ଟେକ୍ସାସ୍ ଜଙ୍ଗଲରେ ଭୟାବହ ଅଗ୍ନିକାଣ୍ଡ, ୬୦ କାଉଣ୍ଟିରେ ଜରୁରି ପରିସ୍ଥିତି ଘୋଷଣା

Published By : Prameya-News7 Bureau | February 29, 2024 IST

ୱାଶିଂଟନ,୨୯/୨: ଆମେରିକାର ଟେକ୍ସାସ୍‌ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁର ଆଁ ଭିତରେ ପୂରା ଜଙ୍ଗଲ  । ୮.୫ ଲକ୍ଷ ଏକର ଜଙ୍ଗଲରେ କାୟା ବିସ୍ତାର କରିଛି ନିଆଁ । ପୋଡ଼ି ପାଉଁଶ ହୋଇଗଲାଣି ୫ ଲକ୍ଷ ଏକର ଜଙ୍ଗଲ । ତଥାପି ଏହା ଶାନ୍ତ ପଡ଼ୁନାହିଁ । ଏହାକୁ ଲିଭାଇବା ପାଇଁ  ପ୍ରାଣମୂର୍ଚ୍ଛା ଉଦ୍ୟମ ଜାରି ରହିଛି । ଭୟଙ୍କର ଜଙ୍ଗଲରେ ନିଆଁ ଜଣଙ୍କର ଜୀବନ ଯାଇଛି । ଏହି ଭୟାନକ ଜଙ୍ଗଲ ନିଆଁ ପାଇଁ ଆମେରିକାର ଅଣୁ ଅସ୍ତ୍ରାଗାର ମଧ୍ୟ ବିପଦରେ ପଡ଼ିଛି ।  ନ୍ୟୁକ୍ଲିଅର୍‌ ସାଇଟ୍‌ରେ ସମସ୍ତ କାର୍ଯ୍ୟ ବନ୍ଦ  କରାଯାଇଛି ।

ନିଆଁର ବ୍ୟାପକତାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଛୋଟ ସହରଗୁଡ଼ିକୁ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପବନ ବହୁଥିବାରୁ ନିଆଁ ଦ୍ରୁତ ଗତିରେ  ମାଡ଼ିବାରେ ଲାଗିଛି । ଗରମ ତାପମାତ୍ରା  ନିଆଁକୁ ଆହୁରି ଉଗ୍ର କରିଛି । ଗ୍ରାମାଞ୍ଚଳରେ  ନିଆଁ ବ୍ୟାପି ଘରଦ୍ୱାର ପୋଡ଼ି ପାଉଁଶ  କରିଦେଇଛି । ଏଭଳି ପରିସ୍ଥିତିରେ  ରିପବ୍ଲିକାନ୍‌ ଗଭର୍ଣ୍ଣର ଗ୍ରେଟ୍‌ ଏବଟ୍‌  ୬୦ କାଉଣ୍ଟିରେ ଜରୁରି ପରିସ୍ଥିତି  ଘୋଷଣା କରିଦେଇଛନ୍ତି ।

wp:embed {"url":"https://www.prameyanews7.com/norway-helicopter-crash-lands-in-ocean/","type":"wp-embed","providerNameSlug":"prameya-news-7"}
https://www.prameyanews7.com/norway-helicopter-crash-lands-in-ocean/
/wp:embed

