ବିଶ୍ଵ କପ୍ରେ ଭାରତର ମାର୍ଗ ସବୁଠୁ କଠିନ, ଆଜି ନ୍ୟୁଜିଲାଣ୍ଡକୁ ହରାଇବା ପରେ ବି…
22/01/2023 at 11:27 AM

ଭୁବନେଶ୍ଵର: ପୁରୁଷ ହକି ବିଶ୍ଵ କପ୍ ୨୦୨୩ରେ ରବିବାର ଆରମ୍ଭ ହେବ କ୍ରସ୍ ଓଭର ମୁକାବିଲା। ନିଜର କ୍ରସ୍ ଓଭର ମୁକାବିଲାରେ ଭାରତ ଆଜି ନ୍ୟୁଜିଲାଣ୍ଡକୁ ଭେଟିବ। ଏହି ମୁକାବିଲା ଜିତିଲେ ଦଳ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବ। ତେବେ ବି ଭାରତ ପାଇଁ ମାର୍ଗ ସେତେଟା ସହଜ ହେବନି। ଦଳ ପାଇଁ କ୍ଵାର୍ଟର ଫାଇନାଲ୍ ମୁକାବିଲା ସବୁଠୁ ମୁସ୍କିଲ ସାବ୍ୟସ୍ତ ହୋଇପାରେ।
ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡଠୁ ପଛୁଆ ରହି ଗ୍ରୁପ ଡିରେ ଦ୍ଵିତୀୟ ସ୍ଥାନରେ ଥିବା ଭାରତ ରବିବାର ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମରେ ଖେଳା ଯିବାକୁ ଥିବା କ୍ରସ୍ ଓଭର ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭେଟିବ। ଯଦି କୋଚ୍ ଗ୍ରାହମ ରିଡ୍ଙ୍କ ଦଳ ବିଜୟ ହାସଲ କରେ ତେବେ କ୍ଵାର୍ଟର ଫାଇନାଲ୍ରେ ପ୍ରବେଶ କରିବ। ଏହା ପରେ ଭାରତୀୟ ଦଳର ମୁକାବିଲା ଅଲିମ୍ପିକରେ ସ୍ଵର୍ଣ୍ଣ ପଦକ ବିଜେତା ତଥା ବିଶ୍ଵ ଚାମ୍ପିଅନ ବେଲଜିୟମ ସହ ହେବ।
ସବୁଠୁ ମୁସ୍କିଲ ମ୍ୟାଚ୍

ଭାରତୀୟ ଦଳ ପୁଲ୍ ଡିରେ ଗୋଲ୍ ବ୍ୟବଧାନ କାରଣରୁ ଇଂଲଣ୍ଡ ପଛକୁ ଦ୍ଵିତୀୟ ସ୍ଥାନରେ ରହିଛି। କ୍ଵାର୍ଟର ଫାଇନାଲ୍ରେ ସିଧାସଳଖ ପ୍ରବେଶ ପାଇଁ ଭାରତକୁ ନିଜର ଶେଷ ଲିଗ୍ ମ୍ୟାଚ୍କୁ ୮ ଗୋଲ୍ ବ୍ୟବଧାନରେ ଜିତିବା ଦରକାର ଥିଲା। ହେଲେ ଦଳ ଓ୍ଵେଲ୍ସକୁ ବିପକ୍ଷରେ ୪-୨ ଗୋଲ୍ରେ ଜିତିବାରେ ସକ୍ଷମ ହୋଇ ପାରିଥିଲା।
ଏ ଖବର ପଢନ୍ତୁ- ହକି ବିଶ୍ୱକପ୍ରେ ୧୨ ଖେଳାଳିଙ୍କୁ ନେଇ ଖେଳିଲା ଜାପାନ, ମ୍ୟାଚ୍ ପରିଚାଳନା ନେଇ ଉଠିଲା ପ୍ରଶ୍ନ ?
ଭାରତର ଏ ପର୍ଯ୍ୟନ୍ତ ଯାତ୍ରା
ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଉପରେ ନଜର ପକାଇଲେ ଦଳ ୩ ପଏଣ୍ଟ ସହ ଗ୍ରୁପ ସିରେ ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲାଣ୍ଡ ୩ ମ୍ୟାଚ୍ରୁ ଗୋଟିଏରେ ବିଜୟଲାଭ କରିଥିବା ବେଳେ ଦୁଇଟି ମ୍ୟାଚ୍ ହାରିଛି। ଭାରତ ନିଜର ପ୍ରଥମ ମୁକାବିଲାରେ ସ୍ପେନକୁ ୨-୦ରେ ହରାଇ ବିଜୟ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଇଂଲଣ୍ଡ ସହିତ ମ୍ୟାଚ୍ ଅମୀମାଂସିତ ରହିଥିଲା। ଫଳରେ ଭାରତର କ୍ଵାର୍ଟର ଫାଇନାଲ୍ ମାର୍ଗ ମୁସ୍କିଲ ହୋଇ ପଡିଥିଲା। ପୁଣି ନିଜର ଶେଷ ଲିଗ୍ ମ୍ୟାଚ୍ରେ ଦଳ ଓ୍ଵେଲ୍ସ ବିପକ୍ଷରେ ବଡ ଗୋଲ୍ ବ୍ୟବଧାନରେ ଜିତି ପାରିନାହିଁ। ତଥାପି ଦଳର ଟୁର୍ଣ୍ଣାମେଣ୍ଟରେ ଆଗକୁ ଯିବାର ଆଶା ବଳବତ୍ତର ରହିଛି।