ନୂଆଦିଲ୍ଲୀ: କୋଲକାତାର ଆରଜି କର ହସ୍ପିଟାଲ୍ରେ ଜୁନିୟର ମହିଳା ଡାକ୍ତରଙ୍କ ସହ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟ ଅସହଯୋଗଭରା ରହିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୁପ୍ରିମକୋର୍ଟରେ ନିଜର ଆବେଦନ ଦାଖଲ କରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଆଭିମୁଖ୍ୟ ସଂପୂର୍ଣ୍ଣ ଅସହଯୋଗଭରା ରହିଛି। ଫଳରେ ସିଆଇଏସଏଫ ଯବାନଙ୍କୁ କାମ କରିବାରେ ସମସ୍ୟା ହେଉଛି।
ଗୃହ ମନ୍ତ୍ରଣାଳୟ ନିଜ ଆବେଦନରେ କହିଛି, କୋର୍ଟଙ୍କ ଆଦେଶକ୍ରମେ ହସ୍ପିଟାଲ୍ର ସୁରକ୍ଷା ସିଆଇଏସଫଙ୍କ ହାତରେ ରହିଛି। ମାତ୍ର ମେଡିକାଲରେ ସିଆଇଏସଏଫଙ୍କ ରହିବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇ ନାହିଁ। ଯବାନଙ୍କୁ ପ୍ରତିଦିନ ପାଖାପାଖି ଏକ ଘଣ୍ଟା ଯାତ୍ରା କରି ହସ୍ପିଟାଲ୍ରେ ପହଞ୍ଚିବାକୁ ପଡ଼ୁଛି। ଏହି କାରଣରୁ କୌଣସି ଜରୁରୀକାଳିନ ସ୍ଥିତିରେ ଅତିରିକ୍ତ ଫୋର୍ସ ମୁତୟନ କରିବା ସମ୍ଭବ ହୋଇ ପାରୁନି।
ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କୁ ସିଆଇଏସଏଫଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛି। ଯଦି ରାଜ୍ୟ ସରକାର ଏ ଦିଗରେ ତ୍ଵରିତ ପଦକ୍ଷେପ ନ ନିଅନ୍ତି ତେବେ ସରକାରଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ନିଆଯିବ। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୫ ତାରିଖ ହେବ।
ସୂଚନାଯୋଗ୍ୟ, ଆରଜି କର ହସ୍ପିଟାଲରେ ସିଆଇଏସଏଫର ୯୭ ଯବାନ ମୁତୟନ ଅଛନ୍ତି। ଏଥିରୁ ୫୪ ଜଣ ହେଉଛନ୍ତି ମହିଳା। ସେମାନଙ୍କ ପାଇଁ ବି ଉଚିତ୍ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ସିଆଇଏସଏଫଙ୍କୁ ନିଜ ସୁରକ୍ଷା ଉପକରଣ ସଠିକ୍ ଭାବେ ରଖିବାରେ ସମସ୍ୟା ଉପୁଜିଛି।
ସୂଚନାଯୋଗ୍ୟ, ଆରଜିକର ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଅଗଷ୍ଟ ୯ ତାରିଖରେ ୟୁନିୟର ମହିଳା ଡାକ୍ତରଙ୍କ ସହିତ ଦୁଷ୍କର୍ମ ପରେ ହତ୍ୟା ହୋଇଥିଲା। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ଆକ୍ରୋଶର ମାହୋଲ ରହିଛି। କଲିକତା ହାଇକୋର୍ଟଙ୍କ ଆଦେଶକ୍ରମେ ସିବିଆଇ ମାମଲାର ତଦନ୍ତ କରୁଛି। ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରାୟର ପଲିଗ୍ରାଫି ଟେଷ୍ଟ ମଧ୍ୟ ହୋଇ ସାରିଛି।