ସେବାୟତଙ୍କ ମନମାନି, ମହାପ୍ରଭୁଙ୍କୁ ନ ଦେଖି ଭକ୍ତ ନିରାଶ; ରଥ ଟାଣିବାରେ ବି ସମସ୍ୟା

Published By : Prameya-News7 Bureau | July 09, 2024 IST

ପୁରୀ:  ରଥଯାତ୍ରା ପାଇଁ ପୁରୀରେ ଜମିଥିଲା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ । ରଥରେ ଠାକୁରଙ୍କୁ ଦେଖିବାକୁ ଡହଳ ବିକଳ ହୋଇଥିଲେ ଭକ୍ତ । ହେଲେ ସେବାୟତଙ୍କ ମନମାନି ଯୋଗୁଁ ଭକ୍ତଙ୍କୁ ନିରାଶ ହେବାକୁ ପଡ଼ିଥିଲା । ରଥ ଉପରେ ଆବଶ୍ୟକ ଠାରୁ ଅଧିକ ସେବକ ରହିବା କାରଣରୁ ଠାକୁରଙ୍କୁ ଦର୍ଶନ କରିପାରିନଥିଲେ ଭକ୍ତ । ସେହିଭଳି ଅନୁମୋଦିତ ସଂଖ୍ୟାଠାରୁ ଅଧିକ ସଂଖ୍ୟକ ସେବକ ରଥ ଉପରେ ଭିଡ଼ ଜମାଇବାରୁ ରଥ ଗଡ଼ିବାରେ ମଧ୍ୟ ସମସ୍ୟା ହୋଇଥିଲା । ବାରମ୍ବାର କଡ଼ ମାଡ଼ିଥିଲା ରଥ । ଆଉ ଭିଡ଼ ଭିତରେ ରଥ ଟାଣିବାରେ ସମସ୍ୟା ସୃଷ୍ଟି ହୋଇଥିଲା । 

ଭକ୍ତ ଓ ଭଗବାନଙ୍କ ଭିତରେ ବାଧକ ସାଜିଲେ ସେବକ । ରଥାରୁଢ଼ ଚତୁର୍ଦ୍ଧାବିଗ୍ରହଙ୍କୁ ଟିକେ ଭଲ କରି ଦେଖି ପାରିଲେନି ଭକ୍ତ । କାରଣ ରଥ ଉପରେ ଥିଲା ସେବକଙ୍କ ଭିଡ଼ । ସେହିଭଳି ରଥ ଉପରେ ଆବଶ୍ୟକ ଠାରୁ ଅଧିକ ସେବକ ଚଢ଼ିଥିବାରୁ ରଥ ଟଣାରେ ମଧ୍ୟ ବାରମ୍ବାର ବିଭ୍ରାଟ ହୋଇଥିଲା । ବାରମ୍ବାର କଡ଼ ମାଡ଼ିଥିଲା ରଥ । ପୁରୀରେ  ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ଜମିଥିଲା ଲକ୍ଷାଧିକ ଭକ୍ତଙ୍କ ଭିଡ଼ । ରଥାରୁଢ଼ ମହାପ୍ରଭୁଙ୍କୁ ଦର୍ଶନ କରି କୋଟି ଜନ୍ମର ପୁଣ୍ୟ ଲଭିବାକୁ କାହିଁ କେତେ ଦୂରରୁ ଦଉଡ଼ି ଆସିଥିଲେ ଭକ୍ତ । ହେଲେ ଭିଡ଼ ଭିତରେ ଠେଲାପେଲା ହେଲେ, ଅଣନିଶ୍ବାସୀ ହେଲେ ସିନା ହେଲେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିପାରିଲେନି ଭକ୍ତ । କାରଣ ଭକ୍ତ ଓ ଭଗବାନଙ୍କ ମଝିରେ ପାଚେରୀ ହୋଇ ଠିଆ ହୋଇଥିଲେ ସେବାୟତ । ଛେରା ପହଁରା ପରଠାରୁ ରଥ ଉପରେ  ଅଧିକ ସଂଖ୍ୟକ ସେବକ ମହାପ୍ରଭୁଙ୍କ ସାମ୍ନାରେ ଠିଆ ହୋଇ ରହିଥିଲେ । ଯାହା ଫଳରେ ମହାପ୍ରଭୁଙ୍କ ଦର୍ଶନ ପାଇବାରୁ ବଞ୍ଚିତ ହୋଇଥିଲେ ଭକ୍ତ । 

