ଉତ୍ତର ପ୍ରଦେଶରେ ମୁସଲିମଙ୍କୁ ମିଳୁଥିବା ଓବିସି ସଂରକ୍ଷଣର ହେବ ଯାଞ୍ଚ, ସମୀକ୍ଷା କରିବାକୁ ଯୋଗୀ ସରକାରଙ୍କ ନିଷ୍ପତ୍ତି

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ: ଓବିସିର ୨୭ ପ୍ରତିଶତ ସଂରକ୍ଷଣରେ ମୁସଲମାନଙ୍କୁ ମିଳୁଥିବା ଲାଭର ଉତ୍ତର ପ୍ରଦେଶ ସରକାର ଏବେ ସମୀକ୍ଷା କରିବେ । କଲିକତା ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ମୁଦ୍ଦାରେ ବାବା ସାହେବ ଭୀମରାଓ ଆମ୍ୱେଦକରଙ୍କ ମତ ହିଁ ଚୂଡାନ୍ତ ଅଟେ । ଆମେ ତାଙ୍କର ଭାବନାକୁ ପାଳନ କରିବା ଦରକାର । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ରାଜ୍ୟର ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର କଶ୍ୟପ କହିଛନ୍ତି ଯେ ରାଜ୍ୟ ସରକାର ଏହି ମାମଲାରେ ସମୀକ୍ଷା କରିବେ ଏବଂ ପଛୁଆ ବର୍ଗଙ୍କ ସଂରକ୍ଷଣକୁ ରକ୍ଷା କରିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ।

ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର କଶ୍ୟପ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ଅନ୍ୟ ପଛୁଆ ବର୍ଗର ୨୭ ପ୍ରତିଶତ ସଂରକ୍ଷଣରେ ମୁସଲମାନଙ୍କ ଲାଭ ଦେବାର ପ୍ରାବଧାନ ରାଜ୍ୟର ସଂଖ୍ୟାଲଘୁ ଆୟୋଗର ପ୍ରସ୍ତାବ ଉପରେ ହୋଇଥିଲା ନା ରାଜ୍ୟର କୌଣସି ସରକାର ଏହା ଉପରେ ନିଷ୍ପତ୍ତି ନେଇଥିଲେ ? ଏହାର ଛାନଭିନ୍ କରାଯିବ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଏହା ଉପରେ କଲିକତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ସେହି ଆଦେଶର ଅଧ୍ୟୟନ ଆରମ୍ଭ କରିଛନ୍ତି । ଯେଉଁଥିରେ ଧର୍ମ ଆଧାରରେ ମୁସଲିମ ଜାତିଗୁଡିକୁ ଓବିସି ସଂରକ୍ଷଣ ଦିଆଯିବାକୁ ଅସାମ୍ୱିଧାନିକ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ପୁରୀରେ ଜନସଭାକୁ ସମ୍ୱୋଧନ କରି କଲିକତା ହାଇକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାସହ କହିଥିଲେ ଯେ ଟିଏମସି ସରକାର ୨୦୧୦ରୁ ଲଗାତାର ମୁସଲମାନଙ୍କୁ ଓବିସିରେ ଜୋର କରି ସାମିଲ କରି ଓବିସି ସଂରକ୍ଷଣରେ ଅନୁପ୍ରବେଶ କରିବାରର ଷଡ଼ଯନ୍ତ୍ର କରିଥିଲା । କଲିକତା ହାଇକୋର୍ଟ ଟିଏମସି ସରକାରର ସମସ୍ତ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ଏବଂ କହିଛନ୍ତି ଯେ ଭାରତ ଭିତରେ ଧର୍ମ ଆଧାରରେ ସଂରକ୍ଷଣ ଦିଆଯାଇ ପାରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.