ଗୁଣି ଗାରେଡ଼ି ସନ୍ଦେହରେ ହତ୍ୟା; ଭାଇକୁ ଟାଙ୍ଗିଆରେ ହାଣି ଆତ୍ମ ସମର୍ପଣ କଲେ ଅଭିଯୁକ୍ତ
21/08/2022 at 11:43 PM

ଉମରକୋଟ ୨୧/୦୮: ୩ ପୁତୁରା ଓ ଭାଇଙ୍କ ଟାଙ୍ଗିଆ ଚୋଟରେ ଜଣଙ୍କର ମୃତ୍ୟୁ ହୋଇଛି। ଗୁଣି ଗାରେଡ଼ି ସନ୍ଦେହରେ ଏପରି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ସୋମନାଥ ପୁଜାରୀ ହୋଇଥିବା ତାଙ୍କ ସ୍ତ୍ରୀ ମଧ୍ୟ ଟାଙ୍ଗିଆ ଆକ୍ରମଣରେ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଭାଇକୁ ହତ୍ୟା କରିବା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଅର୍ଜୁନ ପୂଜାରୀ ଓ ୩ ପୁତୁରା ତୁଳା ପୂଜାରୀ, ଚନ୍ଦନ ପୂଜାରୀ ଓ ଦେବେନ୍ଦ୍ର ପୂଜାରୀ ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି।
ଗୁଣି ଗାରେଡ଼ି ଘଟଣାକୁ ନେଇ ମୃତକ ଓ ହତ୍ୟାକାରୀଙ୍କ ମଧ୍ୟରେ ପୂର୍ବରୁ ତିକ୍ତତା ରହିଥିଲା। ରବିବାର ମୃତକ ସୋମନାଥ ପୂଜାରୀ ଓ ତାଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ଧାନ ବିଲରୁ ଘାସ ବାଛି ଫେରୁଥିଲେ। ଏହି ସମୟରେ ଅଭିଯୁକ୍ତମାନେ ପୂର୍ବରୁ ଜମି ପାଖରେ ସେମାନଙ୍କୁ ଜଗି ରହିଥିଲେ। ଏହି ସମୟରେ ସେମାନେ ସୋମନାଥଙ୍କୁ ପଥରରେ ଆକ୍ରମଣ କରିଥିଲେ। ଫଳରେ ସେଠାରେ ସେ ପଡ଼ିଯିବାରୁ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ।
ପରେ ସେମାନେ ତାଙ୍କ ସ୍ତ୍ରୀ ରୁପନ୍ତିଙ୍କୁ ଆକ୍ରମଣ କରିଥିଲେ। ସୋମନାଥ ଜମିରେ ପଡ଼ି ଛଟପଟ ହେବା ଦେଖି କିଛି ବ୍ୟକ୍ତି ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ମୃତକ ଓ ହତ୍ୟାକାରୀ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ପୂର୍ବରୁ ପାଞ୍ଚ ଜଣଙ୍କର ମଧ୍ୟ ଏପରି ଗୁଣି ଗାରେଡ଼ି ସନ୍ଦେହରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ଉମରକୋଟ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।