ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ; ବାକି ଟଙ୍କାକୁ ନେଇ କରିଥିଲେ ହତ୍ୟା

Published By : Prameya-News7 Bureau | November 30, 2022 IST

ଫୁଲବାଣୀ ୩୦/୧୧: ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଜୋରିମାନା। ଜୋରିମାନା ଅନାଦେୟ ହେଲେ ଅଧିକ ୬ ମାସ କାରାଦଣ୍ଡ ବଢ଼ିବ ବୋଲି ଅଦାଲତ ପକ୍ଷରୁ କୁହାଯାଇଛି। ସମସ୍ତ ସାଖ୍ୟ ପ୍ରମାଣ ପତ୍ରକୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଜଜ୍‌ ଏପରି ରାୟ ଦେଇଛନ୍ତି।  ବିଚାରପତି ସ୍ମୃତିରେଖା ବାରିକ ମାମଲାର ଦୁଇ ଅଭିଯୁକ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରିଛନ୍ତ। ମୁଖ୍ୟ ଅଭିଯୁକ୍ତଙ୍କ  ପରିଚୟ ବିକ୍ରମ ପଣ୍ଡା ଓ ତାଙ୍କ ସହଯୋଗୀ ବିକୁନୁ ସାହୁ। ସେମାନେ କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଅଞ୍ଚଳର ବାସିନ୍ଦା।

ଖବର ଅନୁସାରେ, ୨୦୧୪ ଜୁନ୍‌ ୨୩ରେ ସକାଳେ ମୃତକ ଶ୍ରୀନିବାସ ତାଙ୍କ ସ୍ତ୍ରୀଙ୍କୁ ବାଇକରେ ବିଦ୍ୟାଳୟକୁ ଛାଡିବାକୁ ଯାଇଥିଲେ। ଶ୍ରୀନିବାସ ଅଭିଯୁକ୍ତ ବିକ୍ରମଙ୍କ ଠାରୁ ସିମେଣ୍ଟ ନେଇଥିଲେ। କିନ୍ତୁ ଟଙ୍କା ବାକି ରଖିଥିଲେ। ଶ୍ରୀନିବାସ ଆସିଥିବା ଖବର ପାଇ ଦୁଇ ଅଭିଯୁକ୍ତ ବିଦ୍ୟାଳୟରେ ପହଞ୍ଚି ତାଙ୍କୁ ବାକି ଟଙ୍କା ମାଗିଥିଲେ। ସେ ଟଙ୍କା ନଥିବା କହିବାରୁ ହଠାତ ଉତ୍ଯକ୍ତ ହୋଇ ବିକ୍ରମ ଏକ ଚାପୁଡା ମାରିଥିଲେ। ଫଳରେ ସେଠାରେ ଶ୍ରୀନିବାସ ପଡ଼ିଯାଇଥିଲେ। ତାଙ୍କୁ ସେଠାରୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏବିଷୟରେ ଶ୍ରୀନିବାସଙ୍କ ସ୍ତ୍ରୀ ଫୁଲବାଣୀ ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା  ଅଭିଯୋଗ ନମ୍ୱର ୬୬/୨୦୧୪ ମୂଳେ ମାମଲା ରୁଜ୍ଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିଥିଲା। ବୁଧବାର ସେହି ମାମଲାର ବିଚାର କରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ମୃତକଙ୍କ ପକ୍ଷରୁ ସରକାରୀ ଓକିଲ ଶିବପ୍ରସାଦ ତ୍ରିପାଠୀ  ଏହି ମାମଲାକୁ ପରିଚାଳନା କରୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.