ହସ୍ପିଟାଲ୍ ଯାଇ ନବ ଦାସଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ, ମେଡିକାଲ୍ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା
29/01/2023 at 4:06 PM

ଭୁବନେଶ୍ଵର: ଭୁବନେଶ୍ଵର ଏୟାରଲିଫ୍ଟ ହେବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସଂକଟାପନ୍ନ ରହିଛି। ଶରୀରର ବାମ ଛାତିରେ ଗୁଳି ବାଜିଛି ଏବଂ ତାଙ୍କ ଶରୀରରୁ ବହୁତ ରକ୍ତସ୍ରାବ ହୋଇଛି। ଭୁବନେଶ୍ଵର ଏୟାରଲିଫ୍ଟ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ପିଟାଲ୍ ଯାଇ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ନବ ଦାସଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସ୍ଵତନ୍ତ୍ର ବିଶେଷଜ୍ଞ ଡାକ୍ତରୀ ଦଳ ନବଙ୍କ ଅସ୍ତ୍ରୋପଚାର କରୁଛନ୍ତି। ନବ ଦାସଙ୍କ ଗୁଳିମାଡ଼ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗୁଳିମାଡ ଘଟଣାକୁ ଦୃଢ ନିନ୍ଦା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀ ।
ନବଙ୍କୁ ଅସ୍ତ୍ରୋପଚାର କରୁଥିବା ବିଶେଷଜ୍ଞ ଦଳରେ ଆପୋଲ, ଏସସିବି ଏବଂ କ୍ୟାପିଟାଲ୍ ହସ୍ପିଟାଲ୍ର ଡାକ୍ତର ସାମିଲ୍। ମୁଖ୍ୟମନ୍ତ୍ରୀ ଆପୋଲୋ ହସ୍ପିଟାଲ୍ ଯାଇ ଚିକିତ୍ସା ବ୍ୟବସ୍ଥା ତଦାରଖ କରିଛନ୍ତି। ତେବେ ଘଟଣାରେ ନବଙ୍କ ସ୍ଵାସ୍ଥ୍ୟ ସଙ୍କଟାପନ୍ନ ରହିଛି।

ସୂଚନାଯୋଗ୍ୟ ଯେ, ରବିବାର ଦିନ ଝାରସୁଗୁଡ଼ା ସ୍ଥିତ ବ୍ରଜରାଜନଗର ଗାନ୍ଧି ଛକରେ ଥିବା ବିଜେଡି କାର୍ଯ୍ୟାଳୟର ଉଦଘାଟନ କରିବାକୁ ଯାଉଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସମୟରେ ଜଣେ ପୋଲିସ ଏଏସ୍ଆଇ ଗୁଳିମାଡ଼ କରିଥିଲେ । ଯେଉଁଥିରେ ନବ ଦାସଙ୍କ ଛାତିରେ ଗୁଳି ବାଜିଥିଲା ଏବଂ ଘଟଣାସ୍ଥଳରେ ହିଁ ସେ ପଡ଼ିଯାଇଥିଲେ । ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲକୁ ଏୟାରଲିଫ୍ଟ କରାଯାଇଛି । କଡ଼ା ସୁରକ୍ଷା ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।
ନବଦାସଙ୍କ ଉପରକୁ ଗୁଳିମାଡ କରିଥିବା ଏଏସଆଇ ହେଉଛନ୍ତି ଗୋପାଳକୃଷ୍ଣ ଦାସ। ତେବେ କେଉଁ କାରଣ ପାଇଁ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି ତାର କାରଣ ଜଣା ପଡିନାହିଁ। ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି। ଏହି ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଆଇଆଇସି ପ୍ରଦ୍ୟୁମ୍ନ ସ୍ଵାଇଁ। ଅଭିଯୁକ୍ତ ଏଏସଆଇକୁ ଅଟକ ରଖାଯାଇଛି। ଏଏସଆଇଙ୍କ ସର୍ଭିସ୍ ରିଭଲବଲରୁ ଗୁଳିମାଡ କରାଯାଇଛି।