ଆଖଣ୍ଡଳମଣୀ ପୀଠରେ ଶିବବିବାହ ପାଇଁ ଉଠିଲା ଲଗ୍ନଥାଳ, ଜୁନ୍ ୧୧ରେ ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି

Published By : Prameya-News7 Bureau | May 24, 2024 IST

ଚାନ୍ଦବାଲି ୨୪।୫: ଆରଡି ପୀଠର ଅଧିଶ୍ବର ବାବା ଆଖଣ୍ଡଳମଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବ ବିବାହ ପାଇଁ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ବୈଦିକ ରୀତିନୀତି ଅନୁଯାୟୀ କନ୍ଯାପିତା ଗଦାଧର ପାଢୀ ବରପିତା କେଦାରନାଥ ପାଢୀଙ୍କୁ ଲଗ୍ନଥାଳ ପ୍ରଦାନ କରିଥିଲେ । ଏଥିପାଇଁ ଉତ୍ସବ ମୁଖର ହୋଇ ଉଠିଥିଲା ସମଗ୍ର ପୀଠ । ଭୋର ୪ଟାରେ ମନ୍ଦିର ଦ୍ବାରଫିଟା ଯିବା ପରେ ମଙ୍ଗଳ ଆଳତୀ, ଘର୍ଷଣଲାଗି ସରିବା ପରେ ଚନ୍ଦନନୀତି ଅନୁଷ୍ଠିତ ହୋଇଥିଲା । 

ସକାଳ ନୀତି ସରିବା ପରେ ମମିବାବାଙ୍କୁ ବଡସିଂହାର ବେଶରେ ସଜ୍ଜିତ କରାଯିବା ପରେ ଆଜ୍ଞାମାଳ ଅଣାଯାଇ ପ୍ରସିଦ୍ଧ ଶିବବିବାହ ପାଇଁ ଲଗ୍ନଥାଳ ଉଠିଥିଲା । ଯୋଡି ମହୁରୀ ସହ ଘଣ୍ଟ କିର୍ତ୍ତନ, ଆଲଟଚାମର ଦ୍ବାରା ଲଗ୍ନଥାଳ ବରପିତା କେଦାରନାଥ ପାଢୀଙ୍କ ଘରୁ କନ୍ଯାପିତା ଗଗଦାଧର ପାଢୀଙ୍କ ଘର ଅଭିମୁଖେ ବାହାରିଥିଲା । ସହସ୍ରାଧିକ ଭକ୍ତ ସେବାୟତଙ୍କ ଦ୍ବାରା ବାଜା ରୋଷଣୀ ସହ ଲଗ୍ନଥାଳ ନଗରୀ ପରିକ୍ରମା କରିବା ପରେ କନ୍ଯାପିତାଙ୍କ ଘରେ ପହଞ୍ଚିଥିଲା । ସେଠାରେ ଜ୍ଯୋତିଷ୍ଯ ଓ ବ୍ରାହ୍ମଣଙ୍କ ଦ୍ବାରା ଲଗ୍ନ ଚିତାଉ ତାଳପତ୍ର ଲେଖନୀ ଦ୍ବାରା ଦେବଦମ୍ପତିଙ୍କ   ବିବାହ ପାଇଁ ଦିନାଙ୍କ ଧାର୍ଯ୍ଯ କରାଯିବା ସହ ପାଣିଗ୍ରହଣ ନୀତିର ସମୟ ନିର୍ଦ୍ଧାରଣ କରାଯାଇଥିଲା । ଏହି ଲେଖା ସର୍ବସମତିକ୍ରମେ ଉପସ୍ଥିତ ଥିବା ସମସ୍ତ ଭକ୍ତ ଓ ସେବାୟତଙ୍କ ଗହଣରେ ପାଠ କରାଯିବା ପରେ ପୁର୍ନବାର ବରପିତାଙ୍କ ଘର ଅଭିମୁଖେ ବାହାରିଥିଲା ଲଗ୍ନ ଚିଟାଉଥାଳ। ବରପିତାଙ୍କ ଘରେ ସ୍ବାଗତ କରାଯାଇ ଲଗ୍ନ ଚିଟାଉ ପାଠ ସହ ଗୁଆ ମଙ୍ଗୁଳା ନୀତି କରାଯାଇଥିଲା । ଏହି ମଙ୍ଗୁଳା ଗୁଆ ଓ ନିମନ୍ତ୍ରଣପତ୍ର ପୀଠ ସମେତ ପଡୋଶୀ ଜିଲାର ସମସ୍ତ ଦେବାଦେବୀଙ୍କୁ ବଣ୍ଟନ କରାଯିବ। ଏଥିପାଇଁ ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ଯବସ୍ଥା କରାଯାଇଥିଲା।

You Can Read :

ଭଦ୍ରକରେ ବିଜେପିର ଜନ ସମ୍ପର୍କ ସମାବେଶ, ଯୋଗଦେଲେ ବିଧାୟକ ପ୍ରାର୍ଥୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.