Also read: ବଜ୍ରପାତରେ ଡକାଡକି ହୋଇ ଚାଲିଗଲେ ବାପା-ମାଆ, ୩ ପିଲାଙ୍କ କଥା ବୁଝିବ କିଏ ?

ଶ୍ରୀଗୁଣ୍ଡିଚା ଦିନ ରଥ ଉପରର ଦୃଶ୍ୟ । ତାଳଧ୍ବଜରୁ ନେଇ ଦର୍ପଦଳନ । ପୁଣି ନନ୍ଦିଘୋଷ । ଯେଉଁଠି ଦେଖିବେ ରଥ ଉପରେ କେବଳ ଥିଲେ ସବାୟତ ହିଁ ସେବାୟତ । କେଉଁଠି  ଟିକେ ବି ଠାକୁରଙ୍କ ଶ୍ରୀମୁଖ ଦର୍ଶନ ମିଳୁନଥିଲା ।  ରଥଯାତ୍ରା ସମ୍ପର୍କିତ ବ୍ୟବସ୍ଥାବଳୀ ଅନୁସାରେ ଛେରା ପହଁରା ପରେ କେବଳ ରଥ ସମ୍ପୃକ୍ତ ସେବକ ଓ କର୍ତ୍ତବ୍ୟରତ କର୍ମଚାରୀ ମିଶି ତାଳଧ୍ବଜ ରଥରେ ୬୦ଜଣ, ଦର୍ପଦଳନ ରଥରେ ୫୦ ଜଣ ଓ ନନ୍ଦିଘୋଷ ରଥରେ ୭୦ଜଣ ଭିତରେ ରହିବା କଥା । ହେଲେ ରଥଟଣା ସମୟରେ ତାଳଧ୍ବଜ ଓ ନନ୍ଦିଘୋଷ ରଥରେ ଅନୁମୋଦିତ ସଂଖ୍ୟା ଠାରୁ ଢ଼େର ଅଧିକ ସେବକ ରହିଥିଲେ । 

ତିନି ରଥର ବାଡ଼ରେ କୌଣସି ସେବକ ବସିବା ଓ ଠିଆ ହେବାର ନିୟମ ନଥିବା ବେଳେ ଏସବୁ ନିୟମକୁ ମାନି ନଥିଲେ ସେବକ। ରଥ ଉପରେ ପ୍ରବଳ ଭିଡ଼ ଯୋଗୁଁ ବଡ଼ ଠାକୁରଙ୍କ ରଥ କେତେବେଳେ ଡାହାର ତ କେତେବେଳେ ବାମକୁ କଡ଼ ମାଡ଼ିବାରୁ ସ୍ଥିତି ଅଣାୟତ ହୋଇଥିଲା । ନନ୍ଦିଘୋଷ ରଥ କାଲି ଅଳ୍ପ କିଛି ବାଟ ଗଡ଼ିଥିଲେ ମଧ୍ୟ ସେଥିରେ ବି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା  । ଏଭଳି ଅଭାବନୀୟ ଘଟଣାକୁ ନେଇ କେବଳ ଭକ୍ତ କାହିଁକି କିଛି ସେବାୟତ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ରଥରେ ପ୍ରବଳ ଭିଡ଼ ଯୋଗୁଁ ଦର୍ଶନାର୍ଥୀ ଠାକୁରଙ୍କୁ ଟିକେ ଭଲରେ ଦେଖିବାକୁ ବିକଳ ହୋଇଥିଲେ । ଏମିତିକି ରଥ ଦଉଡ଼ି ଟିକେ ଛୁଇଁବାକୁ ବି ସୁଯୋଗ ପାଇନଥିଲେ ଭକ୍ତ । 

 

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.