ପ୍ରଧାନମନ୍ତ୍ରୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ରଖି‌ଲେ ୩ଟି ପ୍ରସ୍ତାବ: ଏପଟେ ଲକ୍‌ଡାଉନ୍‌ ପ୍ରସଙ୍ଗରେ କଥା ଢ଼ୋକିଲେ ସ୍ବାସ୍ଥ୍ୟମନ୍ତ୍ରୀ

Published By : Prameya-News7 Bureau | April 27, 2020 IST

ଭୁବନେଶ୍ବର୨୭/୪: ମେ ୩ ପରେ ଦେଶରେ ଲକ୍‌ଡାଉନ୍ ଅବଧି ବଢିବ କି ନାହିଁ। ଲକ୍‌ ଡାଉନ୍ ପିରିଅଡ୍‌ ଆଉ ମାସେ ବଢାଇବା ପାଇଁ ୪ ରାଜ୍ୟ ଆଜି କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସ୍ଥିତି ନେଇ ଆଲୋଚନା କରିଛନ୍ତି । ସେପଟେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଲକ୍‌ ଡାଉନ୍ ବଢାଇବା ସପକ୍ଷରେ ମତ ରଖିଛନ୍ତି । ତେବେ ଏନେଇ ରାଜ୍ୟ ସରକାର କୌଣସି ବିଧିବଦ୍ଧ ନିଷ୍ପତ୍ତି ଜଣାଇ ନାହାନ୍ତି ।

{"id":261149,"sizeSlug":"large"}

ଓଡ଼ିଶା ସମେତ ଅନେକ ରାଜ୍ୟ ଲକ୍‌ ଡାଉନ୍‌ ବଢାଇବା ସପକ୍ଷରେ । ଆଉ ମାସେ ଲକ୍‌ଡାଉନ୍ ଅବଧି ବଢିବା ମୋର ମତ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିବା ପରେ ଓଡ଼ିଶା ବି ଲକ୍‌ ଡାଉନ୍ ବଢାଇବା ଉପରେ ଚିନ୍ତା କରୁଛି ବୋଲି ଆଲୋଚନା ଆରମ୍ଭ ହୋଇଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫେରେନସିଂରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ହୋଇଥିଲା । ଏହାପରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଗଣମାଧ୍ୟମକୁ କହିଥିଲେ ଯେ, ଲକ୍‌ଡାଉନ୍ ମାସେ ବଢାଇବାକୁ କେନ୍ଦ୍ର ନିକଟରେ ରାଜ୍ୟ ସରକାର ଦାବି କରିଛନ୍ତି । ତେବେ ଏକଥା ଗଣମାଧ୍ୟମକୁ କହିବାର କିଛି ସମୟ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ୍‌ କରି ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶା ପକ୍ଷରୁ ଲକ୍‌ଡାଉନ୍‌ ଅବଧି ବଢାଇବା ନେଇ ଏଯାଏ କୌଣସି ବିଧିବଦ୍ଧ ପ୍ରସ୍ତାବ ଦିଆଯାଇନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ୍‌ ନିଷ୍ପତ୍ତି ନେବେ ।  

{"id":261150,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ୯ ରାଜ୍ୟରୁ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍ ବଢାଇବା ସପକ୍ଷରେ ମତ ରଖିଛନ୍ତି।  ତେବେ ପ୍ରଧାମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ୩ ଟି ପ୍ରସ୍ତାବ ରଖିଛନ୍ତି । ୧- ଯେଉଁ ରାଜ୍ୟରେ ବାହାର ରାଜ୍ୟର ଶ୍ରମିକମାନେ ଫସି ରହିଛନ୍ତି ସଂପୃକ୍ତ ରାଜ୍ୟ ଗୁଡ଼ିକ ସେମାନଙ୍କର ଯତ୍ନ ନିଅନ୍ତୁ। ୨- ଶ୍ରମିକମାନଙ୍କୁ ସେମାନଙ୍କ ନିଜ ଘରକୁ ଫେରିବା ଲାଗି କେନ୍ଦ୍ର ସରକାର ଏସ୍‌ଓପି ପ୍ରସ୍ତୁତ କରନ୍ତୁ । ୩ - ଅଧିକ ସଂଖ୍ୟାରେ କରୋନା ସ୍ବାବ୍‌ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉ ।ଯେହେତୁ ଓଡ଼ିଶାର ପ୍ରାୟ ସାଢେ ୭ ଲକ୍ଷ ଓଡ଼ିଆ ଏବେ ବିଭିନ୍ନ ରାଜ୍ୟରେ ଫଶି ରହିଛନ୍ତି ତେଣୁ ସେମାନଙ୍କୁ ରାଜ୍ୟକୁ କିଭଳି ଅଣାଯିବ ସେନେଇ ଅଧିକ ଗୁରୁତ୍ବ ଦେଉଛନ୍ତି ସରକାର । ବିଶେଷକରି ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଯେଉଁଠି କରୋନା ସଂକ୍ରମଣ ସଂଖ୍ୟା ସର୍ବାଧିକ ସେଠି ଫଶିଥିବା ଓଡ଼ିଆ ଶ୍ରମିକ କିଭଳି ସୁରକ୍ଷିତ ଭାବେ ଓଡ଼ିଶା ଫେରିବେ ସେଥିପାଇଁ ଏସ୍‌ଓପିର ଆବଶ୍ୟକତା ଦର୍ଶାଇଛନ୍ତି ନବୀନ ।

{"id":261151,"sizeSlug":"large"}

 ସେପଟେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଲକଡାଉନର ପ୍ରଭାବ ପଡିଛି, ଫାଇଦା ମଧ୍ୟ ମିଳିଛି । କରୋନା ପ୍ରଭାବ ଅନୁଯାୟୀ ଜୋନ୍ ଘୋଷଣା କରି ଲକଡାଉନ ଖୋଲିବା ରଣନୀତି ଉପରେ ସେ ଗୁରୁତ୍ବ ଦେଇଛନ୍ତି । ଏନେଇ ରାଜ୍ୟସରକାର ନିଜର ରଣନୀତି ପ୍ରସ୍ତୁତ କରିବାକୁ ମୋଦି ପରାମର୍ଶ ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କରୋନା ବିରୋଧରେ ଏହା ଲମ୍ବା ଲଢେଇ। ଆମକୁ ଧୈର୍ଯ୍ୟର ସହ ଲଢିବାକୁ ପଡିବ ।  ସାବଧାନ ମନ୍ତ୍ର ହିଁ କରୋନା ବିରୋଧରେ ବିଜୟ ଦେବ । ତେବେ ଦେଶରେ ଅର୍ଥନୈତିକ ଗତିବିଧି ଅଧିକ ସମୟ ଅଟକାଇ ହେବନି ବୋଲି ଗୃହମନ୍ତ୍ରୀ କହିଛନ୍ତି । ତେବେ ଏସବୁ ମଧ୍ୟରେ ମେ ୩ ପରେ ଲକ୍‌ଡାଉନ୍ ବଢାଯିବ କି ନା ତା ଉପରେ ସସ୍‌ପେନ୍ସ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.