ଡିସେମ୍ୱର ୨ରୁ ସୋଆରେ ଆୟୋଜିତ ହେବ ବାୟୁ ସମ୍ମିଳନୀ

Published By : Prameya-News7 Bureau | November 30, 2022 IST

ଭୁବନେଶ୍ୱର ୩୦/୧୧: ଭୁବନେଶ୍ୱରରେ  ଆୟୋଜିତ ହେବାକୁ ଯାଉଛି “ବାୟୁ-ମହତ୍ୱପୂ୍‌ର୍ଣ୍ଣ ଜୀବନ ଶକ୍ତି’’ ସମ୍ମିଳନୀ।  ଆସନ୍ତା ଡିସେମ୍ବର ୨ ରୁ ୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏହି ସମ୍ମିଳନୀ ଆୟୋଜିତ ହେବ। “ସୁମଙ୍ଗଳମ୍ ପଞ୍ଚମହାଭୂତ ସମ୍ମିଳନୀ ଶୃଙ୍ଖଳା’’ର ଅଂଶବିଶେଷ ଭାବେ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ପ୍ରକୃତିରେ ୫ଟି ଉପାଦାନ ବା ପଞ୍ଚ ମହାଭୂତ- ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ। ଏଥି ମଧ୍ୟରୁ ଗୋଟିଏ ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ ଜଗତ ଉପରେ ବିପଦ ଦେଖା ଦେଇଥାଏ । ଜୀବଜଗତର ଦୀର୍ଘସ୍ଥାୟିତ୍ୱ ଓ ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛ ବାୟୁ ଅତ୍ୟନ୍ତ ଜରୁରୀ। ଏହି ବାର୍ତ୍ତାର ପ୍ରଚାରପ୍ରସାର ପାଇଁ ଏହି ସମ୍ମିଳନୀ ଆୟୋଜନ କରାଯାଉଛି।

ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ହେଉଥିବା ଆଜାଦୀ କା ଅମୃତ ମହୋତ୍ସବ ଭାବନା ଅନୁରୂପ ତଥା ଦେଶରେ ସ୍ୱଚ୍ଛ ବାୟୁର ଆବଶ୍ୟକତା ଉପରେ ବିଚାରମନ୍ଥନ କରିବାକୁ “ବାୟୁ-ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି”ସମ୍ମିଳନୀ ଆୟୋଜନ କରାଯାଉଛି। ଏଥିରେ ବିଭିନ୍ନ ବାୟୁ ଗୁଣବତ୍ତା ପ୍ରସଙ୍ଗରେ ଆଲୋଚନା ହେବ। ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ନିୟନ୍ତ୍ରଣ ଉପରେ ବୈଜ୍ଞାନିକ ଆଲୋଚନା ଠାରୁ ଆରମ୍ଭ କରି ପ୍ରାଚୀନ ଶାସ୍ତ୍ର ଓ ଗ୍ରନ୍ଥରେ ବାୟୁ ଗୁଣବତ୍ତା ବଜାୟ ରଖିବାପାଇଁ ଦିଆଯାଇଥିବା ଜ୍ଞାନକୁ ବୁଝିବା ଲାଗି ସମ୍ମିଳନୀରେ ବିଚାରବିମର୍ଶ କରାଯିବ।

ଏହି ୩ ଦିନିଆ ସମ୍ମିଳନୀରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଲାଲ, କେନ୍ଦ୍ର ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ଚୌବେ, କଟକ ସାଂସଦ ଭର୍ତୃହରି ମହତାବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କ ସହିତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେବେ। ଏଥିରେ ୫୦୦ରୁ ଅଧିକ ବିଶେଷଜ୍ଞ, ଛାତ୍ରଛାତ୍ରୀ, ଶିକ୍ଷାବିତ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ପ୍ରଦୂଷଣ ନିୟନ୍ତ୍ରଣ କମିଟି ପ୍ରତିନିଧି, ପୌରପାଳିକା ଆୟୁକ୍ତ, ରାଜ୍ୟ ପରିବେଶ ବିଭାଗ ସଚିବ ଗଣ, ବୈଜ୍ଞାନିକ, ଇଞ୍ଜିନିୟରମାନେ ଭାଗନେବେ।

