ଗ୍ୟାସ ଦୁର୍ଘଟଣାରେ କମ୍ପାନୀ ବିରୋଧରେ ଜୋର ଧରିଲା ଆନ୍ଦୋଳନ
9/05/2020 at 9:59 PM

ବିଶାଖାପାଟ୍ଟନମ୯/୫: ବିଶାଖାପଟ୍ଟନମ ଗ୍ୟାସ ଦୁର୍ଘଟଣାରେ ଆଜି କମ୍ପାନୀ ବିରୋଧରେ ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଥିଲେ । ଆମ୍ବୁଲାନ୍ସକୁ ଅଟକାଇଥିଲେ। ମୃତଦେହକୁ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଥୋଇ ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି।
ବିଶାଖାପଟ୍ଟନମ ଆର ଆର ଭେଙ୍କଟପୁରମର କେମିକାଲ ପ୍ଲାଣ୍ଟରୁ ଗ୍ୟାସ ଲିକ୍ ମାମଲାରେ ଆଜି ସ୍ଥାନୀୟ ଲୋକେ କମ୍ପାନୀ ବିରୋଧରେ ବିଷୋଦଗାର କରିଛନ୍ତି। ଶହେରୁ ଅଧିକ ଉତ୍ତ୍ୟକ୍ତ ଲୋକ ପ୍ଲାଣ୍ଟ ବାହାରେ ଏକାଠି ହୋଇ ପ୍ଲାଣ୍ଟ ଭିତରକୁ ଧସେଇ ପଶିବାଲାଗି ଉଦ୍ୟମ କରିଥିଲେ। କମ୍ପାନୀ ବିରୋଧରେ ସ୍ଲୋଗାନ ଦେଇଥିଲେ। ନାରାବାଜି କରିଥିଲେ। ବିକ୍ଷୋଭ ପ୍ରତିବାଦ ଭିତରେ ପ୍ଲାଣ୍ଟକୁ ତୁରନ୍ତ ବନ୍ଦ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଦାବି କରିଛନ୍ତି।
ଏହି ଘଟଣା ସେତେବେଳେ ଘଟିଥିଲେ ଯେତେବେଳେ ଦୁଇ ଦିନ ତଳେ ଗ୍ୟାସ ଦୁର୍ଘଟଣାରେ ଶିକାର ହୋଇଥିବା ଗ୍ରାମବାସୀ ଘରକୁ ଫେରୁଥିଲେ। ଠିକ୍ ଏହି ସମୟରେ କିଙ୍ଗ ଜର୍ଜ ହସ୍ପିଟାଲ ଶବଗୃହରୁ ଅନ୍ତିମସଂସ୍କାର ପାଇଁ ଗ୍ୟାସ ଦୁର୍ଘଟଣାରେ ଶିକାର ହୋଇଥିବା ପୀଡିତଙ୍କ ମୃତଦେହ ନେଇ ଏକ ଆମ୍ବୁଲାନ୍ସ ଗାଁକୁ ଯାଉଥିଲା। ଉତ୍ତ୍ୟକ୍ତ ଲୋକେ ସେହି ଆମ୍ବୁଲାନ୍ସକୁ ଅଟକାଇଥିଲେ। ମୃତଦେହଗୁଡିକୁ କମ୍ପାନୀର ମୁଖ୍ୟ ଫାଟକ ଆଗରେ ଥୋଇ ଧାରଣା ଦେଇଥିଲେ। ଆଜି ଆନ୍ଧ୍ରପ୍ରଦେଶ ଡିଜିପି ଗୌତମ ସ୍ବାଙ୍ଗ ପ୍ଲାଣ୍ଟ ପରିଦର୍ଶନ କାର୍ଯ୍ୟକ୍ରମ ଥିବାରୁ ସେଠାରେ ଅଧିକ ସଂଖ୍ୟାରେ ପୋଲିସ କର୍ମଚାରୀ ଉପସ୍ଥିତି ଥିଲେ।
ତେଣୁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସ୍ଥିତିକୁ ନିୟନ୍ତ୍ରଣକୁ ନେବା ଲାଗି ପୋଲିସକୁ ନାକେଦମ ହେବାକୁ ପଡିଥିଲା। ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରିଥିଲା।କିଛି ବିକ୍ଷୋଭକାରୀଙ୍କୁ ପୋଲିସ ଭ୍ୟାନରେ ଭର୍ତ୍ତି କରି ଗୋପାଳପଟ୍ଟନମ ଥାନାକୁ ନେଇଯାଇଥିଲା। ତେବେ କିଛି ସମୟପରେ ଆଖାପାଖ ଗାଁର ଅନେକ ଲୋକ ପ୍ଲାଣ୍ଟ ନିକଟରେ ରୁଣ୍ଡ ହୋଇଯାଇଥିଲେ। ସ୍ଥିତି ପୁଣି ବିଗିଡିଯାଇଥିଲା। ତେବେ ବିଶାଖାପଟ୍ଟନମ ଏସପି ଆର କି ମୀନା ଘଟଣାସ୍ଥଳରେ ପହଞ୍ଚି ଅତିରିକ୍ତ ସୁରକ୍ଷା ବଳ ସହାୟତାରେ ପରିସ୍ଥିତିକୁ ସମ୍ଭାଳିନେଇଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ପ୍ଲାଣ୍ଟର ପରିସରରୁ ଘଉଡାଇଥିଲେ। ପରେ ଅନ୍ତିମସଂସ୍କାର ପାଇଁ ମୃତଦେହଗୁଡିକୁ ପ୍ଲାଣ୍ଟ ନିକଟସ୍ଥ ଗାଁକୁ ସ୍ଥାନାନ୍ତର କରିଥିଲେ।