ଶ୍ବଶୁର ଘର ଯିବା ବାଟରେ ପୋଲିସଙ୍କୁ ଦେଖି ସାହାଯ୍ୟ ପାଇଁ ଚିତ୍କାର କଲେ କନ୍ୟା, ପୂରା ଘଟଣାର ପର୍ଦ୍ଦାଫାଶ କଲେ ନବ ବିବାହିତା ବଧୂ

Published By : Prameya-News7 Bureau | November 22, 2019 IST

ମିରଠ୍‌୨୨/୧୧: ଇଚ୍ଛା ବିରୋଧରେ ଯୁବତୀଙ୍କୁ ବିବାହ ଦେବା ମହଙ୍ଗା ପଡ଼ିଛି ପରିବାର ଲୋକଙ୍କ ପାଇଁ। ବିବାହ ଶେଷ ହେବା ପରେ ଶ୍ବଶୁର ଘର ଯିବା ବାଟରେ ପୋଲିସଙ୍କୁ ଦେଖି କନ୍ୟା ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଘଟଣାସ୍ଥଳରେ ପୋଲିସ ବର ଓ କନ୍ୟା ସମେତ ଅନ୍ୟ ଲୋକଙ୍କୁ ରାସ୍ତା ଉପରେ ଅଟକାଇ ଦେଇଥିଲେ। କନ୍ୟାଙ୍କ ଅଭିଯୋଗ ଅନୁସାରେ ତାଙ୍କ ଇଚ୍ଛା ବିରୋଧରେ ଜବରଦସ୍ତ ଅନ୍ୟ ଜଣଙ୍କ ସହ ବିବାହ କରି ଦିଆଯାଇଛି। କନ୍ୟା ଓ ବର ସମେତ ବରଯାତ୍ରୀଙ୍କୁ ପୋଲିସ ମଓ୍ବାନା ଥାନାରେ ଅଟକ ରଖି ପଚରାଉଚାର ଜାରି ରଖିଛି।

ସୂଚନାଯୋଗ୍ୟ ଯେ ଦୁର୍ବେଶପୁରର ଯୁବତୀ ଅଗଓ୍ବାନପୁର ଅଞ୍ଚଳର ଜଣେ ଅନ୍ୟ ଜାତିର ଯୁବକଙ୍କୁ ପ୍ରେମ କରୁଥିଲେ। ଝିଅର ପରିବାର ଲୋକ ଉଭୟଙ୍କ ପ୍ରେମ ସଂପର୍କ ବିଷୟରେ ଜାଣିବା ପରେ ଜାନସଠ୍‌ ଅଞ୍ଚଳର ଜଣେ ଯୁବକଙ୍କ ସହ ଯୁବତୀଙ୍କ ବିବାହ କରି ଦେଇଥିଲେ। କିନ୍ତୁ ଯୁବତୀ ତାଙ୍କ ପ୍ରେମିକଙ୍କୁ ବିବାହ କରିବେ ବୋଲି ଅଢ଼ି ବସିଥିଲେ। ହେଲେ ପରିବାର ଲୋକ ଜବରଦସ୍ତ ତାଙ୍କ ଇଚ୍ଛା ବିରୋଧରେ ବିବାହ କରି ଦେଇଥିଲେ

ଗୁରୁବାର ବିବାହ ଶେଷ ହେବା ପରେ ଯୁବତୀ ଗାଡ଼ିରେ ଶ୍ବଶୁର ଘର ଯିବା ବାଟରେ ପୋଲିସଙ୍କୁ ଦେଖି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ରାସ୍ତାରେ ପୋଲିସ ଗାଡ଼ି ଅଟକାଇ ସବୁ କଥା ଜାଣିବା ପରେ ଉଭୟ ପରିବାର ଲୋକଙ୍କୁ ଥାନାରେ ପଚାରଉଚାର ଜାରି ରଖିଛନ୍ତି। ଯୁବତୀଙ୍କ ଇଚ୍ଛା ବିରୋଧରେ ପରିବାର ଲୋକ ଏଭଳି ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ପୋଲିସ ନିର୍ଦେଶ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.