ଆସିଲା ପାରାଦୀପରେ ମୃତ୍ୟୁ ବରଣ କରିଥିବା ଋଷୀୟ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ
7/01/2023 at 7:03 PM

ଜଗତସିଂହପୁର: ପାରାଦୀପରେ ଜାହାଜ ଭିତରେ ଋଷୀୟ ନାଗରିକ ମିଲ୍ ୟାକୁବ ସର୍ଜଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ହୃଦଘାତରେ ମୃତ୍ୟୁ ହୋଇ ଥିବାର ଜଗତସିଂହପୁର ଏସ୍ପି ରାହୁଲ ପିଆର କହିଛନ୍ତି । ଗତ ୪ ତାରିଖ ଦିନ ଋଷୀୟ ଚିଫ ଇଞ୍ଜିନିୟର ମିଲ ୟାକୁବ ସର୍ଜଇଙ୍କର ପାରାଦୀପ ବନ୍ଦରରେ ଲାଗିଥିବା ଜାହାଜ ଅଲଦାନା ଭେସେଲ ଭିତରେ ମୃତ୍ୟୁ ଘଟିଥିଲା । ଏହି ମୃତ୍ୟୁ କୁ ନେଇ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା ।

ଅଭିଯୋଗ ପାଇବା ପରେ ପାରାଦୀପ ମେରାଇନ ଥାନା ପୋଲିସ ଜାହାଜ ଭିତରକୁ ଯାଇ ମୃତ ଦେହ ଜବତ କରିବା ସହିତ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିଲା । ଏଥି ସହିତ ଭିସେରା ଟେଷ୍ଟ ନିମନ୍ତେ ମଧ୍ୟ ମୃତ ଶରୀରର ବିଭିନ୍ନ ପ୍ରମୁଖ ଅଂଶର ନମୂନା ସଂଗ୍ରହ କରାଯାଇ ଭୁବନେଶ୍ୱର ସ୍ଥିତ ଫରେନ୍ସିକ ଲ୍ୟାବକୁ ପଠା ଯାଇଛି । ଏଥି ସହିତ ମୃତ ଋଷୀୟ ନାଗରିକଙ୍କ ଶବକୁ ପାରାଦୀପ ପୋର୍ଟ ହସ୍ପିଟାଲରେ ରଖାଯାଇ ଥିବା ବେଳେ ସମସ୍ତ କାଗଜପତ୍ର କାମ ସରିବା ପରେ ତାଙ୍କର ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯିବ ବୋଲି ଏସ୍ପି କହିଛନ୍ତି ।

ରାୟଗଡ଼ାରେ ଦୁଇ ଜଣ ଋଷୀୟ ନାଗରିକଙ୍କର ସନ୍ଦେହ ଜନକ ଭାବରେ ମୃତ୍ୟୁ ଘଟିବାର କିଛି ଦିନ ପରେ ପାରାଦୀପରେ ପୁନର୍ବାର ଆଉ ଜଣେ ଋଷୀୟ ନଗରିକଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟଣା ଆଲୋଡନ ସୃଷ୍ଟି କରିଥିଲା। ଏବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସନ୍ଦେହର ଏକ ପ୍ରକାର ଅନ୍ତ ଘଟିଥିଲେ ମଧ୍ୟ ଆଗକୁ ତଦନ୍ତ କୁଆଡେ ଯାଉଛି ନା ଏହି ଠାରେ ଏହି ଘଟଣାର ଯବନିକା ପକା ଯାଉଛି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।