ନୂଆଦିଲ୍ଲୀ ୩୧|୮: ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଅଚାନକ ନିଖୋଜ ହୋଇଯାଇଥିବା ଶାହଜାହାନପୁରର ଆଇନ ଛାତ୍ରୀଙ୍କୁ ରାଜସ୍ଥାନରୁ ଠାବ କରିବା ପରେ ସୁପ୍ରିମକୋର୍ଟରେ ହାଜର କରାଯାଇଥିଲା । ତେବେ ନିଜର ସୁରକ୍ଷା ପାଇଁ ସେ ଘର ଛାଡିବାକୁ ବାଧ୍ୟ ହୋଇଥିଲେ ବୋଲି ଛାତ୍ରୀ ଜଣଙ୍କ ବିଚାରପତିଙ୍କୁ କହିଥିଲେ। ସୁପ୍ରିମକୋର୍ଟ ଯୁବତୀଙ୍କ ସୁରକ୍ଷା ପାଇଁ ତାଙ୍କୁ ଦିଲ୍ଲୀରେ ରଖାଯିବାକୁ କହିଥିଲେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଆଣି ଦିଲ୍ଲୀରେ ଭେଟାଇବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ଛାତ୍ରୀ ଜଣଙ୍କ ନିଖୋଜ ହୋଇ ଯାଇଥିଲେ। ୨୪ ତାରିଖରେ ସେ ତାଙ୍କ ଫେସବୁକ୍ ଆକାଉଣ୍ଟ୍ରେ ଏକ ଭିଡିଓ ଅପଲୋଡ୍ କରି ସ୍ବାମୀ ଚିନ୍ମୟାନନ୍ଦଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ।
ତେବେ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ସ୍ବାମୀ ଚିନ୍ମୟାନନ୍ଦ ଏବଂ ଛାତ୍ରୀଙ୍କ ମଧ୍ୟରେ ଥିବା ସଂପର୍କ ବିଷୟରେ ସାରା କଲେଜ ଜାଣିଥିଲା । ଯାହା ଫଳରେ ଛାତ୍ରୀ ଜଣଙ୍କ କଲେଜରେ ପ୍ରଭାବଶାଳୀ ଥିଲେ । ଛାତ୍ରୀଙ୍କ ଜନ୍ମଦିନ ଅବସରରେ ସ୍ବାମିଜୀ କେକ୍ କାଟୁଥିଲେ । ଛାତ୍ରୀ ଜଣଙ୍କ ସ୍ବାମିଜୀଙ୍କ ସାଧନା କକ୍ଷକୁ ମଧ୍ୟ ଯାତାୟତ କରୁଥିଲେ । ଏଭଳି ମଧୁର ସଂପର୍କରେ ଫାଟକୁ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ସହରରେ ଘର ହୋଇଥିବା ସତ୍ବେ ଏସ ଏସ ଲ କଲେଜର ଛାତ୍ରୀ କଲେଜ ହଷ୍ଟେଲରେ ରହୁଥିଲେ ।
କେବେ କେବେ ସଂପୃକ୍ତ ଛାତ୍ରୀଙ୍କୁ ଦାମୀ ଗାଡିରେ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା । କଲେଜରେ ପଢିବା ସହ ଛାତ୍ରୀ ଜଣଙ୍କ ଚାକିରୀ ମଧ୍ୟ କରୁଥିଲେ । ଅନ୍ୟ ଛାତ୍ରଛାତ୍ରୀଙ୍କୁ କଲେଜରେ ପଢିବା ସହ ଚାକିରୀ କରିବାକୁ ସୁଯୋଗ ଦିଆଯାଉନଥିଲା । ତେବେ ହଷ୍ଟେଲରେ ରହିବା ଘଟଣାକୁ ନେଇ ପରିବାରଲୋକ କିଛି ସ୍ପଷ୍ଟ କରିନାହାନ୍ତି । ତାଙ୍କ ବାପା କହିଥିଲେ ଯେ, ସେ ରକ୍ଷାବନ୍ଧନରେ ଘରକୁ ଆସିଥିଲେ । ତାଙ୍କ ସହ ହୋଇଥିବା ଘଟଣା ସଂପର୍କରେ ମଧ୍ୟ କହିଥିଲେ । ମାତ୍ର ଏସବୁ ଜାଣିବା ସତ୍ବେ ପରିବାର ଲୋକ କାହିଁକି ତାଙ୍କୁ ପୁଣି ଥରେ ହଷ୍ଟେଲ ପଠାଇଦେଇଥିଲେ ତାହା ଏବେ ରହସ୍ୟଘେରରେ ରହିଛି । ରକ୍ଷାବନ୍ଧନଠାରୁ ୨୩ଅଗଷ୍ଟ ପର୍ଯ୍ୟନ୍ତ ଛାତ୍ରୀଙ୍କ ପରିବାରଲୋକ ଅଘଟଣ ଆଶଙ୍କାରେ ଚୁପ୍ ରହିଥିଲେ । ସେହି ସମୟରେ ଛାତ୍ରୀ ଜଣଙ୍କ କଲେଜ ହଷ୍ଟେଲରେ ହିଁ ରହୁଥିଲେ ।
ଅନ୍ୟପକ୍ଷରେ ଚିନ୍ମୟାନନ୍ଦ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ୩ ଥର ଲୋକସଭା ସାଂସଦ ଏବଂ ଅଟଳ ବିହାରୀ ବାଜପେୟୀ ସରକାରରେ ଜଣେ ରାଜ୍ୟ ମନ୍ତ୍ରୀ ଥିବା ଚିନ୍ମୟାନନ୍ଦ ଏଭଳି ଅଭିଯୋଗ କେବଳ ତାଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ବୋଲି କହିଥିଲେ ।