ଭୁବନେଶ୍ଵର: ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରଙ୍କୁ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ ନେଇ ଅଭିନନ୍ଦନ ଜଣାଇବା ସହ କଟାକ୍ଷ କରିଛନ୍ତି। ନବୀନ କହିଛନ୍ତି, ବିଜେଡି ସରକାର ଦ୍ଵାରା ଲାଗୁ କରାଯାଇଥିବା ୮୦ ପ୍ରତିଶତରୁ ଅଧିକ ଯୋଜନାକୁ ଆପଣେଇଥିବାରୁ ଆପଣଙ୍କୁ ଶୁଭେଚ୍ଛା।
ନବୀନ କହିଛନ୍ତି, ଧନ୍ୟବାଦ ଯେ ୮୦ ପ୍ରତିଶତରୁ ଅଧିକ ବିଜେଡି ସରକାରର ଯୋଜନା ଆପଣେଇଛନ୍ତି। ବିଜେପି ଲୋକଙ୍କୁ ପରିବର୍ତ୍ତନ ଆଣିବାର ପ୍ରତିଶ୍ରୁତି ଦେଇ ସରକାରକୁ ଆସିଛି। ବଜେଟ୍ ଦସ୍ତାବିଜକୁ ଦେଖିବା ପରେ ମୋତେ ପରିବର୍ତ୍ତନ ଦେଖିବାକୁ ମିଳୁଛି ଯେ, ଏହି ସରକାର ୪୫ ଯୋଜନାର ନାମ ବଦଳାଇ ଦେଇଛନ୍ତି। ବିଜେପି କହିଥିଲା ତାଙ୍କ ସରକାର ଗେମ ଚେଞ୍ଜର ହେବ, ମାତ୍ର ଦୁର୍ଭାଗ୍ୟରେ ଏହା ନେମ ଚେଞ୍ଜର ସରକାର ପାଲଟିଗଲା।
ଏହି ସବୁ ଯୋଜନା ଗୁଡିକର ରୂପରେଖ ବିଜେଡି ପ୍ରସ୍ତୁତ କରିଥିଲା। ବାକି ୨୦% ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି। ୦.୨୯% ଇସ୍ତାହାର ପ୍ରତିଶ୍ରୁୃତି ଦେଇଛି ସୁଭଦ୍ରା ଯୋଜନା ଜରିଆରେ। ରାଜ୍ୟରେ ୨ କୋଟିରୁ ଅଧିକ ମହିଳା ଅଛନ୍ତି। ଏହା ପୂରଣ କରିବାକୁ ୧ ଲକ୍ଷ କୋଟି ଦରକାର। ହେଲେ ବଜେଟରେ ୧୦ ହଜାର କୋଟି ବ୍ୟୟ ବରାଦ କରାଯାଇଛି। ଯାହା କେବଳ ୧୦ ପ୍ରତିଶତ ମହିଳାଙ୍କୁ ସୁବିଧା ଦେବ। ବାକିଙ୍କ କଣ ହେବ ବୋଲି ନବୀନ ପ୍ରଶ୍ନ କରିଛନ୍ତି।
Also read: ମା' ଶୁଣିଲାନି ଝିଅର ଅଳି, ଥାନାରେ ଜିଦ୍ଦି କରି ଚାଲିଗଲା ପ୍ରେମିକ ସହ
ବିଜେପି ମାସକୁ ୩୫୦୦ ଟଙ୍କା ପେନସନ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ରାଜ୍ୟରେ ପାଖାପାଖି ୫୦ ଲକ୍ଷ ପେନସନଭୋଗୀ ଅଛନ୍ତି। ହେଲେ ରାଜ୍ୟ ସରକାର ବଜେଟ୍ରେ ଯେଉଁ ବ୍ୟୟ ଅଟକଳ କରିଛନ୍ତି ସେଥିରେ ବହୁ ମୁସ୍କିଲରେ ଏକ ଲକ୍ଷ ପେନସନଭୋଗୀ ଉପକୃତ ହେବେ। କହିଥିଲେ ୮୦ ବର୍ଷରୁ ଅଧିକ ଆୟୁର ବରିଷ୍ଠ ନାଗରିକ ଓ ୮୦ ପ୍ରତିଶତ କିମ୍ବା ସେଥିରୁ ଅଧିକ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ବର୍ଦ୍ଧିତ ପେନସନ ରାଶି ମିଳିବ। ୮୦ ବର୍ଷରୁ ଅଧିକ ଲୋକ ପାଇବେ ବର୍ଦ୍ଧିତ ପେନସନ। ହେଲେ ୬୦ରୁ ୮୦ ବର୍ଷ ଲୋକଙ୍କ କଣ ହେବ। ଏଥିପାଇଁ ୨୧ ହଜାର କୋଟି ଦରକାର।
