ପୂର୍ବତନ ସାଂସଦଙ୍କ ପେନସନ୍ ବାବଦରେ ବାର୍ଷିକ ଖର୍ଚ୍ଚ ହେଉଛି ୭୦ କୋଟି ଟଙ୍କା, ବନ୍ଦ କରିବାକୁ ଅର୍ଥମନ୍ତ୍ରୀଙ୍କୁ ପତ୍ର
17/03/2023 at 1:57 PM

ନୂଆଦିଲ୍ଲୀ ୧୭।୩: ମହାରାଷ୍ଟ୍ରର କଂଗ୍ରେସ ସାଂସଦ ବାଲୁ ଧନୋରକର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏକ ପତ୍ର ଲେଖିଛନ୍ତି। ଏଥିରେ ସେ ଅର୍ଥମନ୍ତ୍ରୀଙ୍କୁ ଏପରି ସାଂସଦଙ୍କ ପେନସନ୍ ବନ୍ଦ କରିବାକୁ ଦାବି କରିଛନ୍ତି ଯେଉଁମାନେ ଆର୍ଥିକ ରୂପେ ସମ୍ପନ୍ନ। ନିର୍ମଳା ସୀତାରମଣଙ୍କୁ ଲେଖିଥିବା ଚିଠିରେ ଧାନୋରକର ଉଲ୍ଲେଖ କରିଛନ୍ତି ଯେ ଳୋକସଭା ଓ ରାଜ୍ୟସଭାର ମୋଟ ୪ ହଜାର ୭୯୬ ଜଣ ପୂର୍ବ ସାଂସଦ ଏବେ ପେନସନ୍ ନେଉଛନ୍ତି। ସେମାନଙ୍କ ପେନସନ୍ ଲାଗି ପ୍ରତି ବର୍ଷ ରାଜକୋଷରୁ ୭୦ କୋଟି ଟଙ୍କା ବ୍ୟୟ ହେଉଛି।
ଏହା ଛଡା ଏପରି ୩୦୦ ପୂର୍ବ ସାଂସଦ ଅଛନ୍ତି ଯେଉଁମାନଙ୍କର ପରଲୋକ ହୋଇସାରିଛି। ତେବେ ସେମାନଙ୍କ ପରିବାର ଫ୍ୟାମିଲି ପେନସନ୍ ନେଉଛନ୍ତି। ଧାନୋରକର ତାଙ୍କ ଚିଠିରେ ଏପରି ପୂର୍ବତନ ସାଂସଦମାନଙ୍କ ନାମ ଉଲ୍ଲେଖ କରିଛନ୍ତି ଯେଉଁମାନେ ଆର୍ଥିକ ରୂପେ ସମ୍ପନ୍ନ। ଏହା ସତ୍ତ୍ୱେ ସେମାନଙ୍କୁ ମଧ୍ୟ ପେନସନ ମିଳୁଛି। ଏପରି ସାଂସଦଙ୍କ ମଧ୍ୟରେ ରାହୁଲ ବଜାଜ, ସଞ୍ଜୟ ଡାଲମିଆ, ମାୟାବତୀ, ସୀତାରାମ ୟେଚୁରୀ, ମଣି ଶଙ୍କର ଆୟର, ବଲିଉଡ ଅଭିନେତ୍ରୀ ରେଖା ଓ ଦକ୍ଷିଣ ଭାରତୀୟ ଅଭିନେତା ଚିରିଞ୍ଜିବୀଙ୍କ ନାମ ସେ ଉଲ୍ଲେଖ କରିଛନ୍ତି।

