ୱାସିଂଟନ ୧୯।୭ : ଆସନ୍ତା ନଭେମ୍ବରରେ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଏଥି ପାଇଁ ଏବେ ଦେଶରେ ପ୍ରଚାର ଅଭିଯାନ ଚାଲିଥିବା ବେଳେ ରିପବ୍ଲିକାନ ପାର୍ଟି ପ୍ରତି ଦେଶରେ ବଢୁଥିବା ସମର୍ଥନ ଡେମୋକ୍ରାଟିକ ପାର୍ଟି ନିମନ୍ତେ ଏବେ ଚିନ୍ତାର କାରଣ ପାଲଟିଛି। ପାର୍ଟି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ମୁକାବିଲା ନିମନ୍ତେ ଏବେ ଦୁର୍ବଳ ଚାଲ ବୋଲି ଭାବୁଛି। ଏଣୁ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ ନ କରିବା ପାଇଁ ଦଳରେ ଟୁପୁରୁ ଟାପୁରୁ ଆରମ୍ଭ ହୋଇଗଲାଣି।
ପାର୍ଟିର ଅଧିକାଂଶ ଲୋକ ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଏବେ ବାଇଡେନଙ୍କ ବିକଳ୍ପ ମନେ କରୁଛନ୍ତି। ଏପି-ଏନଓଆରସିର ଏକ ନୂଆ ସର୍ଭେରେ ୧୦ ଡେମୋକ୍ରାଟଙ୍କ ମଧ୍ୟରୁ ୬ ଜଣ ଏହି ସର୍ବୋଚ୍ଚ ପଦବୀ ନିମନ୍ତେ ଟ୍ରମ୍ପଙ୍କ ମୁକାବିଲା ଲାଗି କମଲା ହ୍ୟାରିସ୍ଙ୍କୁ ମଜଭୁତ ଦାବିଦାର ହୋଇପାରନ୍ତି ବୋଲି ବିଶ୍ୱାସ ବ୍ୟକ୍ତ କରିଛନ୍ତି। ସେହିପରି ପ୍ରାର୍ଥୀତ୍ୱ ନେଇ ବାଇଡେନ ଖୁବ୍ ଶୀଘ୍ର ବଡ ଘୋଷଣା କରିପାରନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି।
ଏପି-ଏନଓଆରସି ସର୍ଭେ ଅନୁସାରେ ୧୦ ଡେମୋକ୍ରାଟଙ୍କ ମଧ୍ୟରୁ ୨ ଜଣ କମଲା ହ୍ୟାରିସ୍ ଙ୍କୁ ବିକଳ୍ପ ବୋଲି ମାନନ୍ତି ନାହିଁ। ସେହିପରି ଅନ୍ୟ ୨ ଜଣ ଡେମୋକ୍ରାଟ ଏ ବିଷୟରେ ନିଶ୍ଚିତ ରୂପେ କିଛି କହିପାରି ନାହାନ୍ତି। ତେବେ ଜୁଲାଇ ୨୭ ତାରିଖରେ ପ୍ରେସିଡେନ୍ସିଆଲ ଡିବେଟ୍ ହେବ। ଏହା ପରେ ଡେମୋକ୍ରାଟିକ ପାର୍ଟିର ଲୋକେ ଖୋଲାଖୋଲି କିଛି କହିପାରନ୍ତି ବୋଲି ଅନୁମାନ କରାଯାଉଛି। ଉପରାଷ୍ଟ୍ରପତି କମଲା ହ୍ୟାରିସ୍ ବାଇଡେନଙ୍କ ପ୍ରତି ସମ୍ପର୍ଣ୍ଣ ବିଶ୍ୱସ୍ଥ ଅଛନ୍ତି। ୮୧ ବର୍ଷ ବୟଷ୍କ ବାଇଡେନ କରୋନା ସଂକ୍ରମଣ ଯୋଗୁ ଏହେ ଆଇସୋଲେଟ ଅଛନ୍ତି। ତାଙ୍କ ଡାକ୍ତରମାନେ ସେ ସାମାନ୍ୟ ସଂକ୍ରମିତ ହୋଇଥିବା କହୁଛନ୍ତି।
ରାଷ୍ଟ୍ରପତିଙ୍କ ନିକଟତମ ଲୋକମାନେ ଗୁରୁବାର ନ୍ୟୁୟର୍କ ଟାଇମ୍ସ କୁ କହିଛନ୍ତି ଯେ ବାଇଡେନ ଏବେ ଲୋକଙ୍କ ସେହି ପରାମର୍ଶ ସ୍ୱୀକାର କରିବା ଆରମ୍ଭ କରିଦେଇଛନ୍ତି ଯେଉଁଥିରେ ତାଙ୍କୁ ଦ୍ୱିତୀୟ କାର୍ଯ୍ୟକାଳ ଲାଗି ରାଷ୍ଟ୍ରପତି ଦୌଡରୁ ହଟିଯିବା ଦରକାର ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ସିନେଟରେ ଡେମୋକ୍ରାଟ ନେତା ଚକ୍ ସ୍କମର ଓ ପ୍ରତିନିଧି ସଭାରେ ପାର୍ଟିର ନେତା ହକିମ ଜେଫ୍ରିଜ୍ ପ୍ରମୁଖ ବାଇଡେନ ଯଦି ରାଷ୍ଟ୍ରପତି ପ୍ରାର୍ଥୀ ହୁଅନ୍ତି କେବଳ ରାଷ୍ଟ୍ରପତି ଭାବେ ନୁହେଁ ସିନେଟ ଓ ପ୍ରତିନିଧି ସଭାରେ ମଧ୍ୟ ପାର୍ଟିକୁ ଝଟକା ଲାଗିବ ବୋଲି ପୂର୍ବରୁ କହିସାରିଛନ୍ତି।