ଅଭ୍ୟାସରେ ବ୍ୟସ୍ତ ଟିମ୍‌ ଇଣ୍ଡିଆ, ଶୁକ୍ରବାରଠୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌

Published By : Prameya-News7 Bureau | June 30, 2022 IST

ଲଣ୍ଡନ ୩୦।୦୬ : ଶୁକ୍ରବାରଠୁ ଆରମ୍ଭ ହେବ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍‌ । ଇତି ମଧ୍ୟରେ ଟିମ୍‌ ଇଣ୍ଡିଆ ସାଉଥମ୍ପଟନରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି । ଦଳରେ ଆହତ ସମସ୍ୟା ନଥିଲେ ହେଁ ଅଧିନାୟକ ରୋହିତ ଶର୍ମା କରୋନାରୁ ମୁକ୍ତି ପାଇନାହାନ୍ତି । ତାଙ୍କ ଖେଳିବା ନେଇ ଆଶଙ୍କା ରହିଥିଲେ ହେଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିବା କୋଚ୍‌ ରାହୁଲ ଦ୍ରାବିଡ ସ୍ପଷ୍ଟ କରିଛନ୍ତି । ଏପଟେ ଆବଶ୍ୟକ ପଡ଼ିଲେ ନେତୃତ୍ୱ ନେବା ପାଇଁ ଯଶପ୍ରୀତ ବୁମରାଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା ଇତି ମଧ୍ୟରେ ଲଣ୍ଡନ ଯାତ୍ରା କରିଛନ୍ତି ।

ରୋହିତଙ୍କ ଦ୍ୱିତୀୟ ରିପୋର୍ଟ ପଜିଟିଭ କରୋନା ସଂକ୍ରମିତ ପରେ ଗତ ୫ଦିନ ହେଲା ଆଇସୋଲେସନରେ ରହିଥିବା ରୋହିତଙ୍କ ଆରଟି-ପିସିଆର ରିପୋର୍ଟ ମଧ୍ୟ ପଜିଟିଭ ବାହାରିଛି । ୨୪ ତାରିଖରେ ରାପିଡ ଆଣ୍ଡିଜେନ ଟେଷ୍ଟରେ ପଜିଟିଭ ବାହାରିବା ଦିନଠୁ ଆଇସୋଲେସନରେ ରହିଥିଲେ । ବୁଧବାର ସକାଳେ ତାଙ୍କ ଆରଟି-ପିସିଆର ରିପୋର୍ଟ ବାହାରିଥିଲା । ରୋହିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଅବନତି ହୋଇନାହିଁ । ତେଣୁ ଟେଷ୍ଟ ପୂର୍ବରୁ ଆଉ ୨ଥର ଆରଟି-ପିସିଆର ଟେଷ୍ଟ କରାଯିବ । ଉଭୟ ରିପୋର୍ଟ ମିଳିବା ପରେ ରୋହିତଙ୍କ ଖେଳିବା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଅଭ୍ୟାସ ପରେ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କହିଛନ୍ତି ଯେ, ରୋହିତ ଏପର୍ଯ୍ୟନ୍ତ ଟେଷ୍ଟ ଦୌଡରୁ ବାଦ ପଡ଼ିନାହାନ୍ତି । ଆମ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି । ଟେଷ୍ଟ ଆରମ୍ଭ ହେବାକୁ ୩୬ ଘଣ୍ଟା ବାକି ରହିଛି । ପରବର୍ତ୍ତୀ ୨ଟି ଟେଷ୍ଟ ରିପୋର୍ଟ ପରେ ଆମେ ଚୂଡ଼ାନ୍ତ ନିଷ୍ପତ୍ତି ନେବୁ ।

ନେତୃତ୍ୱ ଦୌଡ଼ରେ ବୁମରା କରୋନା ଯୋଗୁ ରୋହିତ ବାଦ ପଡ଼ିଲେ ଯଶପ୍ରୀତ ବୁମରା ନେତୃତ୍ୱ ନେବେ । ଦଳର ବୈଠକ ଅବସରରେ ବୁମରାଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଥିବା ଜଣାପଡ଼ିଛି । ପୂର୍ବରୁ ଲୋକେଶ ରାହୁଲଙ୍କୁ ଦଳର ଉପ ଅଧିନାୟକ ନିଯୁକ୍ତ କରାଯାଇଥିଲା । ହେଲେ ଆହତ ସମସ୍ୟା ଯୋଗୁ ସେ ଦଳରୁ ବାଦ ପଡ଼ିଥିଲେ । ତାଙ୍କ ସ୍ଥାନରେ ଅନ୍ୟ କାହାକୁ ଉପଅଧିନାୟକ ଚୟନ କରାଯାଇ ନଥିଲା । ବର୍ତ୍ତମାନ ବୁମରା ପ୍ରମୁଖ ଦାବିଦାର ରହିଛନ୍ତି । ଏହା ସମ୍ଭବ ହେଲେ କପିଳ ଦେବଙ୍କ ପରେ ସେ ଏକମାତ୍ର ପେସ୍‌ ବୋଲର ଭାବେ ଟେଷ୍ଟ ଦଳର ନେତୃତ୍ୱ ନେବେ ।

ତେବେ ରୋହିତଙ୍କ ବ୍ୟାକ୍‌ଅପ୍‌ ଓପନର ଭାବେ ମୟଙ୍କ ଅଗ୍ରୱାଲ ଦଳରେ ଯୋଗ ଦେଇଛନ୍ତି । ଫିଟ୍‌ ଘୋଷିତ ହେଲେ ରୋହିତ ଖେଳିବା ନିଶ୍ଚିତ । ନଚେତ ଶୁଭମନ ଗିଲ୍‌ଙ୍କ ସହ ଅଗ୍ରୱାଲ ଓପନ୍‌ କରିବେ । ଶ୍ରେୟାସ ଆୟରଙ୍କୁ ମଧ୍ୟକ୍ରମରେ ଖେଳାଇ ଚେତେଶ୍ୱର ପୂଜାରାଙ୍କୁ ଓପନ୍‌ କରିବାକୁ ମଧ୍ୟ ସୁଯୋଗ ମିଳିପାରେ ।

‘ଫିଲ୍ଡିଂ ଡ୍ରିଲ୍‌’ ରୁ ‘ନେଟ୍‌ସ’ ଏଜବାଷ୍ଟନରେ ଆଜି ଭାରତୀୟ ଦଳ ଜୋରଦାର ଅଭ୍ୟାସ କରିଥିଲା । ୱାର୍ମ ଅପ୍‌ ପରେ ଭାରତୀୟ ଦଳ ଫିଲ୍ଡିଂ ଅଭ୍ୟାସ କରିଥିଲା । ଗ୍ରାଉଣ୍ଡ ଫିଲ୍ଡିଂ ସମେତ ସ୍ଲିପ୍‌ କ୍ୟାଚ୍‌କୁ ଅଭ୍ୟାସ ଶିବିରରେ ପ୍ରାଥମିକତା ଦିଆଯାଇଥିଲା । ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ଆଜି ଶିବିର ପରିଚାଳନା କରିଥିଲେ । ଦୀର୍ଘ ସମୟ ଧରି ଫିଲ୍ଡିଂ ଅଭ୍ୟାସ ପରେ ଦଳର ପ୍ରମୁଖ ବ୍ୟାଟରମାନେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.