ଧନୋରକର ଚିଠିରେ ଲେଖିଛନ୍ତି ଯେ ଆର୍ଥିକ ରୂପେ ମଜଭୁତ ଅନେକ ପୂର୍ବତନ ସାଂସଦ ଅଛନ୍ତି ଯେଉଁମାନେ ପେନସନର ଲାଭ ନେଉଛନ୍ତି। ଏପରି ସାଂସଦମାନଙ୍କର ପେନସନ ବନ୍ଦ କରିବା ପାଇଁ ସେ ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏପରି ପୂର୍ବ ସାଂସଦମାନେ ଯେଉଁମାନେ ଆୟକରର ୩୦ ପ୍ରତିଶତ ସ୍ଲାବରେ ଆସୁଛନ୍ତି, ଏଣୁ ଏମାନଙ୍କୁ ପେନସନର ଲାଭ ମିଳିବା ଉଚିତ ନୁହେଁ। ତେବେ ଏହି କଥା କୁ ନେଇ ମୁଁ ସମ୍ପୂର୍ଣ୍ଣ ଆସ୍ୱସ୍ଥ ଯେ କେହି ବି ଦେଶଭକ୍ତ ପୂର୍ବତନ ସାଂସଦ ତାଙ୍କର ପେନସନ ବନ୍ଦ ହେଲେ ଆପତ୍ତି ମଧ୍ୟ କରିବେ ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।
ଉଲ୍ଲେଖଯେଗ୍ୟ ଯେ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବେତନ ଓ ପେନସନ ନେଇ ୧୯୫୪ ମସିହାରୁ ଆଇନ ଅଛି, ଯାହା ସମୟ ସମୟରେ ସଂଶୋଧନ ମଧ୍ୟ ହେଉଛି। ଲୋକସଭାରେ ଏକ କାର୍ଯ୍ୟକାଳ ଅର୍ଥାତ ୫ ବର୍ଷ ପୂରଣ କଲେ ମାସିକ ୨୫ ହଜାର ଟଙ୍କା ପେନସନ ମିଳୁଛି। ସେହିପରି ରାଜ୍ୟସଭାରେ ଏକ କାର୍ଯ୍ୟକାଳ ଅର୍ଥାତ ୬ ବର୍ଷ ପୂରଣ କଲେ ୨୭ ହଜାର ଟଙ୍କା ପେନସନ୍ ମିଳୁଛି। ସାଂସଦଙ୍କ ପେନସନ ବାବଦେ ସରକାର ବାର୍ଷିକ କେତେ ଖର୍ଚ୍ଚ କରୁଛନ୍ତି ତାର ହିସାବ ଆରଟିଆଇରୁ ମିଳିଛି। ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ପେନସନ ବ୍ୟାପାର ସେଣ୍ଟ୍ରାଲ ପେନସନ ଆକାଉଣ୍ଟିଂ ଅଫିସ(ସିପିଏଓ) ସମ୍ଭାଳୁଛନ୍ତି।

ଆରଟିଆଇ ସୂଚନା ଅନୁସାରେ ଲୋକସଭା ଓ ରାଜ୍ୟସଭାର ପୂର୍ବତନ ସାଂସଦଙ୍କ ପେନସନ ବାବଦେ ୨୦୨୧-୨୨ରେ ୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହା ପୂର୍ବରୁ ୨୦୨୦-୨୧ ବର୍ଷରେ ଏ ବାବଦେ ୯୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସାଂସଦ ଓ ବିଧାୟକ ପେନସନ ପାଇବା ପାଇଁ ସେମାନଙ୍କୁ ନିଶ୍ଚିତ କାର୍ଯ୍ୟକାଳ ପର୍ଯ୍ୟନ୍ତ କାର୍ଯ୍ୟ କରିବାର ବ୍ୟବସ୍ଥା ନାହିଁ। ଏଣୁ ଯଦି କେହି ଦିନକ ଲାଗି ମଧ୍ୟ ସାଂସଦ କି ବିଧାୟକ ହୁଅନ୍ତି ତାଙ୍କୁ ଆଜୀବନ ପେନସନ ମିଳିଚାଲେ। ସେମାନଙ୍କୁ କେବଳ ପେନସନ ନୁହେଁ ଅନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳେ। କେବଳ ଏତିକି ନୁହେଁ ଯଦି କେହି ସାଂସଦ ବିଧାୟକ ନିର୍ବାଚିତ ହୁଅନ୍ତି ତାଙ୍କୁ ସାଂସଦ ପେସନ ଓ ବିଧାୟକ ବେତନ ମଧ୍ୟ ମିଳିଥାଏ। ବିଧାୟକ ପଦରୁ ହଟିବା ପରେ ତାଙ୍କୁ ଉଭୟ ସାଂସଦ ଓ ବିଧାୟକର ପେନସନ ମିଳିଥାଏ।