ଲାଞ୍ଚୁଆ ପୋଲିସ କର୍ମଚାରୀକୁ ୫ବର୍ଷର କାରାଦଣ୍ଡ, ଏତିକି ଟଙ୍କା ଲାଗିଲା ଜରିମାନା

Published By : Prameya-News7 Bureau | January 31, 2023 IST

ବାରିପଦା: ବାରିପଦା ସ୍ଵତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ମଙ୍ଗଳବାର ଏକ ଲାଞ୍ଚ ନେବା ମାମଲାର ରାୟ ପ୍ରକାଶ ପାଇଛି। ସ୍ଵତନ୍ତ୍ର ବିଚାରପତି ଡ଼ଃ ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୫ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୪୦ ହଜାର ଟଙ୍କା ଜରିମାନା କରିଥିବା ବେଳେ ଜରିମାନା ଅନାଦେୟ ଅଧିକ ୧ବର୍ଷ ୨ମାସ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି ରାୟରେ ଉଲ୍ଲେଖ ରହିଛି। ଅଭିଯୁକ୍ତ ହେଲେ ଖୁଣ୍ଟା ଥାନାର ତତ୍କାଳୀନ ସବ ଇନିସ୍ପେକ୍ଟର ହୃଷିକେଶ ପଶ୍ଚିମକବାଟ।

ଅଭିଯୋଗ ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ଥାନାରେ ଏକ ଯୌତୁକ ନିର୍ଯାତନା ମାମଲାରେ ଅଭିଯୁକ୍ତ ମାନଙ୍କ ସପକ୍ଷରେ ରିପୋର୍ଟ ଦେବାକୁ ଲାଞ୍ଚ ନେଉଥିଲେ। ଖୁଣ୍ଟା ଥାନା ଅନ୍ତର୍ଗତ  ସାନବେଳାକୁଟି ଗ୍ରାମର ସଞ୍ଜୀବ ପୁଥାଳଙ୍କ ସମେତ ପରିବାରର ୭ ଜଣଙ୍କ ବିରୋଧରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା। ଏହି ମାମଲରେ ଅଭିଯୁକ୍ତ ମାନଙ୍କୁ ଗିରଫ ନ କରିବା ପାଇଁ ଏସଆଇ ହୃଷିକେଶ ପଶ୍ଚିମକବାଟ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ତେବେ ୫ ହଜାର ଟଙ୍କା ନେଇଥିବା ବେଳେ ବଳକା ଟଙ୍କା ଶିଘ୍ର ଦେବାକୁ କହିଥିଲେ। ଏହାକୁ ନେଇ ସଞ୍ଜୀବଙ୍କ ଭାଇ ବିବେକାନନ୍ଦ ପୁଥାଳ ବାରିପଦା ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।

ଅଭିଯୋଗ ମୁତାବକ ବାଲେଶ୍ଵର ଭିଜିଲାନ୍ସ ବିଭାଗରେ ଏକ ମାମଲା ରୁଜୁ ହୋଇଥିଲା। ପୂର୍ବ ଯୋଜନା ମୁତାବକ ୧୩/୦୪/ ୨୦୧୫ ରାତି ସମୟରେ ୭ ହଜାର ଟଙ୍କା ଲାଞ୍ଚ ଏସଆଇ ହୃଷିକେଶ ପଶ୍ଚିମକବାଟ ଥାନା ମଧ୍ୟରେ ନେଉଥିବା ସମୟରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ତାଙ୍କ ଠାରୁ ରାସାୟନିକ ବୋଲା ୭ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ ଟିମ। ଏହାକୁ ନେଇ ୧୧/୧୫ରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଏସଆଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

୮ଜଣ ସାକ୍ଷୀ, ବୟାନ ଓ ପ୍ରମାଣ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ତେବେ ଏସଆଇ ହୃଷିକେଶ ପଶ୍ଚିମକବାଟ ବର୍ତ୍ତମାନ ସମୟରେ ବାଲେଶ୍ଵର ଟ୍ରାଫିକ ଥାନାରେ ସବ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ରହିଛନ୍ତି। ତେବେ ରାୟ ପ୍ରକାଶ ପରେ ହୃଷିକେଶଙ୍କୁ ଗିରଫ କରାଯାଇ ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଉକ୍ତ ମାମଲାକୁ ସତନ୍ତ୍ର ଭିଜିଲାନ୍ସ କୋର୍ଟର ସରକାରୀ ଆଇନଜୀବୀ ଶାନ୍ତନୁ ଦାସ ପରିଚାଳନା କରୁଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ହୃଷିକେଶଙ୍କୁ ଚାକିରୀରୁ ବରଖାସ୍ତ କରିବା ପାଇଁ ପୋଲିସ ବିଭାଗକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.