ସୋମବାର ଟେକ୍ସାସ୍‌ ଜଙ୍ଗଲରେ ନିଆଁ  ଲାଗିଥିଲା ଏବଂ ବର୍ତ୍ତମାନ ଏହାର ଆକାର  ଦୁଇଗୁଣା ହୋଇସାରିଲାଣି । ଏବଟ୍‌ କହିଛନ୍ତି,  ଟେକ୍ସାସ୍‌ବାସୀ ନିଜକୁ ସୁରକ୍ଷିତ ରଖିବା ଜରୁରି । ସେମାନେ ନିଜ ପରିଜନଙ୍କୁ ବି  ସୁରକ୍ଷା ଯୋଗାଇବା ଆବଶ୍ୟକ । ସୂଚନା  ମୁତାବକ ଟେକ୍ସାସ୍‌ରେ ଲାଗିଥିବା ସବୁଠୁ ବଡ଼ ଜଙ୍ଗଲ ନିଆଁକୁ ‘ସ୍ମୋକ୍‌ହାଉସ୍‌ କ୍ରିକ୍‌ ଫାୟାର’  ବିବେଚନା କରାଯାଉଛି । ଏହାକୁ ଦୃଷ୍ଟିରେ  ରଖି ମୁଖ୍ୟ ସଡ଼କଗୁଡ଼ିକୁ ବନ୍ଦ କରାଯାଇଛି । ପେଣ୍ଟେକ୍ସରେ ରାଷ୍ଟ୍ରୀୟ ପରମାଣୁ  ସୁରକ୍ଷା ପ୍ରଶାସନର ଉତ୍ପାଦନ କାର୍ଯ୍ୟାଳୟ  ମୁଖପାତ୍ର ଲାଫ୍‌ ପେଣ୍ଡ୍ରଗ୍ରାଫ୍ଟ ମଙ୍ଗଳବାର  ବିଳମ୍ବିତ ରାତ୍ରିରେ ଏକ ସାମ୍ବାଦିକ  ସମ୍ମିଳନୀରେ କହିଥିଲେ, ଆମକୁ  ଅତ୍ୟଧିକ ସାବଧାନତାର ସହ କାର୍ଯ୍ୟ  କରିବାକୁ ହେବ । ସେଥିପାଇଁ ସମସ୍ତ କର୍ମଚାରୀଙ୍କୁ ଖାଲି କରାଯାଇଛି । ଜଙ୍ଗଲ  ନିଆଁର ମୁକାବିଲା ସକାଶେ ଏକ ସୁସଜ୍ଜିତ  ଅଗ୍ନିଶମ ବିଭାଗ ରହିଛି । ବର୍ତ୍ତମାନ ଏହା  ସାଇଟ୍‌ରେ ଅଛି ଏବଂ ଯେ କୌଣସି ପ୍ରକାର  ପରିସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ଅଛି । ଟେକ୍ସାସ୍‌ରେ  ଲାଗିଥିବା ‘ସ୍ମୋକ୍‌ହାଉସ୍‌ କ୍ରିକ୍‌ ଫାୟାର’କୁ  ଦ୍ୱିତୀୟ ବୃହତ୍‌ ଅଗ୍ନିକାଣ୍ଡ ବୋଲି ଟେକ୍ସାସ୍‌  ଏଆଣ୍ଡ୍‌ଏମ୍‌ ଜଙ୍ଗଲ ସେବା ବିଭାଗ ପକ୍ଷରୁ  କୁହାଯାଇଛି ।

ନିୟନ୍ତ୍ରଣ ବାହାରକୁ ଚାଲି  ଯାଇଥିବା ଏହି ଜଙ୍ଗଲ ନିଆଁ ଆହୁରି ବ୍ୟାପିବା  ଆଶଙ୍କା ରହିଛି । ଏହା ପୂର୍ବରୁ ୨୦୦୬ରେ  ‘ଇଷ୍ଟ ଆମାରିଲୋ କମ୍ପେ୍ଲକ୍ସ’ରେ ଭୟାନକ  ଅଗ୍ନିକାଣ୍ଡ ହୋଇଥିଲା । ଏହାଯୋଗୁ ୯ ଲକ୍ଷ ଏକର ଜଙ୍ଗଲ ପୋଡ଼ିଯାଇଥିଲା । ରିପୋର୍ଟ ଅନୁସାରେ ସୋମବାର  ଅପରାହ୍ନଠାରୁ ଏକାଧିକ ସ୍ଥାନରେ  ଜଙ୍ଗଲରେ ନିଆଁ ଲାଗିଛି । ତନ୍ମଧ୍ୟରୁ  ସବୁଠୁ ବଡ଼ ହେଉଛି ‘ସ୍ମୋକ୍‌ହାଉସ୍‌  କ୍ରିକ୍‌ ଫାୟାର’ । ମାତ୍ର ଦୁଇଦିନ ମଧ୍ୟରେ  ଏହା ୫ ଲକ୍ଷ ଏକର ଜମି ଜଙ୍ଗଲ ପୋଡ଼ି  ପାଉଁଶ କରିଦେଲାଣି । ଅଗ୍ନିଶମ ବାହିନୀ  କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ  ଉଦ୍ୟମ ଜାରି ରଖିଛନ୍ତି । ଲୋକମାନେ  ସେମାନଙ୍କ ଘର ଛାଡ଼ି ପଳାଉଛନ୍ତି ।  ହଚିନ୍‌ସନ, ହେମ୍‌ଫିଲ୍‌, ରୋବର୍ଟସ,  ଲିପ୍ସକମ୍ବ ଏବଂ ମୁର୍‌ କାଉଣ୍ଟିର ଅଧିକାରୀମାନଙ୍କୁ ଲୋକଙ୍କୁ ଉଦ୍ଧାର ପାଇଁ  ନିର୍ଦ୍ଦେଶ ଦିଆଯାଇଛି । ସାଟେଲାଇଟ୍ ଚିତ୍ରରେ ପୂରା ଧୁଆଁ ଧୁଆଁ ହୋଇଥି ଆକାଶ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.