ପୁଣି ଖୋଲିବ ନବ ଦାସ ହତ୍ୟା ମାମଲା ଫାଇଲ୍

Published By : Prameya-News7 Bureau | August 13, 2024 IST

ଭୁବନେଶ୍ଵର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାର କେସ୍ ରିଓପନ କରିବେ ବିଜେପି ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ ମନ୍ତ୍ରୀ ଥିଲେ । ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇପାରିବ ନାହିଁ । ସେହିଭଳି ଖାଲି ନବ ଦାସ ହତ୍ୟା ମାମଲା ନୁହେଁ, ଅନେକ ପୁରୁଣା କେସର ରିଓପନ କରାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ । ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଏବଂ ମମିତା ମେହେର ହତ୍ୟା ମାମଲା ମଧ୍ୟ ରିଓପନ ହେବ ବୋଲି ସେ କହିଛନ୍ତି । ସେପଟେ ବିଜେଡି କହିଛି ପୂର୍ବ ସରକାରରେ ଏସବୁ ମାମାଲାକୁ ଆଇନ ପରିସର ଭିତରେ ଠିକ୍ ଭାବେ ତଦନ୍ତ କରାଯାଇ ପଦକ୍ଷେପ ନିଆଯାଇଛି। 

ମନ୍ତ୍ରୀ କହିଛନ୍ତି ଯେ, ନବ ଦାସ ଜଣେ ବିଜେଡି ନେତା ହେଲେ ମଧ୍ୟ ସେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ଆଉ ସ୍ପଷ୍ଟ ଦିବାଲୋକରେ ଜଣେ ମନ୍ତ୍ରୀଙ୍କ ହତ୍ୟାକୁ କେବେ ବି ହାଲକା ଭାବେ ଗ୍ରହଣ କରାଯାଇପାରିବ ନାହିଁ ।  ୨୦୨୩ ଜାନୁଆରୀ ୨୯ରେ ନବ ଦାସଙ୍କୁ ଦିନ ଦ୍ବିପ୍ରହରରେ ଗୁଳି କରି ହତ୍ୟା କରିଥିଲେ ଏଏସଆଇ ଗୋପାଳ ଦାସ । ଏହି ହତ୍ୟାକାଣ୍ଡ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ଥିବା ନେଇ ମଧ୍ୟ ଅଭିଯୋଗ ଆସିଥିଲା । ଅଭିଯୁକ୍ତ ଗୋପାଳ ଦାସ ଜେଲରେ ଥିଲେ ମଧ୍ୟ ଏହି ହତ୍ୟାକାଣ୍ଡ ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ନେଇ ଅଭିଯୋଗ ହୋଇଥିଲା ।  ଏହି ହତ୍ୟାକାଣ୍ଡର କାରଣ ଉପରୁ ଏଯାଏଁ ପରଦା ହଟିନାହିଁ ।  କେବଳ ନବ ଦାସ ହତ୍ୟା ମାମଲା ନୁହେଁ ଅନେକ ପୁରୁଣା କେସର ରିଓପନ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ୨୦୦୮ରେ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲା ଏବଂ ୨୦୨୨ରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାର ମଧ୍ୟ ରିଓପନ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । 

ଆଇନ୍ ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ବିଧାୟକ ଅଶ୍ବିନୀ ପାତ୍ର କହିଛନ୍ତି,  ଆଇନର ଧାରା IPC, CRPC ଅନୁଯାୟୀ କେସ୍ ଚାଲିଥାଏ । ସେହି ଅନୁସାରେ କୋର୍ଟରେ ବିଚାର ହୁଏ । କେସ୍ ରିଓପନ କରିବା ନ କରିବା ସେଇଟା ଆଇନର ପରିସର ।  ଆଇନର ଧାରା ଯାହା ଆସିବ ସେହି ଅନୁଯାୟୀ ସେମାନେ କରିବେ । ଲୋକଙ୍କ ମନରେ ନବ ଦାସ ହତ୍ୟାକାଣ୍ଡ ନେଇ କୌଣସି ସନ୍ଦେହ ନାହିଁ । ପୂର୍ବ ସରକାର ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଠିକ ଭାବେ ତଦନ୍ତ କରାଯାଇଛି ଏବଂ ଆଇନର ପରିସର ଭିତରେ ଠିକ ଭାବେ ପଦକ୍ଷେପ ନିଆଯାଇଛି ।  

ବହୁଚର୍ଚ୍ଚିତ ନବ ଦାସ ହତ୍ୟା ଘଟଣାକୁ ନେଇ ସେତେବେଳେ ଢ଼େର୍ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଏହାକୁ ପ୍ରମୁଖ ଅସ୍ତ୍ର କରି ରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ । ଏବେ ସରକାର ବଦଳିବା ପରେ ଆଇନ୍ ମନ୍ତ୍ରୀ ଯେତେବେଳେ ପୁଣି ଫାଇଲ୍ ରିଓପନ କଥା ଉଠାଇଛନ୍ତି ସେତେବେଳେ ଏହାକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.