ରେଳ ୱାଗନରେ ମୋରମ ଚାଲାଣ ବେଳେ ମାଡି ବସିଲା ପ୍ରଶାସନ,ମେସିନ ଜବତ, ଲକ୍ଷ ଲକ୍ଷ ଟଙ୍କା ରାଜସ୍ଵ ହରାଇଲେ ସରକାର
7/02/2023 at 9:14 PM

ନୀଳଗିରି: ନୀଳଗିରି ଗୋପୀନାଥପୁର ଠାରେ ରେଳ ଷ୍ଟେସନ ନିର୍ମାଣ ଅଞ୍ଚଳବାସୀ ଓ ସ୍ଥାନୀୟ ପ୍ରଶାସନକୁ ଭୁଆଁ ବୁଲାଇ ବ୍ୟାପକ ରାଜସ୍ୱ ଲୁଟ ହେଉଛି।ପୂର୍ବରୁ ମୋରମ ଟ୍ରକରେ ଚାଲାଣ କରି ଜୋରିମାନା ଦେଇଥିବା ବେଳେ ପୁଣି ଆଜି ରେଳ ୱାଗନରେ ମୋରମ ଚାଲାଣ ବେଳେ ସ୍ଥାନୀୟ ପ୍ରଶାସନ ମାଡିବସିଥିବା ଜଣାପଡିଛି।
ସୂଚନାଯୋଗ୍ୟ, ନୀଳଗିରି ଗୋପୀନାଥପୁରକୁ ପାସେଞ୍ଜର ଟ୍ରେନ ଚାଲିବା ନେଇ ଏକ ନୂତନ ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ଚାଲୁଅଛି।କାମ ଆରମ୍ଭଠାରୁ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହେଉଥିବା ବେଳେ ରେଳ ବିଭାଗର ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅଧିକାରୀ ମାନେ ଠିକାଦାରଙ୍କର ଦୋଷ ଦୁର୍ବଳତା ଲୁଚାଉଛନ୍ତି।କେତେବେଳେ ଷ୍ଟେସନ ବିଲିଡିଂ କାର୍ଯ୍ୟ ନିମ୍ନ ମାନର ହେଉଛି ତ ଆଉ କେତେବେଳେ ଷ୍ଟେସନ କଂକ୍ରିଟ ଫାଟି ଥିବା ଦେଖିବାକୁ ମିଳିଛି।ଏବେ ରେଳବିଭାଗ ୱାଗନରେ ମେସିନ ସାହାଯ୍ୟରେ ମୋରମ ବାହାରକୁ ଚାଲାଣ କରୁଥିବା ଜଣାପଡିଛି।

ରେଳ ବିଭାଗର ଦାବି ତା ନିଜସ୍ୱ ଜାଗାରୁ ନିଜ କାମରେ ମୋରମ ଲଗାଇ ପାରିବ।ସେପଟେ ପୂର୍ବରୁ ରାଜସ୍ୱ ବିଭାଗ ଅନୁମତି ନନେଇ ରାଜସ୍ୱହାନୀ କରିବା ଅଭିଯୋଗରେ ଗୋପୀନାଥପୁରରୁ ଟ୍ରକରେ ମୋରମ ଚାଲାଣ ବେଳେ ୮୦ ହଜାର ଟଙ୍କା ଜୋରିମାନା ଆଦାୟ କରିଥିଲା।ଠିକାଦାରଙ୍କ କାର୍ଯ୍ୟରେ କଣ ଏସ୍ଟିମେଣ୍ଟ ଅଛି ଆଉ ବିଭାଗ ତାଙ୍କୁ କେଉଁ ସ୍ୱାର୍ଥରେ ମୋରମ ଯୋଗାଉଛି ଏନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି।
ଆଜି ସନ୍ଧ୍ୟାରେ ଖବର ପାଇ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ,ଏସଡ଼ିପିଓ ରିତେଶ କୁମାର ମହାପାତ୍ର ତହସିଲଦାର ରଞ୍ଜନ ବେହେରା ଅଚାନକ ଚଢ଼ାଉ କରି ଏକ ଜେସିବି ମେସିନ ଜବତ କରି ଥାନାକୁ ଆଣିଥିବା ବେଳେ ଆଉ ଏକ ମେସିନ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ଜଣାପଡିଛି।ସେହିପରି କିଛି ଟ୍ରାକ୍ଟର ମଧ୍ୟ ଖସି ପଳାଇ ଯାଇଥିବା ଜଣାପଡିଛି।ଥାନାରେ ପ୍ରଶାସନିକ ସ୍ତରରେ ଏକ ଆଲୋଚନା ହେଉଥିବା ବେଳେ ରେଳ ବିଭାଗ ତାର ନିଜ ଜାଗାରୁ ମୋରମ ଉଠାଇ ନେଇ ପାରିବ ବୋଲି ଯୁକ୍ତି ବାଢିଥିବା ଜଣାପଡିଛି।

ସେପଟେ ଅଞ୍ଚଳବାସୀ ନିଜ ସ୍ଥାନରୁ ମୋରମ କିମ୍ବା ପଥର ଉତ୍ତୋଳନ କରିବା ପାଇଁ ସରକାରଙ୍କ ଠାରୁ ଅନୁମତି ନେଉଥିବା ବେଳେ ରେଳବିଭାଗର ଠିକାଦାର କେଉଁ ସ୍ୱାର୍ଥରେ ମୋରମ ରେଳବିଭାଗ ଜାଗାରେ ତାଡି ମରଣଯନ୍ତା କରିଛନ୍ତି ଏନେଇ ଅଞ୍ଚଳବାସୀ ଅଭିଯୋଗ ଆଣିଛନ୍ତି।ତେବେ ଏକ ଜଏଣ୍ଟ ତଦନ୍ତ ପରେ ଯାହା କିଛି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ମିଳିଥିବା ବେଳେ ଜିଲ୍ଲାପାଳ କିଛି କାମ ସରିନି ବୋଲି କହିଛନ୍ତି।
ତେବେ ରେଳଷ୍ଟେସନ କାର୍ଯ୍ୟରେ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ଲୁଟ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଜିଲ୍ଲାପାଳ ଘଟଣାକୁ ଗୁରୁତର ସହ ନେଇ ନିଜେ ତଦନ୍ତ କରିବା ସହ ରେଳବିଭାଗ ଅଧିକାରୀ ଠିକାଦାରଙ୍କୁ କେଉଁ କାରଣରୁ ରାଜସ୍ୱ ନଦେଇ ମୋରମ ଚାଲାଣରେ ସହଯୋଗ କରୁଛି ତାର ପ୍ରକୃତ ସତ୍ୟାସତ୍ୟ ଖୋଳିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।