ଅଗଷ୍ଟ ୧୫ରେ କରୋନା ଭାକ୍ସିନ ଆସିବ!

Published By : Prameya-News7 Bureau | July 07, 2020 IST

ନୂଆଦିଲ୍ଲୀ୭/୭: ଅଗଷ୍ଟ ୧୫ ବେଳକୁ ଦେଶରେ କରୋନା ଭାକ୍ସିନ ଆସିବା ନେଇ ଯେଉଁ ଆକଳନ କରାଯାଉଥିଲା ତାହା ଉପରେ ଏବେ ପ୍ରଶ୍ନବାଚୀ ରହିଛି।  କରୋନା ଭ୍ୟାକ୍ସିନ ଆସୁ ଆସୁ ଆସନ୍ତା ବର୍ଷ ହୋଇଯିବ । ଇଣ୍ଡିଆନ ଏକାଡେମି ଅଫ ସାଇନ୍‌ସ ଗତକାଲି ଏହା କହିବା ପରେ ରାଜ୍ୟରେ ଆଏଲ୍‌ଏସ୍‌ର ନିର୍ଦ୍ଦେଶକ ମଧ୍ୟ ସମାନ କଥା କହିଛନ୍ତି।  ସେପଟେ ଅକ୍ସଫୋର୍ଡ ପକ୍ଷରୁ କୋଭିଡ୍ ମେଡିସିନ୍ ଲଞ୍ଚ ହେବାକୁ ଆଉ ୬ ମାସ ଲାଗିଯିବ ବୋଲି ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

ଅଗଷ୍ଟ ୧୫ରେ କରୋନା ଭାକ୍ସିନ ଆସିବ ଏବଂ ମହାମାରୀ କବଳରୁ ମିଳିବ ସ୍ବାଧୀନତା। ଏ ଆଶା ଉପରେ ଲାଗିଛି ପ୍ରଶ୍ନବାଚୀ।  କରୋନା ଭାକ୍ସିନ ଆସିବାକୁ ଅଗଷ୍ଟ ୧୫ ନୁହେଁ  ୨୦୨୧ ହୋଇଯିବ।  ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ବାରା ପ୍ରସ୍ତୁତ ଭାକ୍ସିନ ଅଗଷ୍ଟ ୧୫ରେ ଆସିବା ନେଇ ଆଇସିଏମଆର ଆଶା ପ୍ରକାଶ କରିଥିଲା। ତେବେ ଗତକାଲି ବେଙ୍ଗଲୁରର ଇଣ୍ଡିଆନ ଏକାଡେମି ଅଫ ସାଇନ୍‌ସ ଏହା ସମ୍ଭବପର ନୁହେଁ ବୋଲି କହିଥିଲା । ସେହିପରି ଏମ୍‌ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ମଧ୍ୟ ସମାନ ମତ ଦେଇଛନ୍ତି। ୪୫ ଦିନରେ ଭାକ୍ସିନ ଆସିବ ସମ୍ଭବ ନୁହେଁ। ଭାକ୍ସିନ ପାଇଁ ଆବଶ୍ୟକ ପ୍ରାଶାସନିକ ବ୍ୟବସ୍ଥାକୁ ହୁଏତ ତ୍ବରାନ୍ବିତ କରାଯାଇପାରେ କିନ୍ତୁ ଏଥିପାଇଁ ଆବଶ୍ୟକ ମେଡ଼ିକାଲ ଟେଷ୍ଟ ଟାଇମ୍‌କୁ କମାଯାଇପାରିବ ନାହିଁ । ତେଣୁ ଦେଶୀ ଭାକ୍ସିନ ୨୦୨୧ରେ ଆସିପାରିବ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି। ସମାନ ଆଶା ପୋଷଣ କରିଛନ୍ତି ଇନଷ୍ଟିଚ୍ୟୁଟ୍‌ ଅଫ ଲାଇଫ୍‌ ସାଇନ୍ସ ବା ILS ର ନିର୍ଦ୍ଦେଶକ ଅଜୟ ପରିଡା ।

ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ବାରା ପ୍ରସ୍ତୁତ ଭାକ୍ସିନ କୋଭାକ୍ସିନର ମାନବୀୟ ପରୀକ୍ଷା ଆରମ୍ଭ ହୋଇଯାଇଛି। ପ୍ରଥମ ଫେଜ୍‌ ପାଇଁ ୧୪ ଦିନ ଲାଗିବ। ପ୍ରଥମ ଫେଜ୍‌ର ଫଳାଫଳକୁ କମ୍ପାନି ଡ୍ରଗ କଣ୍ଟ୍ରୋଲର ଅଫ ଇଣ୍ଡିଆକୁ  ଦାଖଲ କରିବ। ଏହା ପରେ ଦ୍ବିତୀୟ ଫେଜ୍‌ ପାଇଁ ଅନୁମତି ଦିଆଯିବ। ତେବେ ଯଦି ଦୁଇଟି ପର୍ଯ୍ୟାୟର ଫଳ ଯଥେଷ୍ଟ ହୁଏ ତେବେ ତୃତୀୟ ପର୍ଯ୍ୟାୟ କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନିଆଯାଇପାରେ। ଯାହାକୁ ନେଇ ଆଇସିଏମଆର ଆଶା କରୁଛି ଯେ ଅଗଷ୍ଟ ୧୫ ସୁଦ୍ଧା ଏହାକୁ ଶେଷ କରାଯାଇପାରେ। ତେବେ ଦେଶର ୧୦ରୁ ଅଧିକ ସ୍ଥାନରେ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଆରମ୍ଭ ହୋଇଯାଇଥିବା ଜଣାଯାଇଛି।

ବିଶ୍ବବ୍ୟାପୀ ଶହେରୁ ଅଧିକ ଭାକ୍ସିନ ଏବେ ବିଭିନ୍ନ ପର୍ଯ୍ୟାୟରେ ରହିଛି। ଅକ୍ସଫୋର୍ଡ କରୁଥିବା ଭାକ୍ସିନ ଆଗରେ ରହିଛି। ଭାରତର ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ ଏହାର ସହଯୋଗୀ ରହିଛି। ଏହି ଭାକ୍ସିନ ଲଞ୍ଚ ହେବାକୁ ଆଉ ୬ ମାସ ଲାଗିଯିବ ବୋଲି ସେରମ ଇନଷ୍ଟିଚ୍ୟୁ କହିଛି । ଭାରତ ବାୟୋଟେକ୍ ଦ୍ବାରା ଚାଲଥିବା ପରୀକ୍ଷା ପରେ ଏହା ମଣିଷ ଶରୀରରେ କେତେ ଫଳପ୍ରଦ ହେଉଛି ତାହା ଉପରେ ମଧ୍ୟ ନଜର ରଖିଛି ସେରମ ଇନଷ୍ଟିଚ୍ୟୁ। ଏହି ଟୀକା ମଣିଷ ଶରୀରରେ ଫେଜ୍‌ ଥ୍ରି ଟ୍ରାଏଲ୍‌ ପାଇଁ ଅପେକ୍ଷା କରାଯାଇଛି । ଏଥିପାଇଁ ୮ ହଜାର ଲୋକଙ୍କୁ ଚିହ୍ନଟ କରାଯାଇଛି । ୧୮ ବର୍ଷରୁ ଅଧିକ ଲୋକଙ୍କ ଶରୀରରେ ଏହାର ଫେଜ୍‌-୧  ପରୀକ୍ଷଣ ସଫଳ ହୋଇଥିବା କୁହାଯାଉଛି । ସେପଟେ ଚୀନ୍‌ ର ସିନୋଭାକ୍ ବାୟୋଟେକ୍‌ କୋଭାକ୍ସିନ୍‌ ଟୀକାର ଥାର୍ଡ ଫେଜ୍‌ ଟ୍ରାଏଲ୍‌ କରିବାକୁ ଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.