'କୋଭିଡ-୧୯ ଫଣ୍ଡ'କୁ ୩ ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | March 23, 2020 IST

ଭୁବନେଶ୍ବର୨୩/୩: କରୋନା ପାଇଁ ୩ ମାସର ଦରମା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ (କୋଭିଡ୍‌-୧୯ ଫଣ୍ଡ)କୁ ୩ ମାସର ଦରମା ପ୍ରଦାନ କରିଛନ୍ତି। ରାଜ୍ୟରେ ଏଭଳି ବିପର୍ଯ୍ୟୟ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସବୁ ମହଲରେ ପ୍ରସଂଶା କରାଯାଇଛି।

ଅନ୍ୟପଟେ ପୂର୍ବରୁ ସରକାର ୫ଟି ଜିଲ୍ଲା ୮ଟି ସହରକୁ ଲକଡାଉନ୍ ଘୋଷଣା କରିଥିଲେ। ଏବେ ଆଉ ୯ଟି ଜିଲ୍ଲା ଓ ଗୋଟିଏ ମୁନିସିପାଲିଟି କର୍ପୋରେସନ ସେଥିରେ ସାମିଲ ହୋଇଛି। ଜିଲ୍ଲାଗୁଡିକ ହେଲା ନୟାଗଡ, ଭଦ୍ରକ, ଜଗତସିଂପୁର, ବାଲେଶ୍ୱର, ଢେଙ୍କାନାଳ, ପୁରୀ, ଯାଜପୁର,ଝାରସୁଗୁଡା ଓ ସମ୍ବଲପୁରରେ। ଏହା ସହ ରାଉରକେଲା ମୁନିସିପାଲ୍ କର୍ପୋରେସନକୁ ଲକଡାଉନ୍ ଘୋଷଣା କରିଛନ୍ତି। ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୪ ସକାଳ ୭ଟାରୁ ଏହି ସବୁ ଜିଲ୍ଲାରେ ଲକଡାଉନ୍ ଜାରି ହେବ। ଏହାକୁ ମିଶାଇ ୧୪ଟି ଜିଲ୍ଲାକୁ ଲକଡାଉନ୍ କରାଯାଇଛି। ପୂର୍ବରୁ ଖୋର୍ଧା, ଅନୁଗୁଳ, କେନ୍ଦ୍ରାପଡା, କଟକ ଓ ଗଞ୍ଜାମକୁ ଲକଡାଉନ ଘୋଷଣା କରାଯାଇଥିଲା। ସେତେବେଳେ ମଧ୍ୟ ୮ଟି ସହରକୁ ଲକଡାଉନ୍ କରାଯାଇଥିଲା। ଆଜି ସେହି ସହର ସାମିଲ ଥିବା ଜିଲ୍ଲା ସହ ଅନ୍ୟ କିଛି ଜିଲ୍ଲାକୁ ଲକଡାଉନ କରିଛନ୍ତି ସରକାର।

ତେବେ ଏହି ସବୁ ଲକଡାଉନ ଅଞ୍ଚଳରେ ଜରୁରୀ ସେବା ଉପଲବ୍ଧ ରହିବ। ପାଣି, ବିଜୁଳି ଓ ସ୍ୱାସ୍ଥ୍ୟସେବା ସହ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ ସହ ପେଟ୍ରୋଲ ପମ୍ପ ଖୋଲା ରହିବ। ମାଛ, ଅଣ୍ଡା, ଚିକେନ ଦୋକାନ ସହ ପରିବା ଓ ତେଜରାତି ଦୋକାନ ଖୋଲା ରହିବ। ତେବେ ସାରା ରାଜ୍ୟରେ ଆସନ୍ତାକାଲି ଦିନ ୧୧ଟାରୁ ବସ ଚଳାଚଳ ବହିବ ବୋଲି ରାଜ୍ୟ ସରକାରଙ୍କ କରୋନା ସଚେତନତା ସମ୍ପର୍କୀତ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଘୋଷଣା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.