ସହରରେ ଭରା ଭରା ୟୁଟ୍ୟୁବର,୧୫ରୁ ୮୫ ବର୍ଷ ଯାଏଁ ବନାଉଛନ୍ତି ଭିଡିଓ

Published By : Prameya-News7 Bureau | October 04, 2022 IST

ନୂଆଦିଲ୍ଳୀ ୦୪।୧୦: ଛତିଶଗଡ଼ର ରାୟପୁର ଜିଲ୍ଲାରେ ରହିଛି ତୁଳସୀ ଗାଁ । ଏହି ଗାଁର ବିଶେଷତ୍ୱ ହେଲା ଏଠାକାର ଲୋକଙ୍କୁ ସରକାରୀ ଚାକିରି କିମ୍ବା ଘରୋଇ କ୍ଷେତ୍ରରେ ନିଯୁକ୍ତି ନେଇ କୌଣସି ମୋହ ନାହିଁ । ଗାଁର ଅଧିକାଂଶ ଲୋକ ଅନଲାଇନ୍‌ ଭିଡିଓ ଶେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ୍‌ ଓ ଅନ୍ୟ ସୋସିଆଲ ମିଡିଆ ପାଇଁ କଣ୍ଟେଣ୍ଟ ପ୍ରସ୍ତୁତ କରିଥାନ୍ତି । ଏହା ଜରିଆରେ ସେମାନେ ପ୍ରତିମାସ ମୋଟା ଅଙ୍କର ଅର୍ଥ ରୋଜଗାର କରିଥାନ୍ତି । ତେଣୁ ଗାଁକୁ ‘ୟୁଟ୍ୟୁବରଙ୍କ ଗାଁ’ ବୋଲି ବି କୁହାଯାଉଛି । ତୁଳସୀ ଗାଁର ମୋଟ ଜନସଂଖ୍ୟା ପ୍ରାୟ ୩ ହଜାର । ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ୟୁଟ୍ୟୁବ୍‌ ସହ ଜଡ଼ିତ । ସେଠାକାର ଜ୍ଞାନେନ୍ଦ୍ର ଶୁକ୍ଳା ଏବଂ ଜୟ ବର୍ମା ନାମକ ଦୁଇ ଜଣ ବନ୍ଧୁ ପ୍ରଥମେ ନିଜ ନିଜର ଚାକିରି ଛାଡ଼ି ୟୁଟ୍ୟୁବର ହେବାକୁ ନିଷ୍ପତ୍ତି ନେଇଥିଲେ ।

ଜ୍ଞାନେନ୍ଦ୍ର ସେତେବେଳେ ଏସ୍‌ବିଆଇରେ ନେଟ୍‌ୱର୍କ ଇଞ୍ଜିନିୟର ଭାବେ କାମ କରୁଥିଲେ । ଅଫିସ୍‌ରେ ଖାଲି ଥିବା ସମୟରେ ସେ ଅନେକ ୟୁଟ୍ୟୁବ୍‌ ଭିଡିଓ ଦେଖୁଥିଲେ । ୨୦୧୧-୧୨ରେ ଚାକିରି ଛାଡ଼ି ପୂର୍ଣ୍ଣକାଳୀନ ଭାବେ ୟୁଟ୍ୟୁବର ହେବାକୁ ସେ ନିଷ୍ପତ୍ତି ନେଲେ । ତାଙ୍କ ବନ୍ଧୁ ଜୟ ବର୍ମା ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ସେ ମଧ୍ୟ ଚାକିରି ଛାଡ଼ି ୟୁଟ୍ୟୁବ୍‌ ଭିଡିଓ ବନାଇଲେ । ଏହାପରେ ଅନ୍ୟ ଲୋକମାନେ ସେମାନଙ୍କର ପଦାଙ୍କ ଅନୁସରଣ କଲେ । ବର୍ତ୍ତମାନ ଗାଁର ଅଧିକାଂଶ ଲୋକ ଏହି ପେସାକୁ ଆଦରି ନେଇଛନ୍ତି ।

୧୫ ବର୍ଷର ପିଲାଙ୍କଠାରୁ ଆରମ୍ଭ କରି ୮୫ ବର୍ଷୀୟ ଜେଜେମା’ଙ୍କ ଯାଏ ସମସ୍ତେ ୟୁଟ୍ୟୁବ୍‌ ଭିଡିଓ ବନାଉଛନ୍ତି । ସେମାନଙ୍କର ଅଧିକାଂଶ ଭିଡିଓ ଶୈକ୍ଷିକ ଓ ମନୋରଞ୍ଜନଭିତ୍ତିକ ହୋଇଥିବାବେଳେ କିଛି ଚ୍ୟାନେଲର ସବ୍‌ସ୍କ୍ରାଇବର୍ସଙ୍କ ସଂଖ୍ୟା ଲକ୍ଷାଧିକ । ଜୟ ବର୍ମା ପୂର୍ବରୁ ଶିକ୍ଷକ ଭାବେ ମାସିକ ମାତ୍ର ୧୦-୧୨ ହଜାର ଟଙ୍କା ପାଉଥିବାବେଳେ ଏବେ ପ୍ରତିମାସ ୩୦-୩୫ ହଜାର ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ଼ କଥା ହେଲା ସବ୍‌ସ୍କ୍ରାଇବର୍ସଙ୍କ ସଂଖ୍ୟା ବୃଦ୍ଧି ସହିତ ସେମାନଙ୍କର ରୋଜଗାର ବି ବଢ଼ି ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.