ଦେଶରେ ୪ ଲକ୍ଷରୁ ଅଧିକ ଭିକାରୀ, ଜାଣନ୍ତୁ କେଉଁ ଆଇନ ଅଧିନରେ ଭିକ ମାଗିବା ଅପରାଧ, କ'ଣ ରହିଛି ଦଣ୍ଡ ?

Published By : Prameya-News7 Bureau | March 14, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଏବଂ ଜଷ୍ଟିସ୍ ହରିଶଙ୍କର ୨୦୧୮ରେ ନିଜ ରାୟରେ କହିଥିଲେ, ‘ଲୋକେ ଭିକ ଏଥିପାଇଁ ମାଗନ୍ତି ନାହିଁ କାରଣ ତାହା ସେମାନଙ୍କର ଇଚ୍ଛା, ବରଂ ଏଥିପାଇଁ ମାଗନ୍ତି କାରଣ ତାହା ସେମାନଙ୍କ ଆବଶ୍ୟକତା ଅଟେ । ନିଜ ଜୀବନ ବଞ୍ଚିବା ପାଇଁ ତାଙ୍କ ପାଖରେ ଭିକ ମାଗିବା ହିଁ ଶେଷ ଉପାୟ’ । କୋର୍ଟ ଭିକ ମାଗିବାକୁ ଅପରାଧ ଘୋଷଣା କରୁଥିବା ଆଇନକୁ ରଦ୍ଦ କରିଥିଲେ । ଏହାସହ କହିଥିଲେ ଯେ ଭିକ ମାଗିବାକୁ ଅପରାଧ ଘୋଷଣା କରାଯିବା ଦ୍ୱାରା ଦୁର୍ବଳ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେବ ।

ପରେ ଏହି ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ସୁପ୍ରିମକୋର୍ଟ ମଧ୍ୟ ଭିକ ମାଗିବା ଉପରେ ବ୍ୟାନ ଲଗାଇବାକୁ ମନା କରି ଦେଇଥିଲେ । ନିକଟରେ ନାଗପୁରକୁ ଭିକାରୀ ମୁକ୍ତ ସହର କରିବା ପାଇଁ ଘୋଷଣା କରାଯାଇଛି । ପୋଲିସର କହିବା ଅନୁସାରେ ସାର୍ବଜନୀନ ସ୍ଥାନରେ ଭିକ୍ଷା ମାଗିବାକୁ ଅନୁମତି ଦିଆଯିବ ନାହିଁ। ଅନ୍ୟପଟେ ସରକାର ବ୍ରିଟିଶ ଅମଳର ଅନେକ ଆଇନକୁ ଶେଷ କରିବାକୁ ଯାଉଛନ୍ତି । ଏଥିରେ ଗୋଟିଏ ଆଇନ ହେଉଛି ରେଲୱେ ଷ୍ଟେସନରେ ଭିକ ମାଗିବାକୁ ଅପରାଧ ରୂପେ ଗଣାଯିବା । ଏହି ଦୁୁଇ ଘଟଣା ପୁଣି ଥରେ ଚର୍ଚ୍ଚାକୁ ବଡ଼ କରାଇଛି।

ଦେଶରେ ଭିକରୀଙ୍କ ସଂଖ୍ୟା ଉପରେ ସଦ୍ୟ ଡାଟା ଉପଲବ୍ଧ ନାହିଁ । ତେବେ ୨୦୨୧ ଡିସେମ୍ୱର ୧୪ରେ ସରକାର ଭିକାରୀଙ୍କ ସଂଖ୍ୟା ସହ ଜଡିତ ଏକ ତଥ୍ୟ ଦେଇଥିଲେ । ଏହି ଡାଟା ୨୦୧୧ ଜନଗଣନାରୁ ଦିଆଯାଇଥିଲା । ଏଥିରେ ସରକାର କହିଥିଲେ ଯେ ଦେଶରେ ଭିକାରୀଙ୍କ ସଂଖ୍ୟା ୪ ଲକ୍ଷ ୧୩ ହଜାରରୁ ଅଧିକ ରହିଛି । ଏଥିରେ ୨.୨୧ ଲକ୍ଷ ପୁରୁଷ ଏବଂ ୧.୯୨ ଲକ୍ଷ ମହିଳା ଅଛନ୍ତି । ଏଥିରେ ୬୧ ହଜାରରୁ ଅଧିକଙ୍କ ବୟସ ୧୯ ବର୍ଷରୁ ମଧ୍ୟ କମ ରହିଛି ।