ନବୀନ ଏହା ମଧ୍ୟ କହିଛନ୍ତି, ବିଜେପି ଧାନ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛି। ବଜେଟ୍ରେ ଯେଉଁ ବ୍ୟୟ ମଞ୍ଜୁର ହୋଇଛି ସେଥିରେ ୩୦ ପ୍ରତିଶତ କୃଷକଙ୍କୁ ମଧ୍ୟ କଭର କରାଯାଇ ପାରିବ ନାହିଁ। ଓଡ଼ିଶାରେ ଅବଶିଷ୍ଟ ଲକ୍ଷାଧିକ କୃଷକଙ୍କୁ ୩୧୦୦ ଟଙ୍କାର ଏମଏସପି ଦେବା ପାଇଁ ଆପଣଙ୍କ କଣ ଯୋଜନା ରହିଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି।
ସେହିପରି ମାଗଣା ବିଦ୍ୟୁତ ଦେବେ ବୋଲି କହିଥିଲେ। କେନ୍ଦ୍ର ସରକାର ସମଗ୍ର ଦେଶରେ ଏକ କୋଟି ଘରକୁ ମାଗଣା ବିଜୁଳି ଦେବାକୁ ଯୋଜନା କରିଛନ୍ତି। ଏଥିରେ ଓଡିଶାର ମାତ୍ର ୩ ଲକ୍ଷ ଘର ବିଜୁଳି ପାଇବେ। ରାଜ୍ୟରେ ତ ଏକ କୋଟି ଘର ରହିଛି। ଏହା କଣ ମାଗଣା ବିଜୁଳି ପ୍ରତିଶ୍ରୁୃତି? ମୁଁ ଚ୍ୟାଲେଞ୍ଜ ଦେଉଛି ଯେ ଆଗାମୀ ୫ ବର୍ଷରେ ବିଜେପି ୫ ପ୍ରତିଶତ ଘରକୁ ବି ମାଗଣା ବିଜୁଳି ଦେଇ ପାରିବ ନାହିଁ। ଲୋକେ ଜୁଲାଇରୁ ମାଗଣା ବିଲ ଅପେକ୍ଷାରେ ଅଛନ୍ତି। ଆପଣ ଲୋକଙ୍କୁ ଠକିଛନ୍ତି।
ନବୀନ କହିଛନ୍ତି, ବିଜେପି ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି କରିବାକୁ ପ୍ରତିଶ୍ରୁତି ଦେଇଛି। ଏଥିପାଇଁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଆବଶ୍ୟକତା ରହିଛି। ମାତ୍ର ଆପଣଙ୍କ ସରକାର ତ କେବଳ ଏକ ହଜାର କୋଟି ଟଙ୍କା ଆବଣ୍ଟିତ କରିଛନ୍ତି। ତେଣୁ ଦାବି କରୁଛି ଯେ, ଲକ୍ଷପତି ଦିଦିଙ୍କ ତାଲିକା ସମସ୍ତ ବିବରଣ ସହ ଗୃହରେ ରଖାଯାଉ।
ଆପଣ ୨୦୩୬ ସୁଦ୍ଧା ଏକ ବିକଶିତ ଓଡ଼ିଶାର ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ଏକ ବିକଶିତ ଓଡ଼ିଶା ପାଇଁ ଆପଣଙ୍କ ଭିଜନର ଏକ ଉଦାହରଣ ଦେଉଛି। ବଜେଟ୍ରେ ୨୦୨୫ ଜୁନ ସୁଦ୍ଧା ରାଉରକେଲା-ସମ୍ବଲପୁର-ପାରାଦ୍ଵୀପ-ଧାମରାକୁ ସଂଯୋଗ କରୁଥିବା ଇଣ୍ଡଷ୍ଟ୍ରିଆଲ କରିଡର ପାଇଁ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। କିନ୍ତୁ ଏମିତି କରିଡର ପାଇଁ ଏକ ଲକ୍ଷ କୋଟି ଟଙ୍କା ଦରକାର।
ଆପଣଙ୍କ ଦଳ ଜୁମଲା ପାର୍ଟି ଭାବେ ପ୍ରସିଦ୍ଧ। ପ୍ରତିଶୃତି ପାଳନ ନ କଲେ, ଲୋକେ ଆଶା ହରାଇବେ। ପ୍ରାର୍ଥନା କରୁଛି ଯେ ଲୋକେ ନ ଭାବନ୍ତୁ ଯେ ମିଛ କହି ଆପଣ ଜିତିଛନ୍ତି। ଏହା ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ଭଲ ହେବ ନାହିଁ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟର ବିଜେପି ସରକାର ଜୁଲାଇ ୨୫ ତାରିଖରେ ନିଜର ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ର ଆକାର ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି। ବଜେଟ୍ରେ କୃଷି, ମହିଳା ଓ ଯୁବ ବର୍ଗଙ୍କ ଉପରେ ସରକାର ଗୁରୁତ୍ଵାରୋପ କରିଛନ୍ତି।