ନୂଆଦିଲ୍ଲୀ: ଗତ କିଛି ବର୍ଷ ଭିତରେ ଜଳବାୟୁ ପରିବର୍ତ୍ତନର ଅନେକ ଘଟଣା ଦେଖିବାକୁ ମିଳୁଛି । ଯାହା ପୂର୍ବେ ଶତାବ୍ଦୀରେ ଥିଲେ ଘଟୁଥିଲା, ତାହା ଏବେ କିଛି ବର୍ଷର ନିୟମିତ ବ୍ୟବଧାନରେ ଘଟିଚାଲିଛି । ଭୟଙ୍କର ଗରମ, ପ୍ରବଳ ବର୍ଷା, ବନ୍ୟା ପୂର୍ବର ଅନେକ ରେକର୍ଡ ଭାଙ୍ଗି ସାରିଛି । ୨୦୨୪ ଦୁନିଆର ସବୁଠୁ ଗରମ ବର୍ଷ ରହିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ସବୁ ଘଟଣା ଘଟୁଛି ।
ଜଳବାୟୁରେ ଏହି ବିନାଶକାରୀ ପରିବର୍ତ୍ତନର ମୁକାବିଲା ଉପରେ ଚର୍ଚ୍ଚା ପାଇଁ ପ୍ରତି ବର୍ଷ ଦୁନିଆର ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଥାଏ । ଏହାକୁ COP ବା କନ୍ଫ୍ରେସ୍ ଅଫ୍ ଦ ପାର୍ଟିଜ କୁହାଯାଏ । ୨୦୨୪ରେ ଏହାର ୨୯ତମ ବାର୍ଷିକ ବୈଠକ ବସିବାକୁ ଯାଉଛି । ଏଥିପାଇଁ ଏହାକୁ COP-୨୯ କୁହାଯାଉଛି ।
ଆଗାମୀ ଦୁଇ ସପ୍ତାହ ଯାଏ ଏହାକୁ ନେଇ ଖୁବ୍ ଚର୍ଚ୍ଚା ହେବ । କିନ୍ତୁ ଏହା ପୂର୍ବରୁ ଏହାର ଆୟୋଜନକୁ ନେଇ ବିବାଦ ଆରମ୍ଭ ହୋଇଛି । ଚଳିତ ବର୍ଷ କାସପିଆନ୍ ସାଗର କୂଳରେ ଥିବା ଛୋଟିଆ ଦେଶ ଅଜରବାଇଜାନରେ ଏହାର ଆୟୋଜନ ହେବ । ସମ୍ମିଳନୀର ନଭେମ୍ୱର ୧୧ରୁ ଡିସେମ୍ୱର ୨୨ରେ ଅଜରବାଇଜାନ ରାଜଧାନୀ ବାକୁରେ ଚାଲିବ ।
COP ଜାତିସଂଘର ଏକ ସଂଗଠନ । ପ୍ରାୟ ୩୨ ବର୍ଷ ପୂର୍ବେ ୧୯୯୨ ମସିହାରେ ୧୫୦ରୁ ଅଧିକ ଦେଶ ପୃଥିବୀର ବଢୁଥିବା ତାପମାତ୍ରାକୁ ସୀମିତ କରିବା ପାଇଁ ଏକ ଚୁକ୍ତି ସ୍ୱାକ୍ଷର କରିଥିଲେ । ଏହାର ପ୍ରଥମ ସମ୍ମିଳନୀ ୧୯୯୫ରେ ଜର୍ମାନୀର ବର୍ଲିନରେ ହୋଇଥିଲା ।
ଅଜରବାଇଜାନରେ ଆୟୋଜନକୁ ନେଇ କାହିଁକି ବିବାଦ ?
