ସୁପ୍ରିମକୋର୍ଟରେ ଭରିଯିବ ଜଜ୍ଙ୍କ ଖାଲି ପଦ, ୫ଟି ନାଁ ସୁପାରିଶ କଲେ କଲେଜିୟମ
13/12/2022 at 11:32 PM

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି(ସିଜେଆଇ) ଡିଓ୍ଵାଇ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର କଲେଜିୟମ ଉଚ୍ଚତମ ନ୍ୟାୟାଳୟରେ ବିଚାରପତି ଭାବେ ନିଯୁକ୍ତ ପାଇଁ ଉଚ୍ଚ ନ୍ୟାୟାଳୟର ପାଞ୍ଚ ବିଚାରପତିଙ୍କ ନାମ ସୁପାରିଶ କରିଛନ୍ତି। ସୁପ୍ରିମକୋର୍ଟର ବିଚାରପତିଙ୍କ ଭାବେ ଯେଉଁ ପାଞ୍ଚ ଜଜଙ୍କ ନିଯୁକ୍ତି ପାଇଁ ସୁପାରିସ କରାଯାଇଛି ସେଥିରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିଥଲ, ପାଟନା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କରୋଲ, ମଣିପୁର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ପିଭି ସଞ୍ଜୟ କୁମାର, ପାଟନା ଉଚ୍ଚ ନ୍ୟାୟାଳୟର ବିଚାରପତି ଅହସାନୁଦ୍ଦୀନ ଅମାନୁଲ୍ଲାହ ଏବଂ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ବିଚାରପତି ମନୋଜ ମିଶ୍ରଙ୍କ ନାମ ସାମିଲ୍।
ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ସରକାର ଉଚ୍ଚତମ ନ୍ୟାୟାଳୟର ବିଚାରପତି ବାବେ ଜଷ୍ଟିସ୍ ଦୀପାଙ୍କର ଦତ୍ତାଙ୍କ ନାମ ମଞ୍ଜୁରୀ କରିଥିଲେ। ଏହି ମଞ୍ଜୁରୀ ପରେ ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ଛଅ ଜଣିଆ କଲେଜିୟମ ଉଚ୍ଚତମ ନ୍ୟାୟାଳୟରେ ଖାଲି ପଡିଥିବା ପଦରେ ନିଯୁକ୍ତି ପାଇଁ ମଙ୍ଗଳବାର ପ୍ରଥମ ଥର ବୈଠକ କରିଛନ୍ତି। ସୋମବାର ବିଚାରପତି ଦତ୍ତାଙ୍କ ଶପଥ ଗ୍ରହଣ ସହିତ ଉଚ୍ଚତମ ଅଦାଲତରେ ବିଚାରପତିଙ୍କ ମୋଟ୍ ସଂଖ୍ୟା ୨୮କୁ ବୃଦ୍ଧି ଘଟିଛି। ଏହା ପରେ ମଧ୍ୟ ଏବେ ଆହୁରି ଛଅଟି ବିଚାରପତି ପଦ ଖାଲି ରହିଛି। ଏହି ପଦରେ ନିଯୁକ୍ତି ପାଇଁ ଆଜି ପାଞ୍ଚଟି ନାମରେ ସୁପାରିଶ କରାଯାଇଛି।