ରାଜ୍ୟରେ କମି ଚାଲିଛି କନ୍ୟା ଜନ୍ମହାର, ୧୦୦୦ ପୁଅରେ ଅଛନ୍ତି ୮୯୪ ଝିଅ, ଏହି ୫ ଜିଲ୍ଲାର ସ୍ଥିତି ଚିନ୍ତାଜନକ
9/07/2023 at 9:10 PM

ଝାରସୁଗୁଡ଼ା/ଭୁବନେଶ୍ଵର: ରାଜ୍ୟରେ କ୍ରମାଗତ ଭାବେ କମୁଛି କନ୍ୟା ଜନ୍ମହାର। ଯଦିଓ ଡାକ୍ତରଖାନାରେ ପ୍ରସବ ସଂଖ୍ୟା ବଢ଼ିଛି ହେଲେ କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହାର କମିବା ଚିନ୍ତା ବଢାଇଛି। ଭବିଷ୍ୟତ ପାଇଁ ଏହା ଏକ ବଡ ଆହ୍ବାନ ହେବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ବେଚ୍ଛାସେବୀ। ଶିକ୍ଷିତ ଲୋକମାନେ ଅଧିକ ସଂଖ୍ୟାରେ ନିଜ ଗୋଡରେ ନିଜେ କୁରାଢି ମାରି ଆଗକୁ ବିପଦକୁ ଡାକୁଛନ୍ତି।
ଅଧିକ ପଢନ୍ତୁ- ଆଗାମୀ ୭୮ ବର୍ଷ ମଧ୍ୟରେ ୪୧ କୋଟି କମିବ ଭାରତର ଜନସଂଖ୍ୟା, ଦ୍ରୁତ ଗତିରେ ହ୍ରାସ ପାଇବ ଜନ ଘନତ୍ୱ
ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ରିପୋର୍ଟ ଅନୁସାରେ ଝିଅ ଜନ୍ମ ଅନୁପାତ ଉଦ୍ବେଗଜନକ ରହିଛି । ଦେଶରେ ହଜାରେ ପୁଅରେ ଝିଅ ସଂଖ୍ୟା ୯୨୯ ଥିବା ବେଳେ ଓଡିଶାରେ ଏହା ୮୯୪। ଗ୍ରାମାଞ୍ଚଳରେ ପ୍ରତି ହଜାରେ ବାଳକରେ ୮୮୫ କନ୍ୟା ସନ୍ତାନ ଜନ୍ମ ହେଉଥିବା ବେଳେ ସହରାଞ୍ଚଳରେ ୯୫୦ । ଏହାକୁ ଦୃଷ୍ଟିରେ ରଖି ୨୦୩୬ ସୁଦ୍ଧା ଦେଶରେ ସେକ୍ସ ରେସିଓ ସୁଧାରି ଅତିକମରେ ହଜାରେ ପୁଅରେ ୯୫୨ ଝିଅ ଯେପରି ଜନ୍ମ ନିଅନ୍ତି ସେଥିପ୍ରତି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର |

ଦିନକୁ ଦିନ ଗର୍ଭପାତ ବଢୁଥିବା ଏବଂ PCPNDT ଆକ୍ଟର ସଠିକ୍ ଉପଯୋଗ ହେଉନଥିବା କାରଣରୁ ଏଭଳି ସମସ୍ୟା ଉପୁଜିଥିବା କହିଛନ୍ତି ସ୍ବେଚ୍ଛାସେବୀ । ଭ୍ରୁଣ ଚିହ୍ନଟ ପ୍ରକ୍ରିୟାରେ ରହିଥିବା କଟକଣାକୁ ଆହୁରି କଡ଼ାକଡି ପାଳନ କରାଯିବା ଆବଶ୍ୟକ ବୋଲି ମତ ରଖିଛନ୍ତି ଆଇନଜୀବୀ ।
ଅଧିକ ପଢନ୍ତୁ- ଲିଙ୍ଗ ଅନୁପାତ ବଢିଲା : ଦେଶରେ ୧୦୦୦ ପୁରୁଷରେ ୧୦୨୦ ମହିଳା
କଟକ ଜିଲ୍ଲାରେ ପ୍ରତି ହଜାରେ ବାଳକ ସନ୍ତାନରେ ଶିଶୁ କନ୍ୟା ସଂଖ୍ୟା ୭୪୫ । ଝାରସୁଗୁଡାରେ ତାହା ୭୯୩, ପୁରୀରେ ୭୮୨, ସୁନ୍ଦରଗଡ଼ରେ ୮୦୯ ଓ ଖୋର୍ଦ୍ଧାରେ ୮୧୦ ରହିଛି। ସହରାଞ୍ଚଳରେ ସମସ୍ତ ଦମ୍ପତି ଗୋଟିଏ ସନ୍ତାନ, ତାହା ପୁଣି ପୁଅ ହେବାର ମାନସିକତା ରଖୁଥିବା ସ୍ବେଚ୍ଛାସେବୀ କହିଛନ୍ତି। ଝାରସୁଗୁଡା ଜିଲ୍ଲାରେ ଗର୍ଭପାତ ସଂଖ୍ୟା ଉପରେ ନଜର ପକାଇଲେ ୨୦୨୦-୨୧ରେ ଥିଲା ୪୬୫ ।

୨୦୨୧-୨୨ରେ ୫୭୪ ଏବଂ ୨୦୨୨-୨୩ରେ ଏହା ୭୬୩କୁ ବୃଦ୍ଧି ପାଇଛି । ଏହାକୁ ସ୍ବୀକାର କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଝାରସୁଗୁଡା ଜିଲ୍ଲାପାଳ ଏକ ଉଚ୍ଚସ୍ତରୀୟ ବୈଠକ କରି ଏହା ଉପରେ ଦୃଷ୍ଟି ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଛନ୍ତି । ବେଆଇନ୍ ଭାବେ ଚାଲୁଥିବା ଅଲ୍ଟ୍ରାସାଉଣ୍ଡ କ୍ଲିନିକ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ |
ଏଭଳି ଲିଙ୍ଗଗତ ବ୍ୟବଧାନ ସମସ୍ୟା ସୃଷ୍ଟି କରିଛି । ବାହାଘର ପାଇଁ ଝିଅ ଖୋଜା ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଝିଅପୁଅ ଜନ୍ମହାରରେ ଏଭଳି ବ୍ୟବଧାନ ଜାରି ରହିଲେ ଆଗାମୀ ୧୦ ବର୍ଷ ମଧ୍ୟରେ ପୁଅଙ୍କୁ ଆଉ ଝିଅ ମିଳିବନି ବୋଲି ସାଧାରଣରେ ମତପ୍ରକାଶ ପାଇଛି।