ନୂଆଦିଲ୍ଲୀ: ଭାରତୀୟ ପୁରୁଷ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ଆବେଦନ କରିବାର ସମୟ ସୀମା ମେ ୨୭ ଅର୍ଥାତ ଆଜି ସରି ଯାଇଛି। ହେଲେ ବିସିସିଆଇ ଏବଂ ଏହି ପଦ ପାଇଁ ପ୍ରବଳ ଦାବିଦାର ଗୌତମ ଗମ୍ଭୀର ଏହା ଉପରେ ନିରବ ରହିଛନ୍ତି। କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ତୃତୀୟ ଟାଇଟଲ୍ ଜିତାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ପାଇଁ ପ୍ରବଳ ଦାବିଦାର ଅଛନ୍ତି। ଉଭୟ ପକ୍ଷ ମୁହଁ ଫିଟାଇ ନ ଥିଲେ ବି ବିସିସିଆଇ ନିକଟରେ ସେତେଟା ବିକଳ୍ପ ନାହିଁ।
କୁହାଯାଉଛି କୌଣସି ବଡ଼ ବିଦେଶୀ ଖେଳାଳି ଏହି ପଦ ପାଇଁ ଆବେଦନ କରି ନାହାନ୍ତି। ବିସିସିଆଇର ସଚିବ ଜୟ ଶାହ କହି ସାରିଛନ୍ତି ଯେ ସେମାନେ ଏମିତି ଜଣେ ଆଶାୟୀ ଚାହୁଁଛନ୍ତି ଯିଏ ଭାରତୀୟ କ୍ରିକେଟ୍ ଘରୋଇ ଢାଞ୍ଚା ସହ ବେଶ ପରିଚିତ ଥିବ। ବିସିସିଆଇର ନଜର ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏ)ର ପ୍ରମୁଖ ଭିଭିଏସ ଲକ୍ଷ୍ମଣଙ୍କ ଉପରେ ଥିଲା। ମାତ୍ର ହାଇଦ୍ରାବାଦର ଏହି ଷ୍ଟାଇଲିସ ପୂର୍ବ କ୍ରିକେଟର ପୂର୍ଣ୍ଣକାଳୀନ ପଦରେ କୌଣସି ରୁଚି ଦେଖାଇ ନାହାନ୍ତି।
ବୋର୍ଡର ବିଶ୍ଵସ୍ତ ସୂତ୍ରରୁ ପ୍ରକାଶ ଯେ, ସମୟ ସୀମା ନିର୍ଦ୍ଧାରିତ ହୋଇଥିଲେ ହେଁ ବୋର୍ଡ ନିଷ୍ପତ୍ତି ନେବା ପୂର୍ବରୁ ଆଉ କିଛି ସମୟ ନେଇପାରେ। ସଂପ୍ରତି ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ର ପ୍ରସ୍ତୁତିରେ ବ୍ୟସ୍ତ ରହିଛି। ଏହାପରେ ଶ୍ରୀଲଙ୍କା ଓ ଜିମ୍ବାଓ୍ଵେ ଗସ୍ତରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ଏବଂ ଏନସିଏରୁ କୌଣସି ବରିଷ୍ଠ କୋଚ୍ଙ୍କୁ ଦଳ ସହିତ ପଠା ଯାଇପାରେ।
ଅନ୍ୟପଟେ କେକେଆରର ମାଲିକ ଶାହରୁଖ ଖାନଙ୍କ ସହ ଗମ୍ଭୀରଙ୍କ ଘନିଷ୍ଠ ସମ୍ବନ୍ଧ ରହିଛି।ସେହି ଦୃଷ୍ଟିରୁ ଗମ୍ଭୀରଙ୍କ ପାଇଁ ଆଇପିଏଲ ଦଳକୁ ଛାଡ଼ିବା ସେତେ ସହଜ ହେବ ନାହିଁ। ବର୍ତ୍ତମାନ ନ୍ୟୁୟର୍କରେ ଥିବା ଭାରତର ବରିଷ୍ଠ ଖେଳାଳିଙ୍କ କୋଚ୍ ହେବାର ସମ୍ଭାବନା ଉପରେ ମତାମତ କଣ ଏହାକୁ ମଧ୍ୟ ଅଣ ଦେଖା କରାଯାଇ ନ ପାରେ। ବର୍ତ୍ତମାନର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳଟି-୨୦ ବିଶ୍ଵକପ୍ ପରେ ସମାପ୍ତ ହେବ। ନୂତନ ମୁଖ୍ୟ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ।