ଥାନାରୁ ଏହିବାଟ ଦେଇ ଖସିଗଲା ଅଭିଯୁକ୍ତ; ଆପଣ ବି ଜାଣିଲେ ହେବେ ଆଶ୍ଚର୍ଯ୍ୟ !
1/02/2023 at 6:02 PM

ଜଳେଶ୍ୱର ୦୧/୦୨: ଥାନାରୁ ଖସି ପଳାଇଲା ଅଭିଯୁକ୍ତ। ପାଇଖାନାର ସ୍କାଏ ଲାଇଟ୍ କାଚ ଖୋଲି ଅଭିଯୁକ୍ତ ଜଣଙ୍କ ଫେରାର ହୋଇଥିବା ଜଣାପଡ଼ିଛି। ବାଲେଶ୍ଵର ଜିଲ୍ଲା ସିଂଲା ଥାନାରେ ଏପରି ଘଟଣା ସାମ୍ନାକୁ ଆସିଛି। ଫେରାର ଅଭିଯୁକ୍ତର ପରିଚୟ ଦେବାଶିଷ ଜେନ (ଅନାମ)। ସେ ବସ୍ତା ଥାନା ଶ୍ୟାମରାଇପୁର ଗାଁର ବାସିନ୍ଦା। ଖବର ଅନୁସାରେ ଗତକାଲି ସକାଳେ ଅନାମ ସିଂଲା ଥାନା ଜାମଶୁଳିରେ ସ୍ମାର୍ଟ ଫୋନ୍ ଚୋରି କରିଥିଲା। ଫଳରେ ସ୍ଥାନୀୟ ଯୁବକମାନେ ତାକୁ ଉତ୍ତମ ମଧ୍ୟମ ଦେଇ ସିଂଲା ପୋଲିସକୁ ହସ୍ତାନ୍ତର କରିଥିଲେ।

ପରେ ତାର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ପୋଲିସ ବସ୍ତା ଡାକ୍ତରଖାନାକୁ ନେଇଥିଲା। ପରେ ତାକୁ ସିଂଲା ଥାନାକୁ ଆଣି ରଖାଯାଇଥିଲା। ସେହି ସମୟରେ ଅନାମ ସୁଯୋଗ ଦେଖି ପାଇଖାନା ଯିବା ବାହାନାରେ ପାଇଖାନା ଘରେ ଥିବା ସ୍କାଏଲାଇଟର କାଚ ଖୋଲି ଖସି ପଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିବା ସହିତ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଅନାମକୁ ମାଡ଼ ମାରିବା ଅଭିଯୋଗରେ ୩ଜଣଙ୍କୁ ବସ୍ତା ପୋଲିସ ଅଟକ ରଖିଛି।