କୁ ମିଳିବ ନିଯୁକ୍ତି ।

କେନ୍ଦ୍ରାପଡ଼ାରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ଼ ଷ୍ଟିଲ୍ ପ୍ଲାଣ୍ଟ । ଓଡ଼ିଶାରେ ବିଶ୍ବସ୍ତରୀୟ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଗ୍ରୀନ୍ ସିଗ୍ନାଲ । ପ୍ରକଳ୍ପ ଲାଗି ୧ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶ କରିବ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ନିଷ୍ପତ୍ତି ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ୨୪ ନିୟୁତ ଟନ୍ କ୍ଷମତାସମ୍ପନ୍ନ ସମନ୍ବିତ ଇସ୍ପାତ କାରଖାନା ପ୍ରତିଷ୍ଠା କରିବ ଆର୍ସେଲର ମିତ୍ତଲ ।

{"id":561002,"sizeSlug":"full","linkDestination":"none"}

ଏହି ବୃହତ୍ତ ପ୍ରକଳ୍ପଟି ସମଗ୍ର ଦେଶରେ ସର୍ବବୃହତ୍ତ ଇସ୍ପାତ କାରଖାନାର ମାନ୍ୟତା ହାସଲ କରିବ । କେନ୍ଦ୍ରାପଡ଼ାର ନିଜ ଉତ୍ପାଦନ କ୍ଷେତ୍ରରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ ଅତ୍ୟାଧୁନିକ ଜ୍ଞାନକୌଣଳର ଉପଯୋଗ କରି ପରିବେଶ ଅନୁକୂଳ ଓ ବହୁବିଧ ବିଶେଷତାସମ୍ପନ୍ନ ଇସ୍ପାତ ଉତ୍ପାଦନ କରିବ ବୋଲି କୁହାଯାଇଛି। ଏହି ପ୍ଲାଣ୍ଟରୁ ବାର୍ଷିକ ୧୮.୭୫ ମେଟ୍ରିକ୍ ଟନ୍ ସିମେଣ୍ଟ ଉତ୍ପାଦନ କରିବାର କ୍ଷମତା ପ୍ରାପ୍ତ ହେବ । ଯାହା ଏହି କାରଖାନାକୁ ଦେଶର ଅନ୍ୟତମ ସର୍ବବୃହତ ସିମେଣ୍ଟ କାରଖାନାରେ ପରିଣତ ହେବାର ଗୌରବ ପ୍ରଦାନ କରିବା ସହ ଅଂଚଳର ଭିତ୍ତିଭୂମିର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ ।

ଏହି ପ୍ରକଳ୍ପ ସହିତ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ୍ ସମଗ୍ର ଅଂଚଳରେ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ କାର୍ଯ୍ୟ କରିବ । ଏହି ବୃହତ ପ୍ରକଳ୍ପ ପର୍ଯ୍ୟାୟକ୍ରମେ ୭ବର୍ଷରେ ସମ୍ପୂର୍ଣ୍ଣ ହେବ । ଏହି ବୃହତ ପୁଞ୍ଜି ନିବେଶ ଦ୍ବାରା ଓଡ଼ିଶାରେ ଗତ ବର୍ଷକ ଭିତରେ ୨ଲକ୍ଷ ୭୦ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଛି । ପ୍ରାୟ ୧ଲକ୍ଷ ୬ହଜାର ଲୋକଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ଦ୍ବାରା ଓଡ଼ିଶା ଦେଶର ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟର ମାନ୍ୟତା ଲାଭ କରିଛି । ୨୦୩୦ ସୁଦ୍ଧା ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ଲକ୍ଷ୍ୟ ହାସଲ ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.