ଏହି ତଥ୍ୟ ଅନୁସାରେ ଦେଶରେ ସବୁଠୁ ଅଧିକ ଭିକାରୀ ପଶ୍ଚିମବଙ୍ଗରେ ଅଛନ୍ତି । ପଶ୍ଚିମବଙ୍ଗରେ ଭିକାରୀଙ୍କ ସଂଖ୍ୟା ୮୧,୨୪୪ ରହିଥିଲା । ଦ୍ୱିତୀୟ ସ୍ଥାନରେ ଉତ୍ତର ପ୍ରଦେଶରେ ୬୫,୮୨୩ ଭିକାରୀ ଅଛନ୍ତି । ଆନ୍ଧ୍ର ପ୍ରଦେଶରେ ୩୦ ହଜାର ୨୧୮, ବିହାରରେ ୨୯,୭୨୩, ମଧ୍ୟ ପ୍ରଦେଶରେ ୨୮,୬୯୫ ଏବଂ ରାଜସ୍ଥାନରେ ୨୫ ହଜାର ୮୫୩ ଭିକାରୀ ଅଛନ୍ତି ।

ବର୍ତ୍ତମାନ ସମୟରେ ଭାରତରେ ଭିକ ମାଗିବା ଉପରେ ରୋକ ଲଗାଇବା ପାଇଁ କୌଣସି କେନ୍ଦ୍ରୀୟ ଆଇନ ନାହିଁ । ତେବେ ୧୯୫୯ର ବମ୍ୱେ ପ୍ରଭିନସନ ଅଫି ବେଗିଂଗ୍ ଆକ୍ଟ ୨୦ରୁ ଅଧିକ ରାଜ୍ୟରେ ଲାଗୁ ରହିଛି । ରାଜଧାନୀ ଦିନରେ ମଧ୍ୟରେ ଏହି ଆଇନ ଲାଗୁ ରହିଛି । ଏହି ଆଇନ ଭିକ ମାଗିବାକୁ ଅପରାଧ ଦର୍ଶାଉଛି । ଏହି ଆଇନରେ କେବଳ ରାସ୍ତାରେ ଭିକ ମାଗିବାକୁ ଅପରାଧ ବୋଲି ଧରାଯାଏ ନାହିଁ ବରଂ ଯଦି କେହି ସାର୍ବଜନୀନ ସ୍ଥାନରେ ନୃତ୍ୟ କରି, ଗୀତ ଗାଇ, ଚିତ୍ର ଆଙ୍କିବା ବଦଳରେ ଲୋକଙ୍କୁ ଠାରୁ ଟଙ୍କା ପାଆନ୍ତି ତେବେ ଏହାକୁ ଭିକ ବୋଲି ଗଣାଯିବ । ଯଦି କୌଣସି ବ୍ୟକ୍ତି ଭିକ ମାଗିବା ସମୟରେ ଧରା ପଡିନ୍ତି ତେବେ ତାଙ୍କୁ ତିନି ବର୍ଷ ଯାଏ ବେଗର୍ ହୋମରେ ରଖାଯାଇ ପାରିବ । ଯଦି ସେହି ବ୍ୟକ୍ତି ପୁଣି ଥରେ ଭିକ ମାଗି ଧରା ପଡନ୍ତି ତେବେ ତାଙ୍କୁ ୧୦ ବର୍ଷ ଯାଏଁ ହେପାଜତରେ ରଖାଯାଇ ପାରିବ । କେବଳ ଏହା ନୁହେଁ, ପୋଲିସ ବିନା ୱାରେଣ୍ଟରେ ମଧ୍ୟ ଗିରଫ କରିପାରିବେ ।

ଏହିପରି ଉତ୍ତର ପ୍ରଦେଶରେ ମଧ୍ୟ ୧୯୭୫ ମସିହାରୁ ଆଇନ ରହିଛି । ରେଲୱେ ଆକ୍ଟ ଅଧିନରେ ରେଲୱେ ଷ୍ଟେସନରେ ଭିକ ମାଗିବା ଅପରାଧ ଅଟେ । ରେଲୱେ ଆକ୍ଟ ୧୪୪ ଅଧିନରେ ରେଲୱେ ଷ୍ଟେସନ କିମ୍ୱା ପ୍ଲାଟଫର୍ମରେ ଭିକ ମାଗିବା ଅପରାଧ ଅଟେ । ଭାରତରେ ପିଲାଙ୍କୁ ଏଥିରେ ନିୟୋଜିତ କରାଇବା ଏକ ବଡ଼ ଅପରାଧ ଅଟେ, ଏଥିପାଇଁ ତିନି ବର୍ଷ ଯାଏଁ ଜେଲ ଦଣ୍ଡ ମିଳିପାରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.