ରାଜସ୍ଥାନ କଳହ ପରେ ଥରୁରଙ୍କ ବଢିଲା ମନୋବଳ, କହିଲେ- କେହି ଟକ୍କର ଦେଇପାରିବେ ନାହିଁ, ମୋ ସହ ଗାନ୍ଧୀ ପରିବାରର ସମର୍ଥନ

Published By : Prameya-News7 Bureau | September 26, 2022 IST

ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସରେ ସୃଷ୍ଟି ହୋଇଥିବା ରାଜନୈତିକ ସଂକଟ ଏବେ ଶଶି ଥରରୁଙ୍କ ପ୍ରାର୍ଥୀତ୍ୱକୁ ଅଧିକ ବଳ ଦେଇଛି । ଅଧ୍ୟକ୍ଷ ନିର୍ବାଚନ ପାଇଁ ସାଂସଦ ଶଶି ଥରୁରଙ୍କ ପ୍ରାର୍ଥୀତ୍ୱ ମଜଭୁତ ହୋଇଛି । ଶଶି ଥରୁର ଦାବି କରିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ତାଙ୍କୁ ଗାନ୍ଧୀ ପରିବାର ସମର୍ଥନ ରହିଛି । ଥରୁର ଏହାମଧ୍ୟ କହିଛନ୍ତି ଯେ, କେରଳ ସହ ଦେଶର ଅନ୍ୟ ସ୍ଥାନରେ କଂଗ୍ରେସ ପାର୍ଟିର ଅଧିକାଂଶ କର୍ମୀ ତାଙ୍କୁ ସମର୍ଥନ କରୁଛନ୍ତି । ତାଙ୍କ ବିରୋଧରେ ଥିବା ଲୋକେ ମଜଭୁତ ନାହାନ୍ତି, ଅଧ୍ୟକ୍ଷ ପଦ ନିର୍ବାଚନରେ ତାଙ୍କୁ ଟକ୍କର ହେବାକୁ କେହି ନାହାନ୍ତି ବୋଲି ଶଶି ଥରୁର କହିଛନ୍ତି ।

ତିରୁଅନନ୍ତପୁରମରୁ କଂଗ୍ରେସ ସାଂସଦ ଶଶି ଥରୁର ଏବଂ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମଧ୍ୟରେ ଏଆଇସିସି ଅଧ୍ୟକ୍ଷ ପାଇଁ ଲଢେଇ ହୋଇପାରେ । ଥରୁର କହିଛନ୍ତି, 'ଯେତେବେଳେ ମୁଁ ନାମାଙ୍କନ ଦାଖଲ କରିବାକୁ ଯିବି ସେତେବେଳେ ମୋତେ ମିଳୁଥିବା ସମର୍ଥନକୁ ଆପଣ ଦେଖିପାରିବେ। ଯଦି ଅଧିକାଂଶ ରାଜ୍ୟରେ ପାର୍ଟିର କର୍ମୀଙ୍କ ସମର୍ଥନ ମିଳେ, ତେବେ ମୁଁ ନିର୍ବାଚନୀ ମୈଦାନରେ ରହିବି'। ଥରୁର କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ ଲୋକେ ମୋତେ ନିର୍ବାଚନ ଲଢିବା ପାଇଁ ଅନୁରୋଧ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ସୋମବାର ଶଶି ଥରୁର ସୋନିଆ ଗାନ୍ଧୀଙ୍କ ସହ ବୈଠକ କରିଥିଲେ ଏବଂ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ସୂତ୍ର ଅନୁସାରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ନିର୍ବାଚନରେ ନିରପେକ୍ଷ ରହିବେ ବୋଲି କହିଥିଲେ। କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ଅକ୍ଟୋବର ୧୯ରେ ଭୋଟ ହେବ। ୯ ହଜାରରୁ ଅଧିକ ପ୍ରଦେଶର କଂଗ୍ରେସ କମିଟିର ପ୍ରତିନିଧି ଏଥିପାଇଁ ଭୋଟ କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.