ବୈଜ୍ଞାନିକଙ୍କ ମତରେ ଜଳବାୟୁ ସଂକଟର ମୁକାବିଲା ପାଇଁ ଜୀବାଶ୍ମ ଇନ୍ଧନ ଅର୍ଥାତ୍ ତେଲ, ଗ୍ୟାସ ଏବଂ କୋଇଲାରୁ ହେଉଥିବା ନିର୍ଗମନକୁ କମ କରିବାକୁ ହେବ । କିନ୍ତୁ ଅଜରବାଇଜାନର ତେଲ ଏବଂ ଗ୍ୟାସ ସହ ସମ୍ପର୍କ ବହୁ ପୁରୁଣା । ୧ କୋଟି ଜନସଂଖ୍ୟା ଥିବା ଏହି ଦେଶ ୧୯୯୧ରେ ସୋଭିଏତ୍ ୟୁନିୟନରୁ ଅଲଗା ହୋଇଥିଲା । ସ୍ୱାଧୀନ ରାଷ୍ଟ୍ର ହେବା ପରଠୁ କାସପିଆନ୍ ସାଗରର ତେଲ ଏବଂ ଗ୍ୟାସ୍ ଉପରେ ନିର୍ଭର ରହିଛି । ଦେଶର ରପ୍ତାନୀର ହାଇଡ୍ରୋକାର୍ବନର ଭାଗ ୯୨ ପ୍ରତିଶତ । ଏକ ନୂଆ ଆକଳନ ଅନୁସାରେ ଅଜରବାଇଜାନ ଆଗାମୀ ଏକ ଦଶନ୍ଧିରେ ଏକ-ତୃତୀୟାଂଶ ଗ୍ୟାସ ଉତ୍ପାଦନ ପାଇଁ ବିଚାର କରୁଛି । କୋଇଲା ଏବଂ ତେଲ ପରି ଗ୍ୟାସ୍ ମଧ୍ୟ ଏକ ଜୀବାଶ୍ମ ଇନ୍ଧନ । ଅଜରବାଇଜାନ ଯଦି ଗ୍ୟାସ ଉତ୍ପାଦନର ଏହି ସ୍ତରକୁ ଛୁଇଁବ, ତେବେ ୭୮୧ ମିଲିୟନ ଟନ୍ କାର୍ବନ ଡାଇଅକ୍ସାଇଡ୍ ବାହାରିବ । ଯାହା ୟୁକେର ବାର୍ଷିକ ଅଙ୍ଗାରକାମ୍ଲ ନିର୍ଗମନର ଦ୍ୱିଗୁଣାରୁ ବି ଅଧିକ ।
ଅନ୍ୟପଟେ ଜୀବାଶ୍ମ ଇନ୍ଧନରୁ ଦୂରେଇ ରହିବା ପାଇଁ ଅନେକ ପ୍ରତିଶ୍ରୁତି ଦେଇଛି ଏହି ଦେଶ । COP ୨୮ରେ ୨୦୫୦ ଯାଏ ନିର୍ଗମନ ୪୦ ପ୍ରତିଶତ ହ୍ରାସ କରିବା ପାଇଁ ଲକ୍ଷ୍ୟ ରଖିବା ସତ୍ତ୍ୱେ କୌଣସି ବିସ୍ତୃତ ଯୋଜନା ସାମନା ରଖିନି ଏହି ଦେଶ । ଅନ୍ୟପଟେ ଅଜରବାଇଜାନର ଏକଛତ୍ରବାଦ ଶାସନକୁ ଯୋଗୁଁ ଏହାର COP ୨୯ର ଆୟୋଜନ ସ୍ଥଳକୁ ନେଇ ବିବାଦ । ରାଷ୍ଟ୍ରପତି ଇହ୍ଲାନ ଓଲିୟେବ କୋପ-୨୯ ପରି ବଡ଼ ମଞ୍ଚ ଜରିଆରେ ଦେଶର ଛବି ସୁଧାରିବାକୁ ଉଦ୍ୟମ କରୁଛନ୍ତି ବୋଲି କୁହାଯାଉଛି ।