ଶେଷରେ ନିଜ ଛାପ ନିଜେ ଢୋକିଲା ଶିକ୍ଷା ବିଭାଗ, ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ପ୍ରସଙ୍ଗରେ ଦେଇଥିବା ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କଲେ ବିଇଓ

Published By : Prameya-News7 Bureau | July 11, 2022 IST

ଢେଙ୍କାନାଳ, ୧୧।୦୭: ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା । ଏଥିପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଅନୁମତି ଆବଶ୍ୟକ । ନଚେତ ଗଣମାଧ୍ୟମ ପ୍ରତିନିଧିଙ୍କ ନାମରେ ଥାନାରେ ଏଫଆଇଆର ଦେବାକୁ ଚିଠି ମାଧ୍ୟମରେ କଡା ନିର୍ଦ୍ଦେଶ ଦେଇଥିଲେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଶିକ୍ଷା ଅଧିକାରୀ । ଆଉ ଏବେ ନିଜ ଛେପ ନିଜେ ଢ଼ୋକିଛି ଶିକ୍ଷା ବିଭାଗ । ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି । ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କଙ୍କଡାହାଡ଼ ବିଇଓ ସ୍କୁଲ ମାନଙ୍କୁ ଦେଇଥିବା ନିର୍ଦ୍ଦେଶନାମାକୁ ନିଜେ ପୁଣି ପ୍ରତ୍ୟାହାର କରିଥିବା ଜଣାପଡିଛି ।

ସୂଚନା ଥାଉକି, ସ୍କୁଲକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ମନା ପ୍ରସଙ୍ଗରେ ରାଜ୍ୟ ବ୍ୟାପି ପ୍ରତିବାଦର ସ୍ବର ଦୃଢ଼ୀଭୂତ ହେବାରେ ଲାଗିଥିଲା । ବିରୋଧୀ ଦଳଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ରାଜ୍ୟ ଗଣଶିକ୍ଷା ସଚିବ ତଥା ଭୁବନେଶ୍ୱର ସଂସଦ ଅପରାଜିତା ଷଡ଼ଙ୍ଗୀ ଓ ବରିଷ୍ଠ ସାମ୍ବାଦିକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଘଟଣାକୁ ସମାଲୋଚନା କରିବାରେ ଲାଗିଥିଲେ । ଏପରିକି ଶିକ୍ଷା ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶ ନାମା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ଖୋଦ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ଗଣମାଧ୍ୟମକୁ ମତବ୍ୟକ୍ତ କରି ନିଜେ ଝାଡ଼ି ଝୁଡ଼ି ହୋଇପଡିଥିଲେ । ଫଳରେ ବାଧ୍ୟ ହୋଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିର୍ଦ୍ଦେଶ ଦେଇଥିବା ଚିଠିକୁ କଙ୍କଡାହାଡ଼ ବିଇଓ ପ୍ରତ୍ୟାହାର କରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.