ପୃଥିବୀର ଭବିଷ୍ୟତ ଦାୟିତ୍ୱ ଯୁବପିଢ଼ିଙ୍କ ଉପରେ ନ୍ୟସ୍ତ ରହିଛି। ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ ଦିଗରେ ଯୁବପିଢ଼ିଙ୍କ ଅଭିନବ ଉପାୟକୁ ଗଠନମୂଳକ ଢ଼ଙ୍ଗରେ ବିନିଯୋଗ କରିବା ଗୁରୁତ୍ୱପୂର୍ଣ୍ଣ। ଏହି ଲକ୍ଷ୍ୟରେ ଡିସେମ୍ବର ୨ରେ ଯୁବପିଢ଼ିଙ୍କୁ ନେଇ ଏକ ଅଧିବେଶନ ଆୟୋଜନ କରାଯିବ। ସେଥିରେ ଛାତ୍ରଛାତ୍ରୀଙ୍କୁ ନେଇ ପରିବେଶ ବିଜ୍ଞାନ, ଜଳବାୟୁ ପରିବର୍ତ୍ତନ, ମାନବ ସ୍ୱାସ୍ଥ୍ୟ, ଐତିହ ଅଧ୍ୟୟନ, କୃଷି ପ୍ରସଙ୍ଗ, ପ୍ରଶମନ ପଦକ୍ଷେପ ଇତ୍ୟାଦି ବିଷୟରେ ବିଚାରବିମର୍ଶ କରାଯିବ ।

ଏହି ଅବସରରେ ବାୟୁ ଗୁଣବତ୍ତା, ପ୍ରାକୃତିକ ବିକଳ୍ପ ଏବଂ ଓଡ଼ିଶାର ଐତିହ୍ୟ ଆଦି ବିଷୟକୁ ପ୍ରଦର୍ଶିତ କରୁଥିବା ଏକ ଜନସଚେତନତା ପ୍ରଦର୍ଶନୀ ଆୟୋଜନ ହେବ।

ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ କରୁଥିବା ସହରମାନଙ୍କୁ “ଜାତୀୟ ସ୍ୱଚ୍ଛ ବାୟୁ ସହର”ପୁରସ୍କାର ଦିଆଯିବ। ସ୍ୱଚ୍ଛ ବାୟୁ ସର୍ବେକ୍ଷଣର ଫଳାଫଳ ଆଧାରରେ ବାୟୁ ଗୁଣବତ୍ତା ଲକ୍ଷ୍ୟ ହାସଲ କରିଥିବା ଏବଂ ସୁଧାରମୂଳକ, ନିରାକରଣଯୋଗ୍ୟ ଓ ପ୍ରଶମନ ପଦକ୍ଷେପ ଗ୍ରହଣ କରିଥିବା ୯ଟି ସହରକୁ ଏହି ପୁରସ୍କାର ଦିଆଯିବ। ଏସବୁ ସହରକୁ ଅଧିକ ସ୍ୱଚ୍ଛ ବାୟୁ ଲକ୍ଷ୍ୟ ହାସଲ ଲାଗି ୫ କୋଟି ଟଙ୍କାର ଅର୍ଥରାଶି ପୁରସ୍କାର ଦିଆଯିବ।

ବାୟୁ ସମ୍ମିଳନୀର ଉଦ୍ଦେଶ୍ୟ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶଦାରମାନଙ୍କୁ ଏକାଠି କରି ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ଆମର ବାୟୁ ଗୁଣବତ୍ତା ଲକ୍ଷ୍ୟକୁ ହାସଲ କରିବାକୁ ସରକାରଙ୍କ ଦ୍ୱାରା କରାଯାଇଥିବା ବହୁମୂଖି ପ୍ରୟାସ ତିଆରି କରିବା। ଆଜାଦୀ କା ଅମୃତ ମହୋତ୍ସବ ଅଧୀନରେ ହେଉଥିବା ସମାରୋହରେ ଜଳଭାଗିଦାରୀକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିଶାଳ ଭାଗିଦାରୀ ଆଧାରିତ କାର୍ଯ୍ୟକ୍ରମ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.