ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୬ ହଜାର ୭୨୨ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଦିଆଗଲା ଋଣ
6/01/2023 at 9:00 PM

ଭୁବନେଶ୍ଵର: ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ମେଗା ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ପକ୍ଷରୁ ରାଜ୍ୟର ୨୬ ହଜାର ୭୨୨ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ୧ ହଜାର ୧କୋଟି ଟଙ୍କାର ଋଣ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ବାରା ରାଜ୍ୟର ୨ଲକ୍ଷ ୬୮ହଜାର ମା’ ଉପକୃତ ହେବେ । ସେହିଭଳି ୫ଟି ମୋବାଇଲ ଭ୍ୟାନ୍ ତଥା ଏଟିଏମର ଶୁଭାରମ୍ଭ ହୋଇଛି ।
ଏହି ଅବସରରେ ରାଜ୍ୟର ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ଆଗେଇ ନେବା ଓ ଓଡ଼ିଶାର ରୂପାନ୍ତରରେ ଭାଗୀଦାର ହେବା ପାଇଁ ବ୍ୟାଙ୍କର୍ସମାନଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ମା’ ମାନଙ୍କୁ ସଶକ୍ତ କରିବାରେ ଓଡ଼ିଶା ଏକ ଆଗୁଆ ରାଜ୍ୟ । ଓଡ଼ିଶାର ଘରେ ଘରେ ଗାଁ ଗାଁରେ ଆଜି ମିଶନ ଶକ୍ତି ତା’ର ଜୟଯାତ୍ରା ଜାରି ରଖିଛି । ଆଗାମୀ ଦିନରେ ଏହା ଆହୁରି ସଶକ୍ତ ହେବ । ଜିଲ୍ଲାସ୍ତରୀୟ ଫେଡେରେସନମାନଙ୍କ ପାଇଁ ଏକକୋଟି ଏବଂ ବ୍ଲକସ୍ତରୀୟ ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ରିଭଲଭିଂ ଫଣ୍ଡ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ଏଥି ସହ ମା’ ମାନଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ କହିଥିଲେ ଯେ, ମିଶନ ଶକ୍ତି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଉଛି, ବିଭିନ୍ନ କ୍ଷେତ୍ରରେ ଯୋଗଦାନ ରଖି ମା’ମାନେ ନିଜର ଉପସ୍ଥିତି ଓ ମର୍ଯ୍ୟାଦା ଜାହିର କରିବେ । ଏ କ୍ଷେତ୍ରରେ ଆଜି ଆମେ ଅନେକ ପରିମାଣରେ ସଫଳ ହୋଇଛୁ । ଦିନ ଥିଲା ମା’ମାନେ ବ୍ୟାଙ୍କ କ’ଣ ଜାଣିନଥିଲେ । ବ୍ୟାଙ୍କକୁ ଯିବାକୁ ଡରୁଥିଲେ । କାରଣ ଏହା ଥିଲା ପୁରୁଷମାନଙ୍କ କ୍ଷେତ୍ର । ଆଜି ବ୍ୟାଙ୍କମାନେ ଗାଁ ଗାଁ, ଘର ଘର ବୁଲି ମା’ମାନଙ୍କୁ ଋଣ ଦେଉଛନ୍ତି। ଏହା ହେଉଛି ରୂପାନ୍ତର।
ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ନିଜେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ଗୋଷ୍ଠୀଙ୍କୁ ବ୍ୟାଙ୍କର୍ସ ମାନଙ୍କ ଋଣ ପ୍ରଦାନ କାର୍ଯ୍ୟକ୍ରମକୁ ନିୟମିତ ସମୀକ୍ଷା କରନ୍ତି । ସେହିଭଳି ମିଶନ ଶକ୍ତିକୁ ଏକ ସ୍ବତନ୍ତ୍ର ବିଭାଗ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମା’ମାନଙ୍କୁ ୫ବର୍ଷରେ ୫୦ହଜାର କୋଟି ଟଙ୍କାର ଋଣ ପ୍ରଦାନ କରାଯିବ । ଏଥି ସହ ୧୨ଶହ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି କହିଥିଲେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ।